ଜୟପୁର/କଟକ: କୋରାପୁଟ ଜିଲ୍ଲାର ଅଗ୍ରଣୀ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କର ଆଜି ଭୋର ୫ଟା ୪୫ରେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ପରଲୋକ ଘଟିଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। କିଡ୍‌ନି ଜନିତ ରୋଗରେ ପୀଡ଼ିତ ହୋଇ ସେ ଦୁଇଦିନ ହେଲା ଏସ୍‌ସିବି ମେଡିସିନ୍‌ ବିଭାଗ ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଭୋର ସମୟରେ ହୃଦ୍‌ଘା‌ତରେ ତାଙ୍କର ପରଲୋକ ଘଟିଥିବା ସଂପର୍କରେ ତାଙ୍କୁ ଚିକିତ୍ସା କରୁଥିବା ବି‌ଶେଷଜ୍ଞ ଟିମ୍‌ର ମୁଖ୍ୟ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି।  ଆସନ୍ତାକାଲି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତାଙ୍କ ପରଲୋକ ଖବର ପାଇ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କଟକ ବଡ଼ ମେଡିକାଲରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ସସମ୍ମାନେ କମଳାଙ୍କୁ ତାଙ୍କ ଜନ୍ମମାଟିକୁ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ ବୋଲି ମନ୍ତ୍ରୀ କହିଥି‌ଲେ। କମଳାଙ୍କ ପୁଅ ଟଙ୍କଧର ପୂଜାରୀ ଓ ଉପସ୍ଥିତ ପରିବାରବର୍ଗଙ୍କୁ ସେ ସମବେଦନା ଜ୍ଞାପନ କରିଥିଲେ। ଅନ୍ୟ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ କଟକ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, କଟକ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଉମାକାନ୍ତ ରାଜ, ଅତିରିକ୍ତ ଜିଲ୍ଲାପାଳ ଶିବ ଟପୋ,  ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାୟ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ଓ କୁଳସଚିବ ଡକ୍ଟର ଅବିନାଶ ରାଉତ ପ୍ରମୁଖ ଉପସ୍ଥିତ ରହି କମଳା ପୂଜାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ମଧ୍ୟାହ୍ନରେ କମଳାଙ୍କ ମରଶରୀର କର୍ମଭୂମି ପାତ୍ରପୁଟ ଅଭିମୁଖେ ବାହାରିଛି।
Advertisment
ପାରମ୍ପରିକ ଚାଷ, ଜୈବିକ କୃଷିକୁ ପ୍ରୋତ୍ସାହନ, ବିଭିନ୍ନ କିସମର ଦେଶୀ ଧାନ ଓ ଅନ୍ୟାନ୍ୟ ଶସ୍ୟ ବିହନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଅନ୍ତର୍ଜାତୀୟ ସ୍ତର‌ରେ ସୁନାମ ଅର୍ଜନ କରିଥିଲେ କମଳା। ଜୈବିକ କୃଷି ପଦ୍ଧତି ସମ୍ପର୍କରେ ତାଲିମ ଗ୍ରହଣ ପରେ ଲୋପ ପାଇଯାଉଥିବା ୧୦୦ରୁ ଅଧିକ କିସମ ଦେଶୀ ଧାନ ବିହନ ସଂରକ୍ଷଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ କମଳା। ଧାନର ଉତ୍ପତ୍ତିସ୍ଥଳୀ ଜୟପୁର ହୋଇଥିବାରୁ ଏହି ଅଞ୍ଚଳର ବିରଳ କଳାଜିରା ଧାନକୁ ବିଶ୍ବସ୍ତରରେ ଦେଇଥିଲେ ସ୍ବତନ୍ତ୍ର ପରିଚୟ। ସମଗ୍ର ବିଶ୍ୱରେ ନୂତନ ଜ୍ଞାନ କୌଶଳରେ ଚାଷ ହେଉଥିବା ବେଳେ ପାରମ୍ପରିକ ପଦ୍ଧତିରେ ଧାନ ଉତ୍ପାଦନ ଓ ସଂରକ୍ଷଣ କରି ରଖିବା କ୍ଷେତ୍ରରେ ସମାଜକୁ ନୂଆ ଦିଗଦର୍ଶନ ଦେଇଛନ୍ତି କମଳା। ଧାନ ବିହନ ସଂରକ୍ଷଣ କ୍ଷେତ୍ରରେ ବିଶେଷ ଅବଦାନ ନିମନ୍ତେ ୨୦୧୯ ମସିହାରେ ଭାରତ ସରକାର କମଳାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ। ୨୦୧୮ରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ମଧ୍ୟ ମନୋନୀତ ହୋଇଥିଲେ। ଏହା ପୂର୍ବରୁ ୨୦୦୨ ମସିହାରେ ଦକ୍ଷିଣ ଆଫ୍ରିକାର ଜୋହନସବର୍ଗରେ ଆୟୋଜିତ ବିଶ୍ୱ ନିରନ୍ତର ବିକାଶ ସମ୍ମିଳନୀରେ ଇକ୍ୱେଟର ଇନିସିଏଟିଭ୍ ଆୱାର୍ଡ, ୨୦୦୩ରେ ନୂଆଦିଲ୍ଲୀରେ କୃଷି ବିଷାରଦ ସମ୍ମାନ, ୨୦୦୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କୃଷି ସମ୍ମାନ, ୨୦୧୭ରେ ଇଟିଭି ପ୍ରତିଭା ସମ୍ମାନ, ୨୦୧୭ରେ ପ୍ରଦ୍ୟୁମ୍ନ ବଳ ସମ୍ମାନ, ୨୦୧୭ରେ ପରବ ସମ୍ମାନ ସହ ବନ ସୁରକ୍ଷା ସମିତି, ପଞ୍ଚବଟୀ ଗ୍ରାମ୍ୟ ଉନ୍ନୟନ ଭଳି ଅନେକ ସମ୍ମାନର ଅଧିକାରିଣୀ ହୋଇଥିଲେ କମଳା। ଓଡ଼ିଶା ସରକାର ସମ୍ମାନାର୍ଥେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ମହିଳା ଛାତ୍ରୀନିବାସକୁ କମଳାଙ୍କ ନାମରେ ନାମିତ କରିଛନ୍ତି।
କମଳା ପୂଜାରୀ ୧୯୪୫ ମସିହାରେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ୍‌ର ଦୁର୍ଗମ ଆଦିବାସୀ ଗାଁ କାଣ୍ଡକିଗୁଡ଼ାରେ ଜନ୍ମଗ୍ରହଣ କରିଥିଲେ। ୧୬ବର୍ଷ ବୟସରେ ଜୟପୁର ବ୍ଲକ୍‌ ପାତ୍ରପୁଟ ଗାଁର କୃଷ୍ଣ ଓରଫ ଝାଡୁ ପୂଜାରୀଙ୍କୁ ବିବାହ କରିଥିଲେ। ପାହାଡ଼ ଓ ଡଙ୍ଗରରେ ୧୦ରୁ ୧୨ ଏକର ଜମିରେ ଜୈବିକ ପଦ୍ଧତିରେ କମଳା ଚାଷ କରୁଥିଲେ। ନାରୀ ସଶକ୍ତୀକରଣ ସହିତ ଜଙ୍ଗଲ ସୁରକ୍ଷା ନିମନ୍ତେ ପ୍ରାରମ୍ଭିକ ଅବସ୍ଥାରେ ୨୧ଜଣ ଉତ୍ସର୍ଗୀକୃତ ତଥା କର୍ମଠ ମହିଳାଙ୍କୁ ନେଇ ପାତ୍ରପୁଟରେ ତ୍ରିନାଥ ଠାକୁର ବନ ସୁରକ୍ଷା ସମିତି ନାଁରେ ସଂଘ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରିଥିଲେ। ୧୯୯୮ ମସିହାରେ ଏମ୍‌ଏସ୍ ସ୍ବାମୀନାଥନ୍ ରିସର୍ଚ ଫାଉଣ୍ଡେସନ୍ କୋରାପୁଟ ଅଞ୍ଚଳରେ ଦେଶୀ ଧାନ ବିହନର ସଂରକ୍ଷଣ ଉପରେ କାର୍ଯ୍ୟ ଆରମ୍ଭ କରିଥିଲା। ଏହା ପରଠାରୁ କମଳା ସଂରକ୍ଷଣ ଏବଂ ଅଂଶଗ୍ରହଣକାରୀ ଉଦ୍ଭିଦ ପ୍ରଜନନ କାର୍ଯ୍ୟରେ ଏମ୍‌ଏସ୍‌ଏସ୍‌ଆର୍‌ଏଫ ସହିତ ଜଡ଼ିତ ଥିଲେ। ସେହି ସମୟରେ ପ୍ରାୟ ୧୪୧ ପ୍ରକାର ବିରଳ ଦେଶୀ ଧାନ ବିହନ କୋରାପୁଟର ଆଦିବାସୀ ଚାଷ ପରିବାର ଦ୍ୱାରା ସଂରକ୍ଷିତ କରାଯାଇଥିଲା।