କାମାକ୍ଷାନଗର: ବୁଧବାର ସକାଳେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର କଦଳୀପାଳ ଗାଁର ଜଣେ ବ୍ୟକ୍ତିଙ୍କୁ ଗୋଟାଏ ଦନ୍ତାହାତୀ ମାରି ପକାଇଛି।

Advertisment

ମୃତ ବ୍ୟକ୍ତିଜଣକ ହେଉଛନ୍ତି ୫୫ ବର୍ଷିୟ ଗୌରାଙ୍ଗ ପଲେଇ। ସକାଳେ ସେ ଜଙ୍ଗଲକୁ ଲାଗିଥିବା ତାଙ୍କ ଘରପଛ ଆଡ଼ ବାରିରେ ଥିବା ବେଳେ ଦନ୍ତାହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀଟି ତାଙ୍କୁ ଥୋଡ଼ପାହାଡ଼ରେ ଉଠାଇ ଫିଙ୍ଗିବା ସହ ଗୋଡ଼ରେ ଦଳି ପକାଇଛି। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି। ଘଟଣା ସକାଳ ୮ଟାରେ ଘଟିଥିଲେ ବି ସରକାରୀ ଅଧିକାରୀମାନେ ୧୦ଟା ପରେ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ବଣୁଆ ହାତୀମାନେ ବହୁଦିନ ହେବ ଏ ଅଞ୍ଚଳକୁ ପଶି ଆସି ଉତ୍ପାତ କରୁଛନ୍ତି, କିନ୍ତୁ ଏହାର ନିରାକରଣ ନିମନ୍ତେ ବନ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏହାର ପ୍ରତିବାଦରେ ସ୍ଥାନୀୟ ଗ୍ରାମବାସୀ ଭାଲୁମୁଣ୍ଡା-ସାନ୍ଦା ରାସ୍ତା ଅବରୋଧ କରି ବସିଛନ୍ତି।

କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ତୁମୋସିଂହା ଥାନା ଅଧିକାରୀ ବିଷ୍ଣୁଚରଣ ବାରିକ ଲୋକମାନଙ୍କୁ ବୁଝାଶୁଝା କରାଉଛନ୍ତି।