ଭିତ୍ତି ପ୍ରସ୍ତର ସ୍ଥାପନକୁ ୯ବର୍ଷ ବିତିଲା, ରାଜନୀତିର ପଶାପାଲିରେ ଅଟକିଛି କଲ୍ୟାଣ ମଣ୍ଡପ କାର୍ଯ୍ୟ

ଜୟପୁର: ଜାଗା ଅଛି କିନ୍ତୁ କାମରେ ଲାଗୁନି। ବର୍ଷେ ନୁହେଁ କି ଦୁଇ ବର୍ଷ ନୁହେଁ। ଭତ୍ତି ପ୍ରସ୍ତର ସ୍ଥାପନକୁ ୯ବର୍ଷ ବିତିଲାଣି। ହେଲେ ନୋହିଲା ଗୃହ ନିର୍ମାଣ ସମବାୟ ସମିତି ଲିଃର କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ। ରାଜନୀତିର ପଶାପାଲିରେ ପଡି ଏହି କଲ୍ୟାଣମଣ୍ଡପ ନିର୍ମାଣ କାର୍ଯ୍ୟ ପାଇଁ ଆସିଥିବା ୩୦ ଲକ୍ଷ ଟଙ୍କା ଫେରି ଯାଇଥିବାବେଳେ ଇରିଗେସନ କଲୋନୀର ଛାତି ଉପରେ ଥିବା ଏହି ଜାଗା ଏବେ କିଛି ବ୍ୟବସାୟୀ ଓ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରେ ରହିଛି। କେତେବେଳେ ଯେ ଏହି ଜାଗାକୁ ଏହି ଜମି ମାଫିଆ ମାଡିବସି ନିଜର ଦାବି କରି ଘର ତୋଳିତେବେ ତାହା କହିହେବ ନାହିଁ। ଲକ୍ଷ୍ୟ ଥିଲା ଏହିଠାରେ ଏକ କଲ୍ୟାଣ ମଣ୍ଡପ ସ୍ଥାପନ କଲେ ସାହି ବାସିନ୍ଦାଙ୍କ ବିବାହ ସହ ସଭା ସମିତି ଏବଂ ଅନ୍ୟାନ୍ୟ କାର୍ଯ୍ୟ ସମାପନ ହେବ। ଏଥିରୁ ମିଳୁଥିବା ଅର୍ଥ ରାଜସ୍ବକୁ ଯିବା ସହ ଏହି ସମବାୟ ସମିତିର ଉନ୍ନତି ସାଧିତ ହେବ। ହେଲେ ଏହି ସ୍ବପ୍ନ ଅଧାରେ ରହିଯାଇଛି। ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ହେତୁ ଆସିଥିବା ଅର୍ଥ ଫେରି ଯାଇଥିବାବେଳେ ଭୁବନେଶ୍ବରରେ ଥିବା ମୁଖ୍ୟ କାର୍ଯ୍ୟରେ ପଡି ରହିଛି ଡିପିଆର। ୨୦୧୯ ନିର୍ବାଚନ ପୂର୍ବରୁ ଏଥିପାଇଁ ବ୍ୟବସ୍ତା ଗ୍ରହଣ କରାଯାଇ ଥିବାବେଳେ କେବେ ଏହାର ନିର୍ମାଣ କାମ ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଏପଟେ  ୬୫ ଲମ୍ବ ଓ ୧୨୫ ଫୁଟ ଓସାରର ଏହି ଜାଗାରେ ୯ବର୍ଷ ହେବ କିଛି ଗାଡି ମାଲିକ ଓ ଜମି ମାଫିଆ ନିଜ କାୟା ବିସ୍ତରିବାରେ ଲାଗିଛନ୍ତି। ହେଲେ ଏବେଯାଏ କେବଳ ଭିତ୍ତିପ୍ରସ୍ତରକୁ ଛାଡିଦେଲେ କୌଣସି କାର୍ଯ୍ୟ ହୋଇ ନ ଥିବା ଜଣାପଡିଛି। ୨୦୧୨ ମସିହା ଜୟପୁରର ତତକାଳୀନ ବିଧାୟକ ରବି ନାରାୟଣ ନନ୍ଦ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ସମୟରେ ଜୟପୁର ଗୃହ ନିର୍ମାଣ ସମବାୟ ସମିତିର ସଭାପତି ଥିବା ସୁକାନ୍ତ ତ୍ରିପାଠୀ, ସମ୍ପାଦକ ଅରୁଣ କୁମାର ପାଳଙ୍କ ଉପସ୍ଥିତିରେ ଏହି ଭିତ୍ତିପ୍ରସ୍ତାର ସ୍ଥାପନ ହୋଇଥିଲା। ସେହି ସମୟରେ ୩୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା। ଏନେଇ ଦୁଇ ମହଲାର କୋଠା ସହ ବଡ ଲନ୍ ଓ ରୋଷେଇଘର