କାମାକ୍ଷାନଗର ଏନଏସି ଜେଇଙ୍କ ବିରୋଧରେ ମିଥ୍ୟା ଲାଞ୍ଚ ମାମଲା : କନିଷ୍ଠ ଯନ୍ତ୍ରୀଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ

ମାନବାଧିକାର କମିସନଙ୍କ ଐତିହାସିକ ରାୟ

 

ଠିକାଦାରଙ୍କୁ କଳାତାଲିକାଭୁକ୍ତ କରାଯାଉ
ସାକ୍ଷୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ସୁପାରିସ୍‌
କ୍ଷତିପୂରଣ ଟଙ୍କା ରେଡକ୍ରସକୁ ଦାନ ଦେବାକୁ କମିସନଙ୍କ ଅନୁରୋଧ

ଭୁବନେଶ୍ୱର/ କାମାକ୍ଷନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନ୍‌ଏସିର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କ ବିରୋଧରେ ମିଥ୍ୟା ଲାଞ୍ଚ ମାମଲା ଅଭିଯୋଗର ଶୁଣାଣି କରି ରାଜ୍ୟ ମାନବାଧିକାର କମିସନ ଆଜି ଏକ ଐତିହାସିକ ରାୟ ପ୍ରକାଶ କରିଛନ୍ତି। କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ରଙ୍କୁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଚଢ଼ଉରେ ସାମିଲ ଥିବା ଢେଙ୍କାନାଳ ଭିଜିଲାନ୍ସ ଡିଭିଜନ୍‌ର ପୂର୍ବତନ ଡିଏସପି ହିମାଂଶୁ ଶେଖର ମିଶ୍ରଙ୍କଠାରୁ ଏହି ଟଙ୍କା ଆଦାୟ କରି ରାଜେନ୍ଦ୍ରଙ୍କୁ ଦେବା ଲାଗି ରାୟରେ ଉଲ୍ଲେଖ କରିଛନ୍ତି କମିସନ୍‌। ଖାଲି ସେତିକି ନୁହେଁ, କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଠିକାଦାର ସୁରେଶ ନାୟକଙ୍କୁ କଳା ତାଲିକାଭୁକ୍ତ କରିବା ସହ ଭବିଷ୍ୟତରେ ଯେପରି କୌଣସି ସରକାରୀ ଠିକା କାମ ନ ମିଳେ, ସେଥିଲାଗି ସରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସୁପାରିସ୍ କରିଛନ୍ତି। ଲାଞ୍ଚ ମାମଲାରେ ଗିରଫ ନେଇ ତାଙ୍କର ଯେଉଁ ମର୍ଯ୍ୟାଦା, ପ୍ରତିଷ୍ଠା କ୍ଷୁଣ୍ଣ ହୋଇଛି, ତାହାର ଭରଣା କରିବା ଲାଗି କ୍ଷତିପୂରଣ ଟଙ୍କାକୁ ଜିଲ୍ଲା ରେଡକ୍ରସ୍‌କୁ ଦାନ କରିବା ପାଇଁ ରାଜେନ୍ଦ୍ରଙ୍କୁ କମିସନ ଅନୁରୋଧ କରିଛନ୍ତି।

ଅଭିଯୋଗରୁ ଜଣାପଡ଼ିଛି, କାମାକ୍ଷାନଗର ଏନ୍‌ଏସିର ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର ଠିକାଦାର ସୁରେଶ ନାୟକଙ୍କଠାରୁ ଲାଞ୍ଚ ନେବା ଅଭିଯୋଗରେ ୨୦୧୭ ମାର୍ଚ୍ଚ ୨୪ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା। ଠିକାଦାରଙ୍କ ବିଲ୍ କରାଇଦେବା ପାଇଁ ୨୫ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲେ ରାଜେନ୍ଦ୍ର। କିନ୍ତୁ ଜେଲରୁ ଫେରିବା ପରେ ଏହି ମାମଲାର ଗୁମର ଖୋଲିଥିଲା। ଠିକାଦାରଙ୍କ ପ୍ରକୋଷ୍ଠରେ ଲାଗିଥିବା ସିସିଟିଭି କ୍ୟାମେରାରୁ ପୂରା ଘଟଣା ପଦାକୁ ଆସିଥିଲା। ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି ସ୍ପଷ୍ଟ ହୋଇଥିଲା। ଠିକାଦାରଙ୍କ ଷଡ଼ଯନ୍ତ୍ରରେ ଭିଜିଲାନ୍ସ ଡିଏସପି ହିମାଂଶୁ ଶେଖର ମିଶ୍ର ମିଥ୍ୟା ମାମଲା ରୁଜୁ କରିଥିବା ଅଭିଯୋଗ ଆଣି ୨୦୧୭ ଜୁଲାଇ ୭ ତାରିଖରେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ମିଶ୍ର। ଏଥିସହ ତାଙ୍କ ଅଫିସ୍‌ ପ୍ରକୋଷ୍ଠରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଦାଖଲ କରିଥିଲେ।

ରାଜେନ୍ଦ୍ର ଅଭିଯୋଗରେ ଦର୍ଶାଇଥିଲେ, ୨୦୧୭ ମାର୍ଚ୍ଚ ୨୪ ତାରିଖରେ ଭିଜିଲାନ୍ସ ଡିଏସପି ହିମାଂଶୁ ମିଶ୍ର କନଷ୍ଟେବଳ ଉଦ୍ଧବ ଚରଣ ଲେଙ୍କା, ଶ୍ରୀନିବାସ ବିଶ୍ବାଳ ଓ ଡ୍ରାଇଭର ହୋମଗାର୍ଡ ସୁରେନ୍ଦ୍ର ଧଳ ଠିକାଦାର ସୁରେଶଙ୍କ ସହ ଯାଇ ତାଙ୍କ ଅଫିସରେ ଚଢ଼ଉ କରିଥିଲେ। ଲାଞ୍ଚ ମାମଲାରେ ଏହି ଚଢ଼ଉ କରାଯାଇଥିଲା ଡିଏସପି କହିଥିଲେ। ଅଫିସ୍‌ରେ ଖାନତଲାସି ବେଳେ କିଛି ମିଳି ନ ଥିଲା। ଡିଏସପିଙ୍କ ଉପସ୍ଥିତିରେ ଠିକାଦାର ରାଜେନ୍ଦ୍ରଙ୍କୁ ମାଡ଼ ମାରିଥିଲେ। ଏହା ପରେ ଡିଏସପି ଓ ଭିଜିଲାନ୍ସ କର୍ମଚାରୀ ଅଫିସ ପ୍ରକୋଷ୍ଠରୁ ବାହାରି ଆସିଥିଲେ। କିନ୍ତୁ ଠିକାଦାର ସେହି ରୁମରେ ଉପସ୍ଥିତ ଥିଲେ। ଅପରାହ୍‌ଣ ପ୍ରାୟ ୬ଟାରେ କନଷ୍ଟେବଳ ଓ ଡ୍ରାଇଭର ରାଜେନ୍ଦ୍ରଙ୍କ ପ୍ରକୋଷ୍ଠ ଭିତରକୁ ପୁଣି ପଶିଥିଲେ। ହାତରେ କିଛି ଧରି କନିଷ୍ଠ ଯନ୍ତ୍ରୀଙ୍କ ଟେବୁଲ ଡ୍ରୟାରରେ ରଖିଥିଲେ। କିଛି ସମୟ ପରେ ଡ୍ରୟାର ଖୋଲି ୨୫ ହଜାର ଟଙ୍କା ବିଡ଼ା ଧରି ବାହାରିଥିଲେ। ଡିଏସପି ଏକ ସାଦା କାଗଜରେ ରାଜେନ୍ଦ୍ରଙ୍କ ଜୋର ଜବରଦସ୍ତ ଦସ୍ତଖତ ନେବା ପରେ ଗିରଫ କରି କୋର୍ଟଚାଲାଣ କରିଥିଲେ। ସିସିଟିଭି ଫୁଟେଜ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଥିଲା। ତତ୍କାଳୀନ ଭିଜିଲାନ୍ସ ଡିଆଇଜି ଅମିତେନ୍ଦ୍ର ନାଥ ସିହ୍ନା ଏହି ତଦନ୍ତ କରିବା ସହ ସିସିଟିଭି ଫୁଟେଜ ଜବତ କରିଥିଲେ। ଏହି ଚଢ଼ଉ ପଛରେ ଷଡ଼ଯନ୍ତ୍ରର ଗନ୍ଧ ବାରିଥିଲେ ସେ।

