କମଳାଙ୍କ କୋହ : ସବୁ ଦେଲି, କିଛି ପାଇଲିନି

ଜୟପୁର : ନୁଆଁଣିଆ ଚାଳଘର। ଦିନରେ ସୂର୍ଯ୍ୟ, ରାତିରେ ଚନ୍ଦ୍ର ଦୁଶୁଛି। ମାଟିକାନ୍ଥ ଫାଟି ଆଁ କରିଛି। କେତେ ବେଳେ ଯେ ଭାଙ୍ଗିଯିବ ତାହା କହିହେବ ନାହିଁ। ବର୍ଷ ବର୍ଷ ଧରି ସାଇତି ରଖିଥିବା ବିରଳ ଧାନ ବିହନକୁ ବିନା ସଂକୋଚରେ ଟେକିଦେଲେ। ସବୁକିଛି ଦେଇଦେଲେ କିନ୍ତୁ କିଛି ପାଇଲେନି। ଏବେ କେବଳ ଭାଗ୍ୟକୁ ନିନ୍ଦି ପଡି ରହିଛନ୍ତି। ଏହା ହେଉଛି ଯୋଜନା ବୋର୍ଡ ସଦସ୍ୟ ରୂପେ ମନୋନୀତି କମା ପୂଜାରୀଙ୍କ କୋହ।

ଦିନେ ଜଣେ ସଫଳ ମହିଳା ଚାଷୀ ହୋଇ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବିଶ୍ୱ ଦରବାରରେ ପହଞ୍ଚାଇ ପାରିଥିବା କମଳା ଏବେ ଅବହେଳାର ପରିଧି ଭିତରେ ଜୀବନ କାଟୁଛନ୍ତି। ଗତବର୍ଷ ପୁଅ ଟଙ୍କଧର ନାମରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ମିଳିଥିଲା। ହେଲେ ଅର୍ଥ ଅଭାବରୁ ଏହା ଏବେ ଅଧପନ୍ତରିଆ ଅବସ୍ଥାରେ ରହିଛି। ତେଣୁ ବାଧ୍ୟ ହୋଇ ଭଙ୍ଗା ଦଦରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ପାତ୍ରପୁଟ ଗାଁରେ ରହୁଛନ୍ତି ୭୨ବର୍ଷୀୟ ମହିଳା ଚାଷୀ କମଳା ପୂଜାରୀ। ବହୁ ପୁରୁଣା କିସମର ଧାନ ବିହନର ଜନନୀ ଭାବେ ପରିଚିତ। କମଳାଙ୍କ ଉଦ୍ୟମ କାରଣରୁ କଳାଜିରା, ଉମରିଆ ଚୁଡି, ବୟାଗୁଣ୍ଡା, ଆସାମଚୁଡି ଭଳି ବହୁ ବିରଳ କିସମର ଧାନ ବଂଚି ରହିଥିଲା। ଏହି ଧାନ ନିଜେ ଚାଷ କରିବା ସହ ଆଖପାଖ ଅଂଚଳରେ ଏହାର ଚାଷ ପାଇଁ ଲୋକଙ୍କୁ କହୁଥିଲେ। ଏହି ପାରମ୍ପରିକ ଧାନଚାଷର ମୌଳିକ ଜ୍ଞାନ ବି ତାଙ୍କ ପାଖରେ ରହିଥିଲା। ଏହି କଥା ସ୍ୱାମୀନାଥନ ରିସର୍ଚ ଫାଉଣ୍ଡେଶନର ବୈଜ୍ଞାନିକ ଜାଣିବା ପରେ କମଳାଙ୍କ ପାଖରୁ ଛୁଟି ଆସିଥିଲେ। କମଳାଙ୍କ ସହ ମିଶି ଚାଷ କରିଥିଲେ। ଏହି ଧାନଚାଷକୁ ନୂଆ ରୂପ ଦେବାକୁ କହିଥିଲେ। ଏହି ଘଟଣା ପରେ ରାତାରାତି ଚର୍ଚିତ ହୋଇ ପଡିଥିଲେ କମଳା ପୂଜାରୀ। ଏଥିପାଇଁ ଦେଶ ବିଦେଶରେ ତାଙ୍କୁ ସମ୍ମାନୀତ କରାଗଲା। ୨୦୦୪ରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷି ବିଷାରଦ ଭାବେ ସମ୍ମାନିତ କରାଯାଇଥିଲା। ଓଡ଼ିଶା ସରକାର ଭୁବନେଶ୍ୱରରେ କୃଷି ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀ ନିବାସଙ୍କୁ ନିକଟରେ ତାଙ୍କ ନାମରେ ନାମିତ କରିଥିଲେ। ଏବେ ତାଙ୍କୁ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ମଧ୍ୟ ମନୋନିତ କରାଯାଇଛି। ହେଲେ ଏହି ପଦବି ମିଳିବା ସଂପର୍କରେ ସମସ୍ତଙ୍କ ଠାରୁ ଶୁଣୁଛି କିନ୍ତୁ ଲିଖିତ ଭାବେ କିଛି ପାଇନି ବୋଲି କହିଛନ୍ତି କମଳା। ଅର୍ଥ ନଥିବାରୁ ଘର ଖଣ୍ଡିକ ସଜାଡ଼ି ପାରୁନି। ଯୋଜନା ବୋର୍ଡ ସଦସ୍ୟ ହେଲେ ଏହା କ’ଣ ପୂରଣ କରି ପାରିବି କି ବୋଲି ପ୍ରଶ୍ନ କରିଛନ୍ତି କମଳା।

କମଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ଅଛନ୍ତି ୨ ପୁଅ। ବଡ ପୁଅ ଧର୍ନୁଜୟ ପୂଜାରୀ ପତ୍ନୀ ଗୋଟିଏ ପୁଅ, ୨ଟି ଝିଅ ସହ ଅଲଗା ରହୁଛନ୍ତି। ଅନ୍ୟପକ୍ଷରେ ସାନପୁଅ ଟଙ୍କଧରର ସ୍ତ୍ରୀ ଏବଂ ୩ ପୁଅ ଅଛନ୍ତି। କମଳା ସାନ ପୁଅ ପାଖରେ ରହୁଛନ୍ତି। ଆର୍ଥିକ ଅନଟନ ମଧ୍ୟରେ କାଳ କାଟୁଥିବା କମଳା ପୂଜାରୀଙ୍କୁ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା ଭାବେ ମନୋନିତ କରିବା ପରେ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର