କଲ୍ୟାଣ ମଣ୍ଡପ ଓ ପେଟ୍ରୋଲ୍‌ ପମ୍ପ ସିଲ୍

ବାରିପଦା: ବିନା ଅନୁମୋଦନରେ ବାରିପଦା ସହରରେ ମନଇଛା କୋଠାବାଡ଼ି ନିର୍ମାଣ ଚାଲିଛି। କିଏ କଲ୍ୟାଣ ମଣ୍ଡପ ନିର୍ମାଣ କରିଛି ତ ଆଉ କିଏ ପେଟ୍ରୋଲ ପମ୍ପ। ଏ ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଟାଉନ୍‌ ପ୍ଲାନିଂ କର୍ତ୍ତୃପକ୍ଷ ଓ ପୌର ପରିଷଦ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ କରାଯାଉନଥିବା ସଂପର୍କରେ ଗତ ମାସ ୧୭ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ତେବେ ବିଳମ୍ବରେ ହେଉ ପଛେ ଖବର ପ୍ରକାଶ ପରେ ପୌର ପରିଷଦ ଆକ୍ସନ୍‌ ମୁଡ୍‌କୁ ଆସିଛି। ଆଜି ରଘୁନାଥପୁର ଅଞ୍ଚଳରେ ଚଢ଼ଉ କରାଯାଇ ଦୁଇଟି କଲ୍ୟାଣ ମଣ୍ଡପ ଓ ଗୋଟିଏ ପେଟ୍ରୋଲ ପମ୍ପ୍‌କୁ ସିଲ୍ କରାଯାଇଛି। ବିଲଡିଂ ପ୍ଲାନିଂ ଅନୁମତି ନନେଇ ଚାଲିଥିବା ସୁଭଦ୍ରା ମଣ୍ଡପ ଓ ନର୍ମଦା ମଣ୍ଡପ ସହ ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପକୁ ମାଜିଷ୍ଟ୍ରେଟ୍ ଓ ପୁଲିସ ଉପସ୍ଥିତିରେ ସିଲ୍ କରଯାଇଛି।

ବିଲଡିଂ ପ୍ଲାନିଂ ବିନା ଅନୁମତିରେ କୋଠାବାଡି ନିର୍ମାଣ ହୋଇ ପାରିବନାହିଁ। ଯେଉଁମାନେ ବିନା ଅନୁମତିରେ ନିର୍ମାଣ କରିଛନ୍ତି କି କରୁଛନ୍ତି ସେମାନେ ତୁରନ୍ତ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଯଦି କେହି ନିୟମ ଅମାନ୍ୟ କରନ୍ତି ତାହା ହେଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପୌରନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଅନ୍ୟା ଦାସ। ସହର ମଧ୍ୟରେ ବିନା ପ୍ଲାନିଂରେ ଚାଲିଥିବା କୋଠାବାଡି ନିର୍ମାଣ, କଲ୍ୟାଣ ମଣ୍ଡପ ଓ ପେଟ୍ରୋଲ ପମ୍ପ୍‌ରେ ନିୟମିତ ଯାଞ୍ଚ ହେବ ବୋଲି ସେ କହିଛନ୍ତି। ପୌର ପ୍ରଶାସନର ଆଜି ଚଢଉକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ତେବେ ବିନା ପ୍ଲାନିଂରେ ବହୁ ପ୍ରଭାବଶାଳୀ ଓ ରାଜନେତା କୋଠାବାଡ଼ି ଓ ବ୍ୟବସାୟୀ ପ୍ରତିଷ୍ଠାନ ନିର୍ମାଣ କରିଥିବାରୁ ସେମାନଙ୍କ ପାଖରେ ପୌର ‌ପ୍ରଶାସନ ପହଞ୍ଚି ପାରୁଛି କି ନାହିଁ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର