ପାରଳାଖେମୁଣ୍ଡି: ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପାରଳାଖେମୁଣ୍ଡିର ରାଜା ଗୋପିନାଥ ଗଜପତି ନାରାୟଣ ଦେବଙ୍କ ଦେହାନ୍ତ ହେବାର ଦିନକ ପରେ ତାଙ୍କ ଝିଅ କଲ୍ୟାଣୀ ଦେବୀଙ୍କର ଶନିବାର ରାଜ୍ୟାଭିଷେକ କରାଯାଇଛି । ପରଳା ରାଜମୁକୁଟ ପିନ୍ଧିବାରେ କଲ୍ୟାଣୀ ଦେବୀ ହେଉଛନ୍ତି ପ୍ରଥମ ମହିଳା। ପୂର୍ବରୁ କେହି ମହିଳା ପାରଳାଖେମୁଣ୍ଡି ରାଜ ପରିବାରରେ ଏହି ମୁକୁଟ ଧାରଣ କରି ନ ଥିଲେ।
ଗତ ବର୍ଷ ଫେବ୍ରୁଆରି ମାସରେ ବିଜେଡି ଯୋଗ ଦେଇଥିବା କଲ୍ୟାଣୀ ଦେବୀ ୨୦୧୯ ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ନିର୍ବାଚନ ଲଢ଼ିଥିଲେ। ତାଙ୍କୁ କଂଗ୍ରେସ ପ୍ରତିଦ୍ବନ୍ଦ୍ବୀ କେ ସୂର୍ଯ୍ୟା ରାଓ ହରାଇଥିଲେ। ୨୦୧୭ ମସିହାରେ ପବିତ୍ର ରଥଯାତ୍ରା ସମୟରେ କଲ୍ୟାଣୀ ଦେବୀ ଛେରାପହଁରା କରି ଚର୍ଚ୍ଚାରେ ରହିଥିଲେ।
ରାଜା ଗୋପିନାଥ ଗଜପତି ଦୀର୍ଘ ୩ ବର୍ଷ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦଘାତ ଓ ପକ୍ଷଘାତ ଭଳି ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ହୃଦଘାତ ଯୋଗୁଁ ଶୁକ୍ରବାର ଭୋର୍ ୪ଟା ୧ ମିନିଟ୍ ସମୟରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କର ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି।
![]()
୧୯୪୩ ମସିହା ମାର୍ଚ ୬ ତାରିଖରେ ଜନ୍ମିତ ଗୋପୀନାଥ ଗଜପତି ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ତଥା ସ୍ବାଧୀନତା ପୂର୍ବର ଭାଷା ଆନ୍ଦୋଳନର ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପରେ ୧୯୭୪ ମସିହା ମେ ୨୬ ତାରିଖରେ ୧୪ତମ ରାଜା ଭାବେ ଅଭିଷିକ୍ତ ହୋଇଥିଲେ। କଂଗ୍ରେସର କିଛି ନେତାଙ୍କ ଅନୁରୋଧ ରଖି ସେ ସକ୍ରିୟ ରାଜନୀତିକୁ ଓହ୍ଲାଇଥିଲେ। କଂଗ୍ରେସ ଦଳ ପକ୍ଷରୁ ସେ ୧୯୮୯ ଲୋକସଭା ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ପରେ ୧୯୯୧ ମସିହାରେ ପୁନର୍ବାର କଂଗ୍ରେସରୁ ପ୍ରାର୍ଥୀ ହୋଇ ୧୦ମ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୧୯୯୮ ମସିହାରେ ଦ୍ବାଦଶ ଲୋକସଭା ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନକୁ ଓହ୍ଲାଇଥିଲେ ହେଁ ପରାଜୟ ବରଣ କରିଥିଲେ। କିଛି ବର୍ଷ ରାଜନୀତିରୁ ଦୂରେଇ ରହିବା ପରେ ସେ ବିଜେଡିକୁ ଫେରିଥିଲେ। ୨୦୧୬ରେ ତାଙ୍କୁ ନଜରବନ୍ଦୀ କରି ରଖାଯାଇଥିବା ଅଭିଯୋଗ ଆସିବା ପରେ ଏହା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ସେବେଠାରୁ ଚିକିତ୍ସା ବ୍ୟବସ୍ଥା କରାଯାଇଥିଲା। ପ୍ରଥମେ ଚେନ୍ନାଇର ଆପୋଲୋରେ ଚିକିତ୍ସିତ ହେବା ପରେ ୨୦୧୭ ମସିହା ଜାନୁଆରି ୬ ତାରିଖରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲ୍କୁ ଚିକିତ୍ସା ପାଇଁ ଆସିଥିଲେ। ସେବେଠାରୁ ସେ ହସ୍ପିଟାଲ୍ର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତର ବି.ଆର୍ ଦାସଙ୍କ ନେତୃତ୍ବରେ ଗଠିତ ଏକ ଡାକ୍ତରୀ ଦଳ ଦ୍ବାରା ଚିକିତ୍ସିତ ହେଉଥିଲେ। ପ୍ରାୟ ଅଢ଼େଇ ବର୍ଷ ହେଲା ସେ କାହା ସହ କଥାବାର୍ତା ମଧ୍ୟ କରୁ ନଥିଲେ। ମୃତ୍ୟୁ ବେଳକୁ ତାଙ୍କ ଝିଅ ତଥା ରାଜକୁମାରୀ କଲ୍ୟାଣୀ ଦେବୀ ଏବଂ ଗଜପତିଙ୍କ ମ୍ୟାନେଜର ତାଙ୍କ ନିକଟରେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Kalyani-11_Thumb-Copy.jpg)