ସୁନ୍ଦରଗଡ଼: ରକ୍ତଶିକୁଳି ଆକ୍ରାନ୍ତ ପୁଅକୁ ଜନ୍ମଦେଲୁ କହି ଘରୁ ତଡ଼ିଦେଲେ ସ୍ବାମୀ। ପୁଅକୁ ନେଇ ଦୁନିଆ ଦାଣ୍ଡରେ ଏକା ଏକା ବାଟ ଚାଲିବାକୁ ଚେଷ୍ଟା କଲେ। ଆଶା ଥିଲା, ପୁଅ ବଡ଼ ହେଲେ ସାହାରା ମିଳିଯିବ। ହେଲେ ତାଙ୍କ କପାଳରେ ଯେମିତି ଦୁଃଖ ଲେଖା ଥିଲା। ରକ୍ତଶିକୁଳି ରୋଗ ତାଙ୍କ କୋଳରୁ ଛଡ଼ାଇ ନେଇଗଲା ପୁଅକୁ। ସେଦିନ ଛାତିକୁ ପଥର କରି ପୁଅ ମୁହଁରେ ନିଆଁଦେବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ ସେ। ସଂସାର ଉଜୁଡ଼ିଯିବା ପରେ ମୃତ୍ୟୁ ହିଁ ଶ୍ରେୟସ୍କର ଭାବି ନେଇଥିଲେ। କିନ୍ତୁ କିଛିଦିନ ପରେ ଏକ ନୂଆ ସ୍ବପ୍ନ ତାଙ୍କୁ ସେ ପଥରୁ ଟାଣି ଆଣିଲା। ଏହା ପରେ କଠିନ ସଂଘର୍ଷରୁ ସେ ସାଉଁଟିଲେ ଆକର୍ଷଣୀୟ ସଫଳତା। ସଂଘର୍ଷ ଭିତରୁ ସଫଳତାର କାହାଣୀ ଲେଖିଥିବା ଏହି ମହିଳା ଜଣକ ହେଲେ ସୁନ୍ଦରଗଡ଼ର କଲ୍ୟାଣୀ ସାହୁ (୫୦)। ଡାକଘର ସ୍ବଳ୍ପସଂଚୟ ଯୋଜନାର ଅଭିକର୍ତ୍ତା (ଏଜେଣ୍ଟ) ଭାବେ ସେ ସୁନ୍ଦରଗଡ଼ ସହରର ୪ ଶହ ମହିଳାଙ୍କୁ ଯୋଜନାରେ ଯୋଡ଼ିଛନ୍ତି। ତାଙ୍କଠୁ ପ୍ରେରଣା ପାଇଁ ୧୦ରୁ ଅଧିକ ମହିଳା ଘରୁ ବାହାରି ଏଜେଣ୍ଟ ସାଜି ରୋଜଗାର ମଧ୍ୟ କରୁଛନ୍ତି।
ବଡ଼ଗାଁ ବ୍ଲକ୍ ସାଲେପାଲିର କଲ୍ୟାଣୀ ଯୁକ୍ତ ଦୁଇରେ ଅକୃତକାର୍ଯ୍ୟ ହେବା ପରେ ପରିବାର ଲୋକେ ତାଙ୍କୁ ମାତ୍ର ୨୦ ବର୍ଷ ବୟସରେ ଟାଙ୍ଗରପାଲି ବ୍ଲକ୍ ତସଲାଡିହିରେ ବିବାହ କରାଇ ଦେଇଥିଲେ। ତସଲାଡିହି ଶ୍ବଶୁର ଘରେ ସୁଖରେ ସୁଖରେ କଟିଗଲା ୫ ବର୍ଷ। ଏହା ଭିତରେ କୋଳକୁ ଆସିଲା ପୁଅ ତୁଷାରକାନ୍ତ। ତେବେ ସେ ବାରମ୍ବାର ଅସୁସ୍ଥ ହେବାରୁ ଡାକ୍ତରଖାନା ନେଇ ପରୀକ୍ଷା କରାଇଥିଲେ। ସେଇଠି ପୁଅ ରକ୍ତଶିକୁଳି ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଚିନ୍ତାରେ ପଡ଼ିଥିଲେ। ଚିକିତ୍ସା ଓ ପୁଅର ପାଠପଢ଼ା ପାଇଁ କଲ୍ୟାଣୀକୁ ନେଇ ସ୍ବାମୀ ସୁନ୍ଦରଗଡ଼ ସହର ପତ୍ରାପଡ଼ା ଭଉଣୀଘରକୁ ଚାଲି ଆସିଥିଲେ। ସେଠାରେ ରହିବା ଭିତରେ ରୋଗାକ୍ରାନ୍ତ ପୁଅକୁ ଜନ୍ମଦେଇଛୁ, ଏହା ମୋ’ ପୁଅ ନୁହେଁ କହି ସ୍ବାମୀ ସବୁ ଦୋଷ କଲ୍ୟାଣୀଙ୍କ ଉପରେ ଲଦି ଗଣ୍ଡଗୋଳ କରୁଥିଲେ। ତଥାପି ପୁଅ ପାଇଁ କଲ୍ୟାଣୀ ସବୁ ସହି ସ୍ବାମୀଙ୍କ ପାଖରେ ପଡ଼ି ରହିଥିଲେ। କିନ୍ତୁ ଦିନେ ପୁଅ ସହ ଘରୁ ବାହାର କରିଦେଲେ ତାଙ୍କୁ। ସେତେବେଳେ ପୁଅକୁ ୧୪ ବର୍ଷ। କଲ୍ୟାଣୀ ଭାଗ୍ୟକୁ ଆଦରି ସହରର ଆଦର୍ଶନଗରକୁ ଚାଲି ଆସିଥିଲେ। ସେଠାରେ ଘରଭଡ଼ା ନେଇ ରହିଥିଲେ ପୁଅ ସହ। କେମିତି ଚଳିବେ ସେ ନେଇ ଚିନ୍ତାରେ ଥିବାବେଳେ ପରିଚୟ ହୋଇଥିଲା ଡାକଘର କର୍ତ୍ତୃପକ୍ଷଙ୍କ ସହ।
