ଜୀବନ ମାଗୁଛି ଜୀବନ ଦେଉଥିବା କମରଗଡ଼ା

ଖଜୁରିଆକଟା: ଦିନେ ଅନ୍ୟମାନଙ୍କ ଜୀବନ ବଞ୍ଚାଉଥିଲା କମରଗଡ଼ା ଜଳାଶୟ। ଆଜି ସେହି ଜଳାଶୟ ନିଜ ପାଇଁ ଜୀବନ ମାଗୁଛି। ରକ୍ଷଣାବେକ୍ଷଣ ଅଭାବରୁ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡର ସବୁଠାରୁ ବଡ଼ ପୋଖରୀ ପୋତି ହୋଇ ମରିଯିବାକୁ ବସିଲାଣି। ସ୍ଥିତି ଏମିତି ହେଲାଣି ଯେ ଏହି ପାଣି ଆଉ ବ୍ୟବହାର ଉପଯୋଗୀ ହେବା ଅବସ୍ଥାରେ ନାହିଁ।

ଏକଦା କମରଗଡ଼ା ପୋଖରୀ କହିଲେ ପୂରା ହିନ୍ଦୋଳ ଜାଣୁଥିଲା। ଉପଖଣ୍ଡରେ ଏମିତି ବଡ଼ ଜଳାଶୟ ଆଉ କେଉଁଠି ନାହିଁ। ପ୍ରାୟ ୨୦ ଏକର ପରିମିତ ଅଞ୍ଚଳକୁ ବ୍ୟାପିଛି ଏହି ପୋଖରୀ। ପୂର୍ବରୁ ଏଇ ଜଳାଶୟ ପାଣିକୁ ଲୋକେ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ। ଆଖପାଖ ୨୦ଖଣ୍ଡ ଗାଁର ଗୋରୁଗାଈ ଏଠାକୁ ଆସି ପାଣି ପିଉଥିଲେ। ରାଜା ରାଜୁଡ଼ା ଅମଳରୁ କମରଗଡ଼ା ଚେକ୍‌ ଡ୍ୟାମ୍‌ ଏହି ପୋଖରୀ ଭିତରେ ନିର୍ମାଣ କରାଯାଇଥିଲା। ଫଳରେ ସ୍ଥାନୀୟ ମାଣପୁର, ବରସାହି, କୃଷ୍ଣଚନ୍ଦ୍ରପୁର, ଗୁଳେଇ ଓ ବାଘୁଆସାହି ଆଦି ୬ଖଣ୍ଡ ମୌଜାର ଚାଷୀ ଏହାଦ୍ବାରା ଜଳସେଚନ କରି ପାରୁଥିଲେ। ଦୁଦୁରକୋଟ ପଞ୍ଚାୟତ ପାଇଁ ଏହା ଥିଲା ପାଣି କୁଣ୍ଡ। ପ୍ରାୟ ଶହେ ଏକର ଜମିରେ କମରଗଡ଼ା ଜଳ ପ୍ରକଳ୍ପରୁ ପାଣି ଯାଇ ଜଳସେଚନ ହେବା ସହ ବର୍ଷତମାମ୍‌ ହିନ୍ଦୋଳ ଶସ୍ୟଶ୍ୟାମଳା ହୋଇପାରୁଥିଲା। ହେଲେ ଆଜି ସମୟ ବଦଳି ଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ କମରଗଡ଼ା ପ୍ରକଳ୍ପ ଏବେ ତାର ସତ୍ତା ହରାଇବାକୁ ବସିଛି।

ଚଳିତବର୍ଷ ଖରାରେ କମରଗଡ଼ା ପୋଖରୀ ଶୁଖି ଯାଇଛି। ପୋଖରୀ ଭିତରେ କେବଳ ପଙ୍କ ଛଡ଼ା ଆବଶ୍ୟକ ମୁତାବକ ପାଣି ନାହିଁ। ପୂର୍ବରୁ ଏହାକୁ ବର୍ଷିକିଆ ନିଲାମ କରଯାଉଥିଲା। କିନ୍ତୁ ଚଳିତବର୍ଷ ପାଣି ନଥିବାରୁ କେହି ନିଲାମଧାରୀ ପୋଖରୀକୁ ନିଲାମ ନେଇ ନଥିବା ସରପଞ୍ଚ ମନୋଜ ବେହେରା କହିଛନ୍ତି। ‌ତେବେ ଚଳିତ ଆର୍ଥିକ ବର୍ଷରେ କ୍ଷୁଦ୍ର ଉଠା ଜଳସେଚନ ପ୍ରକଳ୍ପ ଦ୍ୱାରା ପୋଖରୀରୁ ପଙ୍କ ଉଦ୍ଧାର ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ବନ୍ଦ କରିଦିଆଯାଇଛି। ଆଖି ସାମ୍ନାରେ କମରଗଡ଼ାର ଅକାଳ ମୃତ୍ୟୁ ସ୍ଥାନୀୟବାସୀଙ୍କୁ ମର୍ମାହତ କରିଛି। ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର