କମଲଜିତ୍‌ ସିଂହ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି

ଭୁବନେଶ୍ବର : କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟର ନୂତନ ତଥା ପ୍ରଥମ କୁଳପତି ଭାବେ ପ୍ରଫେସର୍‌ କମଲଜିତ୍‌ ସିଂହଙ୍କୁ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ପ୍ରଫେସର୍‌ ଗଣେଶୀ ଲାଲ୍‌ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ୪ବର୍ଷ ତଥା ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ।

ପ୍ରଫେସର୍‌ ସିଂହ ବର୍ତ୍ତମାନ ହିମାଚଳପ୍ରଦେଶ ବେସରକାରୀ ଶିକ୍ଷାନୁଷ୍ଠାନ ନିୟାମକ ଆୟୋଗର ସଦସ୍ୟ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର ୨୭ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ଏଥିସହ ସେ ଦୁଇଟି ପୁସ୍ତକ ରଚନା କରିଛନ୍ତି। ୧୭ଜଣ ପିଏଚ୍‌ଡି ସ୍କଲାର ଓ ଶହେ ଏଲ୍‌ଏଲ୍‌ଏମ୍‌ ଛାତ୍ରଛାତ୍ରୀଙ୍କ ଗାଇଡ୍‌ ରହିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ-୨୦୨୦ ଆଧାରରେ ରାଜ୍ୟପାଳ ଏଭଳି ନିଯୁକ୍ତି ଦେଇଛନ୍ତି।

ସୂଚନା ଅନୁଯାୟୀ, ମଧୁସୂଦନ ଆଇନ ମହାବିଦ୍ୟାଳୟକୁ ୨୦୨୦ରେ ବିଶ୍ବବିଦ୍ୟାଳୟରେ ପରିଣତ କରାଯାଇଥିଲା। ଏହି ବିଶ୍ବବିଦ୍ୟାଳୟ ଆସନ୍ତା ୨୮ ତାରିଖଠାରୁ କାର୍ଯ୍ୟକ୍ଷମ ହେବ। ରାଜ୍ୟରେ ଥିବା ସମସ୍ତ ଆଇନ ମହାବିଦ୍ୟାଳୟ(ବିଶ୍ବବିଦ୍ୟାଳୟର ଆଇନ କଲେଜକୁ ବାଦ୍‌ ଦେଇ) ଏହା ଅଧୀନକୁ ଆସିବେ। ତା’ ପୂର୍ବରୁ ନୂତନ କୁଳପତିଙ୍କୁ ନିଯୁକ୍ତି ଦିଆଯାଇଛି। ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ କରିବା ଦିଗରେ ପଦକ୍ଷେପ ନିଆଯାଉଛି ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର