ଧର୍ମଗଡ଼/ ଜୟପାଟଣା: କଳାହାଣ୍ଡିରେ ପୁଣି ବାଘଛାଲ ଜବତ ହୋଇଛି। ଏଥିରେ ସମ୍ପୃକ୍ତ ୬ ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନା ଅନୁସା​ରେ, ଛତିଶଗଡ଼ ଉଦନ୍ତୀ ସୀତାନଦୀ ବ୍ୟାଘ୍ର ଅଭୟାରଣ୍ୟ ଏବଂ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ପକ୍ଷରୁ କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ମୂଲଚାଲ ଚାଲିଥିବା ସମୟରେ ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଥିଲା। ସେଠାରୁ ଏକ କଲରାପତରିଆ ବାଘଛାଲ ଜବତ କରିବା ସହ ୫ ଜଣଙ୍କୁ ଧରିଥିଲେ। ସେମାନଙ୍କ ସୂଚନା ଆଧାରରେ ଜୟପାଟଣା ଫରେଷ୍ଟ ରେଞ୍ଜର ଚଞ୍ଚରାଗୁଡ଼ା ଗ୍ରାମର ବାଘ ଶିକାରୀ ରିଷି ମାଝୀଙ୍କ ଘରେ ଚଢ଼ଉ କରିଥିଲେ। ତାଙ୍କ ଘରୁ ଶିକାରରେ ବ୍ୟବହୃତ ଏକ ଦେଶୀ ବନ୍ଧୁକ, ଅନ୍ୟ ବିଭିନ୍ନ ମାରଣାସ୍ତ୍ର, ଅଜଗର ଛାଲ ଜବତ କରାଯାଇଥିଲା।
ପରେ ଅଭିଯୁକ୍ତ ରିଷିଙ୍କୁ ଧରି ବନ ବିଭାଗ ଶିକାରସ୍ଥଳକୁ ଯାଇ ସବୁ ପ୍ରମାଣ ସଂଗ୍ରହ କରିଥିଲା। ମୋଟ୍ ୬ ଜଣ ଅଭିଯୁକ୍ତଙ୍କୁ କୋକସରା କୋର୍ଟକୁ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପାଦେପଦରର ନବ ମାଝୀ (୩୫) ଓ ଧୋବା ମାଝୀ (୨୪), ଜୟପାଟଣାର ଋଷି ମାଝୀ (୬୦), ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ଗଣେଶ ଗଉଡ଼ (୨୫), ଲକ୍ଷ୍ମଣ ଗଉଡ଼ (୫୦) ଓ ଖାତିଗୁଡ଼ାର ନବ ନାୟକ (୩୦)। କଳାହାଣ୍ଡି ଏସିଏଫ୍ ବିମଳ ଟୋପ୍ନୋ, ଫରେଷ୍ଟର ନିହାର ଠାକୁର, ଯୋଗେନ୍ଦ୍ର ମାଝୀ, ଚିନ୍ମୟ ଦାସ, କର୍ମଚାରୀ ଲିକୁ ଦାସ ଓ ଉଦନ୍ତୀ ସୀତାନଦୀ ବାଘ ସଂରକ୍ଷଣ ବନ ବିଭାଗ ଓ କଳାହାଣ୍ଡି ଜିଲ୍ଲା କର୍ମଚାରୀମାନେ ଚଢ଼ଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/dgggdgdgg.jpg)