କାମକ୍ଷାନଗର: କ୍ଷୀର ଗାଡ଼ି ପଛୁଆ ମାଡ଼ି ଯିବାରୁ ଜଣେ ଗୁରୁତର

କାମାକ୍ଷାନଗର: ଆଜି ସକାଳେ ଏକ କ୍ଷୀର ଗାଡ଼ି ଧକ୍କା ଦେବା ଯୋଗୁଁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ଜଗନ୍ନାଥ ବଜାରରେ ଜଣେ ବ୍ୟକ୍ତି ସାଙ୍ଘାତିକ ଆହତ ହୋଇଛନ୍ତି।

ଆହତ ବ୍ୟକ୍ତିଜଣକ ହେଉଛନ୍ତି କାମାକ୍ଷାନଗର ବାସିନ୍ଦା ତରାମତ ଅଲ୍ଲୀ। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ନିମନ୍ତେ ପୁଣି ତାଙ୍କୁ କଟକସ୍ଥିତ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ କାମାକ୍ଷାନଗର ଛକରେ ଥିବା ଏକ ଦୋକାନରେ କ୍ଷୀର ଦେବା ପରେ ଯିବା ପାଇଁ ପଛୁଆ ପଛୁଆ ବୁଲୁଥିବା ପ୍ରଗତି ମିଲ୍‌କ୍‌ ଭ୍ୟାନ୍‌ ପୂର୍ବରୁ ସେଠାରେ ରାସ୍ତା ଧାରକୁ ଲାଗି ବସିଥିବା ତରାମତ୍‌ଙ୍କ ଉପରେ ଚଢ଼ି ଯାଇଥିଲା। ଲୋକେ ପାଟି କରିବାରୁ ଡ୍ରାଇଭର୍‌ ହଡ଼ବଡ଼େଇ ଯାଇ ଆଗୁଆ ଗାଡ଼ି ଚଳାଇ ଦେବାରୁ ଚକା ତଳେ ଚାପା ଖାଇଥିବା କରାମତ୍‌ଙ୍କ ଉପରେ ପୁଣି ଥରେ ଚକ ଆଗୁଆ ଚଢ଼ି ଗଲା। ଭୟରେ ଡ୍ରାଇଭର୍‌ ଗାଡ଼ି ଚଳାଇ ସେଠାରୁ ପଳାଇ ଯାଉଥିବା ବେଳେ ଲୋକେ ଗୋଡ଼ାଇ ଗୋଡ଼ାଇ ତାକୁ ଅଟକାଇ ଥିଲେ। କୌଣସି ମତେ ଡ୍ରାଇଭର୍‌ ଗାଡ଼ି ଛାଡ଼ି ଫେରାର ହୋଇ ଯାଇଛି।

ଉତ୍ତ୍ୟକ୍ତ ଲୋକେ ସେ ଗାଡ଼ିକୁ ଭଙ୍ଗାଭଙ୍ଗି କରିବା ସହ କ୍ଷତିପୂରଣ ଦାବି କରି ଢେଙ୍କାନାଳ-କାମାକ୍ଷାନଗର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି।
କାମାକ୍ଷାନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରାଉଛନ୍ତି।

ସମ୍ବନ୍ଧିତ ଖବର