ନିର୍ମାଣ କରାଯିବାକୁ ଡିପିଆର ରାଜ୍ୟ ସରକାରଙ୍କ ନିକଟକୁ ଯାଇଥିଲା। କିନ୍ତୁ ଅତ୍ୟାଧିକ ରାଜନୈତିକ ହସ୍ତକ୍ଷେପ ହେତୁ ଏହି କାର୍ଯ୍ୟ ହୋଇପାରିଲାନି। କିନ୍ତୁ ଏଥିରେ ପାଚେରୀ ନିର୍ମାଣ କରିବାକୁ ଆସିଥିବା ଅର୍ଥ ହଡପ ହୋଇଥିବା ଜଣାଯାଇଛି। ରାଜନୀତି ହେତୁ ଏହି ମୂଲ୍ୟବାନ ଜାଗା ଯେ ସରକାରଙ୍କର ହାତରୁ ଖସିଯିବ ତାହାକୁ ନେଇ ସାଧାରଣରେ ନାନା ପ୍ରଶ୍ନ ଉଠିଛି।

ଏନେଇ ସାହି ବାସିନ୍ଧା ଦେବ ରଞ୍ଜନ ମହାନ୍ତି କହିଛନ୍ତି ଯେ ଇରିଗେସନ କଲୋନୀରେ ଏକ କଲ୍ୟାଣ ମଣ୍ଡପ କରାଯିବାକୁ ଯୋଜନା କରିଥିଲା ଜୟପୁର ଗୃହ ନିର୍ମାଣ ସମବାୟ ସମିତି ଲିଃ। ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ୨ ମହଲା କୋଠା ସହ ଏକ ଏକ ବିରାଟ ଲନର ବ୍ୟବସ୍ଥା କରାଯାଇ ଥାନ୍ତା। ଏହାଦ୍ବାରା ସ୍ଥାନୀୟ ଲୋକେ ସୁବିଧା ପାଇବା ସହ ଏହି ସମବାୟ ସମିତି ମଧ୍ୟ ଲାଭବାନ ହୋଇଥାନ୍ତା କିନ୍ତୁ ଏହି କାର୍ଯ୍ୟ ହୋଇପାରିଲା ନାହିଁ। ବଂର ପାଚେରୀ ନିର୍ମାଣ ପାଇଁ ଆସିଥିବା ଅର୍ଥ ବାଟ ମାରଣା ହୋଇଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଏନେଇ ସୁମିତ୍ରା ଜେନା କହିଛନ୍ତି ଯେ ସାହିରେ ଏକ କଲ୍ୟାଣ ମଣ୍ଡପ ହୋଇଥିଲେ ସାହି ବାସିନ୍ଧାକୁ କେତେ ସୁବିଧା ହୋଇଥାନ୍ତା। ଏବେ ଏହି ଜାଗା ଅନ୍ୟମାନେ ବ୍ୟବହାର କରୁଛନ୍ତି। ପ୍ଲାନିଂ ହୋଇଥିବା ଜାଗାରେ ଏବେ ଅସାଧୁ ଲୋକଙ୍କର ନଜର ରହିଛି। କେତେବେଳେ ଯେ ଏହି ଜାଗାକୁ କିଏ ମାଡିବସିବ ତାହା କହିହେବ ନାହିଁ ବୋଲି ସେ କହିଛନ୍ତି।ଏନେଇ ମୁଖ୍ୟ ନିର୍ବାହକ ଦାୟିତ୍ବ ରହିଥିବା ଅରୁଣ କୁମାର ପାଳ କହିଛନ୍ତି ଯେ ୨୦୧୨ ଜୁନ ମାସ ୨୫ ତାରିଖରେ ସମିତିର ନିଜସ୍ବ ଜାଗାରେ ଏକ କଲ୍ୟାଣ ମଣ୍ଡପ କରାଯିବାକୁ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ଏଥିନେଇ ରାଜ୍ୟ ସରକାରଙ୍କୁ ଡିପିଆର ଯିବା ସହ କ୍ଷେତ୍ର ପରିକ୍ଷଣ କରିଥିଲେ ଭୁବନେଶ୍ବରକୁ ଆସିଥିବା ଏକ ୪ଜଣିଆ ଟିମ୍। ଏନେଇ ୩୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା କିନ୍ତୁ କୌଣସି କାରଣ ହେତୁ ଏହି କାର୍ଯ୍ୟ ହୋଇପାରିନାହିଁ। ଏବେ ସଂସ୍ଥାର ଆର୍ଥିକ ଦୁର୍ଗତି ଦେଇ ଗତି କରୁଥିବାବେଳେ ଏତେବଡ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା କଷ୍ଟକର। କରୋନା ଶେଷ ହେବା ପରେଏହାର ଯଦି କ’ଣ ବିକାଶ ହେବ ତାହା ଜଣା ପଡିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର