ପଦ୍ମଶ୍ରୀ କମଳା ପୂଜାରୀଙ୍କୁ ନଚାଯିବା ଘଟଣା: ତଦନ୍ତ ରିପୋର୍ଟ ଦେଲେ ଏସ୍‌ସିବି କର୍ତ୍ତୃପକ୍ଷ

ଭିଡିଓ ସଂପର୍କରେ ଜାଣିନୁ

କଟକ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ଠିକ୍‌ ଭାବେ କରାଯାଇଛି, ହେ‌ଲେ ନଚାଯାଇଥିବା ଭିଡିଓ ସମ୍ପର୍କରେ ଜାଣିନାହୁଁ। ଏହି ମର୍ମରେ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ପକ୍ଷରୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଛି।

ପଦ୍ମଶ୍ରୀ କମଳା ପୂଜାରୀ ଗତମାସ ୨୫ ତାରିଖରେ ଏସ୍‌ସିବିକୁ ଚିକିତ୍ସା ପାଇଁ ଆସିଥିଲେ। ତାଙ୍କୁ ସ୍ବତନ୍ତ୍ର ପ୍ରକୋଷ୍ଠ ଥିବା ଆଇସିୟୁରେ ଚିକିତ୍ସା କରାଯାଇଥିଲା। ତେବେ, ଏସ୍‌ସିବିରୁ ଡିସ୍‌ଚାର୍ଜ ହୋଇ ଘରକୁ ଯିବ ପରେ ତାଙ୍କୁ ଗୀତ ବଜାଇ ଏସ୍‌ସିବିରେ ନଚାଯାଇଥିବା ଘଟଣା ସାମ୍ନାକୁ ଆସିବା ସହ ଉକ୍ତ ନାଚର ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ନିଜେ ପଦ୍ମଶ୍ରୀ ପୂଜାରୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଗୋଟିଏପଟେ ଆଟେଣ୍ଡାଣ୍ଟ ପାସ୍‌ ନଥିଲେ ଏସ୍‌ସିବି ୱାର୍ଡକୁ ରୋଗୀ ସଂପର୍କୀୟ ଯାଇ ପାରିବେନି ବୋଲି ନିୟମ ଥିବାବେଳେ ଏଭଳି ଘଟଣା କେମିତି ଘଟିଲା, ତାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। କମଳା ପୂଜାରୀଙ୍କ ସହିତ ଏସ୍‌ସିବିରେ ରହିଥିବା ମହିଳା ସାମାଜିକ କର୍ମୀଜଣକ ଏହାକୁ ନିଜ ସୋସିଆଲ ମିଡିଆରେ ଛାଡ଼ିଥିବା ଜଣାପଡିଛି।

ଏହି ଭିଡିଓ ଭାଇରାଲ୍‌ ହେବା ଘଟଣାର ତଦନ୍ତ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତତ୍‌ପରତା ପ୍ରକାଶ ସହ ନିର୍ଦ୍ଦେଶ ଦିଆଯାଇଥିଲା। ଉକ୍ତ ନିର୍ଦ୍ଦେଶ ଆଧାରରେ ଏସ୍‌ସିବି କର୍ତ୍ତୃପକ୍ଷ ଏକ ଟିମ୍‌ ଗଠନ କରି ଘଟଣାର ତଦନ୍ତ କରି ସ୍ବାସ୍ଥ୍ୟ ବିଭାଗକୁ ଉକ୍ତ ତଦନ୍ତ ରିପୋର୍ଟ ପଠାଇଥିବା ଜଣାପଡ଼ିଛି। ରିପୋର୍ଟରେ ପଦ୍ମଶ୍ରୀ କମଳାଙ୍କ ସହିତ ଦୁଇଜଣ ପୁରୁଷ ଓ ଜଣେ ମହିଳା ଆଟେଣ୍ଡାଣ୍ଟ ରହିଥିବା ଓ ନଚାଉଥିବା ମହିଳାଜଣକ ତାଙ୍କ ସଂପର୍କୀୟ ବା ସାଙ୍ଗ ବୋଲି ପରିଚୟ ଦେଇଥିବା ଦର୍ଶାଯାଇଛି। ଏଥିସହ ମେଡିସିନ୍‌ ବିଭାଗ ଆଇସିୟୁର ସ୍ବତନ୍ତ୍ର ପ୍ରକୋଷ୍ଠରେ ତାଙ୍କ ଚିକିତ୍ସା କରାଯାଉଥିଲା ଓ ଭଲ ଚିକିତ୍ସା ମଧ୍ୟ ପ୍ରଦାନ କରାଯାଇଛି ବୋଲି କୁହାଯାଇଛି। ତେବେ, ଭାଇରାଲ୍‌ ହେଉଥିବା ଭିଡିଓ ସଂପର୍କରେଏସ୍‌ସିବି କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ କି ସେମାନଙ୍କ ଜାଣତରେ ଏଭଳି ଘଟଣା ଘଟିନି ବୋଲି ସ୍ବାସ୍ଥ୍ୟ ବିଭାଗକୁ ଏସ୍‌ସିବି କୁଳସଚିବ ଡକ୍ଟର ଅବିନାଶ ରାଉତ୍‌ ଓ ମେଡିସିନ୍‌ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ କୁମାର ପଣ୍ଡାଙ୍କ ଦସ୍ତଖତରେ ଯାଇଥିବା ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର