ଜୟପୁର: କୋରାପୁଟ ଜିଲ୍ଳା ଜୟପୁର ବ୍ଲକର ପାତ୍ରପୁଟର ବାସିନ୍ଦା ପଦ୍ମଶ୍ରୀ ସମ୍ମାନପ୍ରାପ୍ତ କମଳା ପୂଜାରୀ। ଗତ ୨ମାସରେ ତାଙ୍କୁ ଓ ତାଙ୍କ ପରିବାରର ଅନ୍ତୋଦୟ ଅନ୍ନ ଯୋଜନାରେ ଚାଉଳ ପାଇବା ପାଇଁ କାର୍ଡ଼ ରହିଥିବାରୁ ୭୦କିଲୋ ମାଗଣା ଚାଉଳ ମିଳିବା କଥା। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ୭୦ ବଦଳରେ ମାତ୍ର ୧୦କିଲୋ ଚାଉଳ ମିଲିଛି। କମଳା ପୂଜାରୀ ଓ ତାଙ୍କ ପୁଅ ଟଙ୍କଧର ପୂଜାରୀ ଏହି ଅଭିଯୋଗ କରିଛନ୍ତି। ଏପରିକି ପୂର୍ବରୁ ବି ଏଭଳି ବାରମ୍ବାର ତାଙ୍କ ପରିବାରକୁ ଚାଉଳ ଦେବା ସମୟରେ ପଂଚାୟତ କାର୍ଯ୍ୟାଳୟରେ ହଇରାଣ ହରକତ କରିବା ସହ କମ୍ ଚାଉଳ ଦେଉଥିବା ଉଭୟ କହିଛନ୍ତି।
ପ୍ରତିମାସରେ ତାଙ୍କୁ ସରକାର ଦେଉଥିବା ଭତ୍ତା ୧୦ହଜାର ଟଙ୍କା ଠିକ ସମୟରେ ଜମା ହେଉନାହିଁ। ଫଳରେ କମଳା ଓ ପରିବାର ଆର୍ଥିକ ଦୁଃସ୍ଥିତିରେ ଗତି କରିବା ସହ ଗତ କିଛି ଦିନ ହେବ ପରିବାର ଚଳିବା ମୁସ୍କିଲ ହୋଇପଡ଼ିଥିବା କହିଛନ୍ତି କମଳା। ଘରେ ଗ୍ୟାସ ସିଲଣ୍ଡର ରହିଥିଲେ ହେଁ ସିଲଣ୍ଡର ପିଛା ୯୨୦ଟଙ୍କା ଏବଂ ଗାଁକୁ ଆସିଲେ ଏକ ହଜାର ଟଙ୍କା ଦେଇ କିଣିବା ମୁସ୍କିଲ ବୋଲି କହିଛନ୍ତି କମଳା। ଏଣୁ ବାଧ୍ୟ ହୋଇ କାଠ ଜାଳେଣୀରେ ରୋଷଇ କରି ଖାଉଛନ୍ତି କମଳା। ତାଙ୍କ ଭଳି ସାହିର ଅନ୍ୟ ମହିଳାମାନେ ବି ଏଭଳି କାଠ ଚୁଲାରେ ହିଁ ରୋଷଇ କରୁଛନ୍ତି। ଗତ କିଛି ଦିନ ହେବ ତାଙ୍କୁ ଥଣ୍ଡା, କାଶ ଛାଡ଼ୁ ନଥିବା କହିଛନ୍ତି କମଳା ପୂଜାରୀ। ବାରମ୍ବାର ଔଷଧ ଖାଇବା ପରେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁନାହିଁ ।
୧୦ କିଲୋ ଚାଉଳ ଦିଆଯିବା ନେଇ ଯୋଗାଣ ନିରୀକ୍ଷକ ହରିଶ ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ଅନ୍ତୋଦୟ ଅନ୍ନ ଯୋଜନା କାର୍ଡ ପିଛା ସଂପ୍ରତି ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ୩୫କିଲୋ ହିସାବରେ ୨ମାସର ଡିସେମ୍ବର ଓ ଜାନୁଆରି ପାଇଁ ୭୦କିଲୋ ଚାଉଳ ଦିଆଯିବା କଥା, କିନ୍ତୁ କାହିଁକି ଓ କେଉଁ ପରିସ୍ଥିତିରେ ଦିଆଯାଇ ନାହିଁ ତାହାକୁ ନେଇ ସେ ତଦନ୍ତ କରିବେ ବୋଲି କହିଛନ୍ତି। ପଞ୍ଚାୟତ ନିର୍ବାଚନ ସରିଲେ ଏହାର ତଦନ୍ତ କରି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବିଡିଓ ସୂରଜ ପଟ୍ଟନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/10-KG-Rice-in-Two-Months-to-Padmashree-Kamala_Thumbnail_2.jpg)