ରାଇଘର: ନବରଙ୍ଗପୁର ଜିଲ୍ଲା ସୀମାରେ ପୁଣି ଆତଙ୍କ ଖେଳାଇଲା ନରଖାଦକ କଲରାପତରିଆ। ରବିବାର ସଂଧ୍ୟାରେ ପଡ଼ୋଶୀ ଛତିଶଗଡ଼ର ଧାମତରୀ ଜିଲ୍ଲା ଅନ୍ତର୍ଗତ ସିହାବା ଅଞ୍ଚଳରେ ଜଣେ ଶିଶୁକୁ ଶିକାର କରିଛି। ଖବର ପାଇ ଛତିଶଗଡ଼ ବନ ବିଭାଗ ସନ୍ଧାନ ଜାରି ରଖିଛି। ବର୍ତ୍ତମାନ ବିର୍ଗୁରୀ ଜଙ୍ଗଲରେ ରହିଥିବା କଲରାପତରିଆ ନବରଙ୍ଗପୁର ଜିଲ୍ଲାର ରାଇଘର ଜଙ୍ଗଲରେ ପଶିବାର ସମ୍ଭାବନା ରହିଛି।

Advertisment

ରବିବାର ସଂଧ୍ୟା ପ୍ରାୟ ୭ଟାରେ ଘର ଅଗଣାରେ ଖେଳୁଥିବା କରମୁଦ ଗାଁର ଯୋଗେଶ ମରକାମଙ୍କ ୩ବର୍ଷର ପୁଅ ହ୍ରିତିକ ହଠାତ୍‌ ନିଖୋଜ ହୋଇଯାଇଥିଲା। ରାତିରେ ପରିବାର ଲୋକ ଖୋଜାଖୋଜି କରିବା ପରେ ସନ୍ଧାନ ନ ପାଇ ସିହାୱା ଥାନାରେ ନିଖୋଜ ଏତଲା ଦେବା ସହ ବିର୍ଗୁରୀ ଓ ଦୁଧୱା ବନ ବିଭାଗ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ମାମଲା ରୁଜୁ ପରେ ପୁଲିସ ଓ ବନ ବିଭାଗ କର୍ମଚାରୀ ସନ୍ଧାନ ଆରମ୍ଭ କରିଥିଲେ। ଯୋଗେଶଙ୍କ ଘରଠାରୁ ଅଳ୍ପ ଦୂରରେ ବନ ବିଭାଗ କର୍ମଚାରୀ ଗୋଟିଏ କଲରାପତରିଆ ବାଘର ପଞ୍ଝା ଚିହ୍ନ ପାଇଥିଲେ। ତେଣୁ ହ୍ରିତିକକୁ ବାଘ ହିଁ ନେଇଯାଇଥିବା ସନ୍ଦେହ ହୋଇଥିଲା। ରେଞ୍ଜର ଦୀପକ ଗାୱଡ଼େ ଗୋଟିଏ ଟିମ୍‌ ସହ ଜଙ୍ଗଲରେ ସନ୍ଧାନ କରିଥିଲେ। ଆଜି ନିକଟସ୍ଥ ଜଙ୍ଗଲରୁ ଶିଶୁର କଟା ମୁଣ୍ଡ ଏବଂ ଶରୀରର ଅନ୍ୟ ଅଂଶକୁ ଠାବ କରିଥିଲେ। ବାଘ ଶିକାର କରି ଖାଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଥିଲା ବେଳେ ଖବର ପ୍ରଚାର ପରେ ଆଖପାଖ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ଯେହେତୁ ଏହି ଅଞ୍ଚଳ ନବରଙ୍ଗପୁର ଜିଲ୍ଲା ସୀମାକୁ ଲାଗି ରହିଛି, ସେହି କାରଣରୁ ବାଘ ଶିକାର ସନ୍ଧାନରେ ରାଇଘର ବ୍ଲକରେ ପଶିପାରେ ବୋଲି ଅନୁମାନ କରାଯାଉଛି। ସିହାୱା ଅଞ୍ଚଳରେ କଲରାପତରିଆ ବାଘ ବାରମ୍ବାର ମଣିଷ ଶିକାର କରୁଛି। ବନ ବିଭାଗ ପ୍ରୟାସ କରୁଥିଲେ ସୁଦ୍ଧା ବାଘ ଚକମା ଦେଇ ଖସିଯାଉଛି। ଦୁଇବର୍ଷ ତଳେ ରାଇଘର ବ୍ଲକ ଅନ୍ତର୍ଗତ ତୁରୁଡ଼ିହି ଗ୍ରାମରେ ଜଣେ ୫ବର୍ଷର ବାଳକ ସିହାୱା ମନ୍ଦିରକୁ ଦର୍ଶନ ପାଇଁ ଯିବା ସମୟରେ କଲରାପତରିଆର ଶିକାର ହୋଇଥିଲା।