କର୍ମକର୍ତ୍ତା ଚୟନକୁ ନେଇ ବିଜେଡି ଯୁବ ଶାଖାରେ ଅସନ୍ତୋଷ

ଖୋଲା ବିଦ୍ରୋହ କଳ୍ପତରୁଙ୍କୁ ମହଙ୍ଗା ପଡ଼ିଲା, ପଦବିରୁ ଇସ୍ତଫା ଦେବା ପରେ ଦଳରୁ ବହିଷ୍କୃତ

ଭୁବନେଶ୍ୱର : ବିଜେଡି ଯୁବ ଶାଖାରେ କର୍ମକର୍ତ୍ତା ଚୟନ ନେଇ ସଂଗଠନରେ ଅସନ୍ତୋଷ ଦେଖାଦେଇଛି। ଦଳର ନିଷ୍ପତ୍ତିକୁ ଖୋଲା ବିରୋଧ କରିବା ଯୁବ ନେତା କଳ୍ପତରୁ ଓଝାଙ୍କୁ ମହଙ୍ଗା ପଡ଼ିଛି। ଆଜି ଯୁବ ଶାଖାର ସାଧାରଣ ସମ୍ପାଦକ ପଦବିରୁ ‌ସେ ଇସ୍ତଫା ଦେବାର କିଛି ସମୟ ପରେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହାକୁ ନେଇ ବିଜେଡି ଛାମୁଆ ସଂଗଠନର ରାଜନୀତି ସରଗରମ ହୋଇଛି।

ଗତ ୨୩ ତାରିଖରେ ବିଜୁ ଯୁବ ଜନତା ଦଳର କର୍ମମର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ଏଥିରେ ବିଭିନ୍ନ ପଦପଦବିରେ ୧୦୦ରୁ ଅଧିକ ଯୁବ ନେତାଙ୍କ ନାମ ସ୍ଥାନ ପାଇଥିଲା। ଏହାର ଦୁଇ ଦିନ ପରେ ଶହେରୁ ଅଧିକ କର୍ମକର୍ତ୍ତାଙ୍କୁ ନେଇ ଛାତ୍ର ଶାଖା ମଧ୍ୟ ଘୋଷଣା କରାଯାଇଥିଲା। ଉଭୟ ସଂଗଠନରେ କର୍ମକର୍ତ୍ତା ଚୟନକୁ ନେଇ ଅସନ୍ତୋଷ ଗୁମୁରିଥିଲା। ତେବେ ଅସନ୍ତୋଷ ଜାହିର କରିବାକୁ କେହି ଆଗକୁ ଆସି ନ ଥିଲେ। ବିଜୁ ଛାତ୍ର ଜନତା ଦଳର ଭୁବନେଶ୍ବର ଶାଖାର ପୂର୍ବତନ ସଭାପତି ତଥା ଯୁବ ଶାଖରେ ନୂଆ କରି ସାଧାରଣ ସମ୍ପାଦକ ପଦବି ପାଇଥିବା କଳ୍ପତରୁ ଓଝା ଖୋଲାଖୋଲି ଏହାକୁ ବିରୋଧ କଲେ। ସୋସିଆଲ୍‌ ମିଡିଆର ସାହାରା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି ଲେଖିଥିଲେ। ଅଭିଯୋଗ କରିଥିଲେ ଯେ ଚୟନ ଦାୟିତ୍ବରେ ଥିବା ଅନଭିଜ୍ଞ ନେତା ନିଜ ଅନୁଗତଙ୍କୁ ମନଇଚ୍ଛା ପଦବି ଦେଇଛନ୍ତି। ଛାତ୍ର ରାଜନୀତି ବେଳୁ ବିଜେଡି ପାଇଁ କାମ କରି ଆସିଥିବା ଅଭିଜ୍ଞ ନେତାଙ୍କୁ ଚୟନରେ ସ୍ପଷ୍ଟ ଭାବେ ଅଣଦେଖା କରାଯାଇଛି। ଆମଦାନୀ ଛାତ୍ରନେତା ଦଳର ଏବେ ଗେହ୍ଲା ପୁଅ। ଦଳରେ ଅଭିଜ୍ଞତା, ବରିଷ୍ଠତା ଓ କଠିନ ପରିଶ୍ରମର କିଛି ମୂଲ୍ୟ ରହୁନି। ନୂଆ ଯୁବ ଓ ଛାତ୍ର କମିଟି ବାବଦରେ ଦଳର ସଭାପତି ଅବଗତ ଅଛନ୍ତି କି ବୋଲି ‌ସେ ପ୍ରଶ୍ନ ଉଠାଇଥିଲେ। କଳ୍ପତରୁଙ୍କୁ ସୋସିଆଲ୍‌ ମିଡିଆରେ ବହୁ ଯୁବ-ଛାତ୍ର ନେତା ସମର୍ଥନ କରି କିଛି ନିର୍ଦ୍ଦଷ୍ଟ ଯୁବ ନେତାଙ୍କ ବିରୋଧରେ ବିଭିନ୍ନ କଟୁ ମନ୍ତବ୍ୟ ଦେଇଥିଲେ।

ଆଜି ପୂର୍ବାହ୍ନରେ କଳ୍ପତରୁ ଗଣମାଧ୍ୟମରେ ନିଜ ଇସ୍ତଫା କଥା କହିଥିଲେ। ଯୁବ ଶାଖାର ସାଧାରଣ ସମ୍ପାଦକ ପଦବିରୁ ଇସ୍ତଫା ଦେଇଥିଲେ ବି ଦଳରେ ରହି କାମ କରିବେ ବୋଲି ଜଣାଇଥିଲେ। ଯୁବ ବ୍ୟାପାର ଦାୟିତ୍ବରେ ଥିବା ବିଧାୟକ ଓ ଯୁବ ସଭାପତିଙ୍କ ନେତୃତ୍ବରେ କାମ କରିବାକୁ ସେ ସହଜ ମନେ କରୁ ନାହାନ୍ତି ବୋଲି ଜଣାଇଥିଲେ। ତାଙ୍କ ସହ ଭୁବନେଶ୍ବରର ଆଉ କିଛି ଛାତ୍ର ନେତା ମଧ୍ୟ ନିଜ ଅସନ୍ତୋଷ ଝାଡ଼ିଥିଲେ।

ତେବେ ଇସ୍ତଫାର କିଛି ସମୟ ‌ପରେ ବିଜେଡି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ କଳ୍ପତରୁ ଓଝାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି ବୋଲି ଗଣମାଧ୍ୟ୍ୟମ ବ୍ୟାପାର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଜଣାଇଥିଲେ।

ଏହି ପ୍ରସଙ୍ଗରେ ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ ଗତକାଲି ମୁଁ ସଭାପତି ଭାବେ ଦାୟିତ୍ବ ନେଲା ପରେ କଳ୍ପତରୁ ଓଝାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ବହିଷ୍କାର କରିବାକୁ ଦଳର ସଭାପତିଙ୍କୁ ସୁପାରିସ କରିଥିଲି। ଆଜି ପ୍ରେସ୍ ବିଜ୍ଞପ୍ତି ଆସିବା ପୂର୍ବରୁ ସେ ଆଗୁଆ ଖବର ପାଇ ଗଣମାଧ୍ୟମରେ ଇସ୍ତଫା କଥା କହିଛନ୍ତି।

ସମ୍ବନ୍ଧିତ ଖବର