ଅଭିକର୍ତ୍ତା ଭାବେ ସ୍ବାବଲମ୍ବୀ ହେବାର ବାଟରେ ପାଦ ପଡ଼ିଥିଲା ତାଙ୍କର। ଘରଘର ବୁଲି ମହିଳାଙ୍କୁ ସ୍ବଳ୍ପସଂଚୟ ଯୋଜନାର ଲାଭ ସମ୍ପର୍କରେ ବୁଝାଇ ମହିଳା ସମୃଦ୍ଧି ବା ମହିଳା ପ୍ରଧାନ କ୍ଷେତ୍ରୀୟ ଯୋଜନାରେ ଡାକଘରେ ଜମା କରିବାକୁ ପ୍ରବର୍ତ୍ତାଇଲେ। ପ୍ରତିଦିନ ମହିଳାମାନଙ୍କୁ ଭେଟି ସଞ୍ଚୟ ରାଶି ସଂଗ୍ରହ କରି ଡାକଘରେ ମାସିକ ଜମାଦେବା ତାଙ୍କ ରୁଟିନ୍ ହୋଇଗଲା। ଆରମ୍ଭରେ ମାସିକ ରୋଜଗାର ଥିଲା ମାତ୍ର ୫ ଶହ ଟଙ୍କା। ଧୀରେ ଧୀରେ ଜମାକାରୀଙ୍କ ସଂଖ୍ୟା ସହ ତାଙ୍କ କମିସନ୍ ରୋଜଗାର ବି ବଢ଼ିଲା। ଆଦର୍ଶନଗର ଭଡ଼ାଘରେ ମାତ୍ର ୨ ବର୍ଷ ରହିବା ପରେ ଲୁହୁରାଢିପା ହାଉସିଂବୋର୍ଡ କଲୋନିରେ ଏକ ପୁରୁଣାଘରକୁ କିଣି ମା’ପୁଅ ରହିଲେ। ସାଇକଲରେ ଘରଘର ବୁଲୁଥିବା କଲ୍ୟାଣୀ ପରେ ସ୍କୁଟି କିଣିଲେ। ରାତିପାହିଲେ ସ୍କୁଟିରେ ଘର, ଛୋଟ ଦୋକାନକୁ ଯାଇ ଜମାରାଶି ସଂଗ୍ରହ କରିଚାଲିଲେ। ଏପଟେ ପୁଅ ବି ଭଲ ପାଠ ପଢ଼ୁଥିବାରୁ କଲ୍ୟାଣୀ ମନରେ ଅନେକ ସ୍ବପ୍ନ ବୁଣି ପକାଇଥିଲେ। କଲେଜ ପାଠ ପରେ ପୁଅର ଇଚ୍ଛାନୁସାରେ ବେଙ୍ଗାଲୁରୁରେ କାର୍ଟୁନ ପାଠ୍ୟକ୍ରମରେ ନାମ ଲେଖାଇ ଦେଇଥିଲେ। କିନ୍ତୁ ତାଙ୍କ କପାଳରେ ଦୁଃଖ ହିଁ ଲେଖାଥିଲା। ୨୦୨୧ ସେପ୍ଟେମ୍ବରରେ ପୁଅ ୨୩ ବର୍ଷ ବୟସରେ ଆଖି ବୁଜିଦେଲା। କଲ୍ୟାଣୀଙ୍କ ସବୁ ସୁଖ ସରିଗଲା। ଆଉ ଜୀବନ ରଖି କି ଲାଭ ବୋଲି ଭାବି ନେଇଥିଲେ। ହେଲେ ପରେ ତାଙ୍କ ସାମନାରେ ଅନେକ ଅସହାୟଙ୍କ ଛବି ଭାସି ଆସି ବଞ୍ଚିବାର ଆହ୍ବାନ ଦେଇଥିଲେ। କଲ୍ୟାଣୀ ଶେଷ ଜୀବନରେ ସେମାନଙ୍କ ପାଇଁ କାମ କରିବାର ସ୍ବପ୍ନ ନେଇ ପୁଣି ଉଠିଲେ। ଏବେ ତାଙ୍କ ମାସିକ ରୋଜଗାର ୧ ଲକ୍ଷ ୨୦ ହଜାର। ନିଜ ଖର୍ଚ୍ଚ କାଟି ବାକି ଟଙ୍କା ସେ ଜମା ରଖୁଥିବାବେଳେ ସେହି ଅର୍ଥ ଅସହାୟଙ୍କ ସେବାରେ ଲଗାଇବେ ବୋଲି କହିଛନ୍ତି କଲ୍ୟାଣୀ। ସଂଘର୍ଷ ଭିତରୁ ସଫଳତା ପାଇଥିବା କଲ୍ୟାଣୀଙ୍କୁ ସ୍ବାବଲମ୍ବୀ ଓ ମହିଳା ସଶକ୍ତୀକରଣର ଜୀବନ୍ତ ପ୍ରତୀକ ଭାବେ ଅନେକ ଅନୁଷ୍ଠାନ ସହ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ଏବେ ବହୁ ମହିଳାଙ୍କ ପ୍ରେରଣା ସାଜିଛନ୍ତି କଲ୍ୟାଣୀ।