ଟ୍ରାପ୍‌ କ୍ୟାମେରାରେ ଠାବହେଲା କଲରାପତରିଆ, ୧୨ ଦିନ ହେଲା ଅଞ୍ଚଳବାସୀ ଆତଙ୍କିତ

ନୂଆପଡ଼ା/କୋମନା : ନୂଆପଡ଼ା ଜିଲ୍ଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଜନବସତି ଅଞ୍ଚଳରେ ଗତ ୧୨ ଦିନ ଧରି ଆତଙ୍କ ଖେଳାଇଥିବା ମଣିଷଖିଆ ବାଘଟି କଲରାପତରିଆ କି ମହାବଳ ବାଘ ତାକୁ ନେଇ ସୃଷ୍ଟି ହୋଇଥିବା ଦ୍ବନ୍ଦ୍ବ ଦୂରହୋଇଛି। ଶେଷରେ ଏହା କଲରାପତରିଆ ବୋଲି ଜଣାପଡ଼ିଛି। ଏହା ଟ୍ରାପ୍‌ କ୍ୟାମେରାରେ ଠାବ ହୋଇଛି।

ବୁଧବାର ଭୋର୍‌ ପ୍ରାୟ ୫ଟାରେ ଉକ୍ତ କଲରାପତରିଆକୁ ଟ୍ରାପ୍‌ କ୍ୟାମେରା ମାଧ୍ୟମରେ ଠାବ କରାଯାଇଥିବା ନେଇ ସୁନାବେଡ଼ା ରେଞ୍ଜର୍‌ ଶିବପ୍ରସାଦ ଖମାରୀ ସୂଚନା ଦେଇଛନ୍ତି। ଚଳିତ ମାସ ୧୯ରୁ ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳରେ ଉକ୍ତ କଲରାପତରିଆଟି ଆତଙ୍କ ଜାରିରଖିଛି। ଗତ ୧୯ ତାରିଖ ଜଳମଡ଼େଇ ଗାଁର ଜଣେ ବୃଦ୍ଧା ସନମତି ବାରିକଙ୍କୁ ମାରି ଖାଇଦେଇଥିଲା। ସେହି ଦିନଠାରୁ ସୁନାବେଡ଼ା ଅଭୟାରଣ୍ୟରେ ବାଘ ଭୟରେ ବନବାସୀ ଦିନ କାଟୁଛନ୍ତି। ଉକ୍ତ କଲରାପତରିଆଟି ବୁଧବାର ଜଳମଡ଼େଇ ଗାଁରେ ଏକ ବଳଦକୁ ମାରି ଖାଇଥିଲା।

ବିଭାଗୀୟ କର୍ମଚାରୀ ଘଟଣାସ୍ଥଳକୁ ଯାଇ ୧୫ଟି ଟ୍ରାପ୍‌ କ୍ୟାମେରା ଲଗାଇଥିଲେ। ତେବେ କ୍ୟାମେରାରେ ଭୋର୍‌ରେ କଲରାପତରିଆଟି ବୁଲୁଥିବାର ଦୃଶ୍ୟ କଏଦ୍‌ ହୋଇଛି। ଅନ୍ୟପକ୍ଷରେ ନୂଆପଡ଼ା ଜିଲ୍ଲାରେ ଏକ ମାସ ଭିତରେ ଜଣେ ମଣିଷ ଓ ୧୨ଟି ଗୃହପାଳିତ ପ୍ରାଣୀଙ୍କୁ ବାଘ ମାରିଥିବା ବେଳେ ଜିଲ୍ଲାରେ ଦିନକୁ ଦିନ ବାଘ ଆତଙ୍କ ବୃଦ୍ଧିପାଉଛି।

ସମ୍ବନ୍ଧିତ ଖବର