ପୂରା ଘଟଣାର ତଦନ୍ତ ରିପୋର୍ଟ, ସବୁ ପକ୍ଷଙ୍କ ବୟାନ, ସିସିଟିଭି ଫୁଟେଜକୁ ଆଧାର କରି ଆଜି ମାନବାଧିକାର କମିନସନ ଅଧ୍ୟକ୍ଷ ଜଷ୍ଟିସ୍ ବି.ପି ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। କନଷ୍ଟେବଳ ଉଦ୍ଧବ ଚରଣ ଲେଙ୍କା, ଶ୍ରୀନିବାସ ବିଶ୍ବାଳ ଓ ଡ୍ରାଇଭର ସୁରେନ୍ଦ୍ର ଧଳ ଶୁଣାଣି ସମୟରେ ନିଜ ବୟାନରେ କହିଥିଲେ ଉପରିସ୍ଥ ଅଧିକାରୀଙ୍କ ଆଦେଶକୁ ପାଳନ କରି ସେମାନେ ଏଭଳି କରିଥିଲେ। ଭବିଷ୍ୟତରେ ଏହି ତିନି ଜଣଙ୍କୁ ଏଭଳି ଡ୍ୟୁଟିରେ ନ ପଠାଇବା ଲାଗି କମିସନ କହିଛନ୍ତି। ଏହା ସହ ମାମଲାର ସାକ୍ଷୀ ପଡ଼ିଥିବା ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ହେମନ୍ତ ସୁରି ଓ କିରାଣି ବୀରକିଶୋର ବେହେରାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି କମିସନ ସୁପାରିସ୍‌ କରିଛନ୍ତି। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଓ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ କମିସନ୍‌ ରାୟରେ ନିର୍ଦ୍ଦେଶ ଦେଇଥିବା ବେଳେ ଏ ସମ୍ପର୍କରେ ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ଅବଗତ କରିବା ଲାଗି କମିସନ କହିଛନ୍ତି। କମିସନଙ୍କ ଏହି ଐତିହାସିକ ରାୟକୁ ଅଭିଯୋଗକାରୀ କନିଷ୍ଠ ଯନ୍ତ୍ରୀ ରାଜେନ୍ଦ୍ର ମିଶ୍ର ସ୍ବାଗତ କରିଛନ୍ତି। ବିଳମ୍ବରେ ହେଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳିଥିବା ସେ କହିଛନ୍ତି। କମିସନ୍‌ଙ୍କ ନିକଟରେ କୃତଜ୍ଞ ଜଣାଇଛନ୍ତି। ରାଜ୍ୟ ସରକାର ଓ ଭିଜିଲାନ୍ସ ବିଭାଗକୁ ଆନ୍ତରିକତା ସହ ଧନ୍ୟବାଦ ଜଣାଇଛନ୍ତି। କ୍ଷତିପୂରଣ ଟଙ୍କା ମିଳିବା ପରେ ଏହାକୁ ସେ ଗରିବ କଲ୍ୟାଣ ଦିଗରେ ଖର୍ଚ୍ଚ କରିବେ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର