ଗୋଳନ୍ଥରା/ବୁର୍ଲା/ସମ୍ବଲପୁର : ସମ୍ବଲପୁରର ଜଣାଶୁଣା କ୍ରିକେଟର୍ ତଥା ବୁର୍ଲାନିବାସୀ କମଳ ବାହାଦୂର (୩୦)ଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଧୀନ ପାଲୁର୍‌ହିଲ୍ ପଥର ଖାଦାନ ଭିତରେ ସୃଷ୍ଟ କୃତ୍ରିମ ପୋଖରୀରେ ବୁଡ଼ି ଗତକାଲି ମଧ୍ୟାହ୍ନରେ ସେ ପ୍ରାଣ ହରାଇଥିଲେ। ହେଲେ ତାଙ୍କ ମୃତ୍ୟୁ ଓ ପାରିପାର୍ଶ୍ବିକ ପରିସ୍ଥିତି ସନ୍ଦେହ ସୃଷ୍ଟି କରୁଥିବାରୁ ପରିବାର ଲୋକେ ହତ୍ୟା ଆଶଙ୍କା କରୁଛନ୍ତି। ବ୍ରହ୍ମପୁର ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। କମଳଙ୍କ ଏଭଳି ଅକାଳ ମୃତ୍ୟୁକୁ ତାଙ୍କ ପରିବାରବର୍ଗ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହାପଛରେ ନିଶ୍ଚିତ କିଛି ଷଡ଼୍‌ଯନ୍ତ୍ର ରହିଛି ଓ ତ‌ାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ଦାବି କରିଛନ୍ତି।

Advertisment

ସେହିପରି କମଳ ଯଦି ଗାଧୋଇବାର ଥିଲା, ତା’ହେଲେ ସେ ଜିନ୍ସ ପ୍ୟାଣ୍ଟ୍ ପିନ୍ଧି କାହିଁିକି ପୋଖରୀ ଭିତରେ ପଶିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି। ତାଙ୍କ ନାକ ଭିତରେ ବାଲି ଭର୍ତ୍ତି ହୋଇଥିବା ବେଳେ ପାଟିର ଉଭୟ ପାର୍ଶ୍ବରୁ ରକ୍ତ ବାହାରୁଛି। କିଭଳି ଓ କେଉଁ ପରିସ୍ଥିତିରେ କମଳଙ୍କ ମୃତ୍ୟୁ ଘଟିଛି ଏହାର ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବାକୁ ପରିବାରବର୍ଗ ଗୋଳନ୍ଥରା ଥାନାରେ ମୌଖିକ ଅଭିଯୋଗ କରିଛନ୍ତି। ପାରିପାର୍ଶ୍ବିକ ସ୍ଥିତିକୁ ବିଚାରକୁ ନେଇ ଗୋଳନ୍ଥରା ଥାନାରେ କେସ୍ ନମ୍ବର ୧/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପ‌ରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ମହନ୍ତ କହିଛନ୍ତି।

ବ୍ରହ୍ମପୁର ନିକଟ ଘାଟିକାଳୁଆ ଅଞ୍ଚଳର ଜଣେ ଯୁବତୀଙ୍କ ସହ କମଲଙ୍କ ବାହାଘର ଠିକ୍ ହୋଇଥିଲା। ନିର୍ବନ୍ଧ ସରିଥିବା ବେଳେ କମଳ ଭାବି ପତ୍ନୀଙ୍କୁ ଭେଟିବାକୁ ମଝିରେ ମଝିରେ ଘାଟିକାଳୁଆକୁ ଆସୁଥିଲେ। ଗତମାସ ୨୪ ତାରିଖରେ କମଳ ଘାଟିକାଳୁଆ ଆସିଥିଲେ ଓ ଗତ ରବିବାର ଦିନ ଯୁବତୀଙ୍କ ଘରେ ଜନ୍ମଦିନ ପାଳନ କରିଥିଲେ। ଗତକାଲି ସକାଳ ୧୦ଟାରେ ସେ ତିନିଜଣଙ୍କ ସହ ମିଶି ପଥର ଖାଦାନରେ ପାଣି ଜମି ସୃଷ୍ଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗୋଟିଏ ପାର୍ଶ୍ବରୁ ଅନ୍ୟ ପାର୍ଶ୍ବକୁ ପହଁରି ପହଁରି ଯାଉଥିବାବେଳେ ମଝିରେ ବୁଡ଼ି ଯାଇଥିଲେ। ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ତୁରନ୍ତ ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। କମଳଙ୍କ ବିୟୋଗ ପରେ ତାଙ୍କ ମାଆ ସାବିତ୍ରୀ ସଂପୂର୍ଣ୍ଣ ଏକାକୀ ପାଲଟିଯାଇଛନ୍ତି।