ଭୁବନେଶ୍ୱର/ ପୁରୀ: ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପକୁ ନେଇ ବ୍ଲଗର କାମିଆ ଜାନିଙ୍କ ଦ୍ବାରା ପ୍ରସ୍ତୁତ ଭିଡିଓକୁ ନେଇ ବିବାଦ ଥମୁନି। ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ଯେ ପୁରୀ ଶ୍ରୀମନ୍ଦିରର ପବିତ୍ରତା ଉଲ୍ଲଂଘନ ହେବା ବହୁତ ଚିନ୍ତାଜନକ। ଏଥିପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଦରକାର। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତ୍ୟେକ ଓଡ଼ିଆ ଓ ସନାତନୀଙ୍କ ଅତ୍ୟନ୍ତ ଶ୍ରଦ୍ଧାର କେନ୍ଦ୍ର। ମହାପ୍ରଭୁଙ୍କ ପ୍ରତି ଥିବା ଆସ୍ଥା ଓ ଭାବାବେଗକୁ ଆମେ ସମସ୍ତେ ସମ୍ମାନ ଦେବା ଉଚିତ। ଜନଭାବନାକୁ ଆଘାତ ଦେବା ଭଳି କେହି କିଛି କରିବା ଅନୁଚିତ। ଜାଣତରେ ହେଉ କିମ୍ବା ଅଜାଣତରେ କେହି କେବେ ମହାପ୍ରଭୁଙ୍କର ଆସ୍ଥା ତଥା ତାଙ୍କ ସହ ଯୋଡ଼ି ହୋଇଥିବା ଭାବାବେଗ ସହ ନ ଖେଳିଲେ ଭଲ।

Advertisment

କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଭାବାବେଗର ଠାକୁର। ବିଜେଡି ସରକାର ଜାଣିଶୁଣି ଓଡ଼ିଆ ଜାତିର ଭାବାବେଗ ପ୍ରତି କୁଠାରଘାତ କରିଛି। ଓଡ଼ିଶାବାସୀ ସବୁ ଦେଖୁଛନ୍ତି, ସବୁ ସହିବାର ସୀମା ପାର ହୋଇଗଲାଣି। ରାଜ୍ୟ ସରକାର ପ୍ରଭୁ ଶ୍ରୀଜଗନ୍ନାଥ ଓ ଶ୍ରୀମନ୍ଦିର ସହିତ ଖେଳଖେଳିବା ତୁରନ୍ତ ବନ୍ଦ କରନ୍ତୁ। ମୁଖ୍ୟମନ୍ତ୍ରୀ ଏହି ହୀନ କାର୍ଯ୍ୟପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସକଙ୍କ ଜାଣତରେ ଏ କାର୍ଯ୍ୟ ହୋଇଛି ନା ନାହିଁ। ଯଦି ହୋଇନାହିଁ ତେବେ ମହାପ୍ରସାଦ ସେବନ କରୁଥିବା ବେଳର ଫଟୋ କିଭଳି ଉତ୍ତୋଳନ ହୋଇଥିଲା? ଜଗନ୍ନାଥ ମନ୍ଦିରର ମହାପ୍ରସାଦ କୌଣସି ହୋଟେଲର ଖାଦ୍ୟ ନୁହେଁ। ମହାପ୍ରସାଦର ପ୍ରସାର ପାଇଁ ଏଭଳି ମହିଳାଙ୍କୁ କାହିଁକି ବଛାଯାଇଥିଲା?

ବିଜେପିର ଗିରିରାଜ, ଧର୍ମେନ୍ଦ୍ରଙ୍କ ପରେ କଂଗ୍ରେସ ବି ଉଠାଇଲା
ରାମମନ୍ଦିର ପାଇଁ ଠିକ୍, ଶ୍ରୀଜଗନ୍ନାଥ ମନ୍ଦିରରେ ଅସୁବିଧା କେଉଁଠି: ମାନସ
ଜାତୀୟ ମାନବାଧିକାର କମିସନରେ ମାମଲା ରୁଜୁ

ଅପରପକ୍ଷେ ଧର୍ମେନ୍ଦ୍ରଙ୍କ ବୟାନ ଉପରେ ବିଜେଡି ସାଂସଦ ମାନସ ମଙ୍ଗରାଜ ସାମାଜିକ ଗଣମାଧ୍ୟମ ଏକ୍ସରେ ପୁଣି ଆଜି ପୋଷ୍ଟ କରିଛନ୍ତି। ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ଧର୍ମେନ୍ଦ୍ର ଭାଇ ଆପଣ ଡେରିରେ ହେଉ ପଛେ ଠିକ୍ କଥା କହିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଶା ତଥା ଓଡ଼ିଶା ବାହାରେ ରହୁଥିବା ସମସ୍ତଙ୍କର ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର। ହେଲେ ଆପଣଙ୍କ ଦଳର କିଛି ନେତା ଗତ ଦୁଇ-ତିନି ଦିନ ଧରି ଓଡ଼ିଶାକୁ ଏବଂ ଶ୍ରୀକ୍ଷେତ୍ରକୁ ବଦନାମ କରିବାକୁ ଯେଉଁ ଅପଚେଷ୍ଟା କରିଛନ୍ତି ତାକୁ ସମସ୍ତେ ଦେଖିଛନ୍ତି। ଯେଉଁ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ କେନ୍ଦ୍ର ସରକାର ଦେଶର ହିନ୍ଦୁ ମନ୍ଦିର ଐତିହ୍ୟ, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ନିୟୋଜିତ କରିଥିଲେ, ସେ ଯେତେବେଳେ ଜଗନ୍ନାଥ ଧାମ ଆସି ପରିକ୍ରମା ପ୍ରକଳ୍ପର ଭିଡିଓ କଲେ ସଙ୍ଗେ ସଙ୍ଗେ ତାଙ୍କୁ ଫେକ୍ ନ୍ୟୁଜ ଓ ଫେକ୍ ଭିଡିଓ ଜରିଆରେ ବଦନାମ କରିବା ପାଇଁ ଆପଣଙ୍କ ଅନୁଗତ ଗୋଷ୍ଠୀ ଅପଚେଷ୍ଟା କଲେ। କାମିଆ ଜାନି ଯଦି ରାମ ମନ୍ଦିରକୁ ପ୍ରମୋଟ୍ କରିବା ଠିକ୍, ତେବେ ପରିକ୍ରମା ପ୍ରକଳ୍ପକୁ ପ୍ରମୋଟ୍ କଲେ ଅସୁବିଧା କେଉଁଠି ରହିଲା? ଫେକ ନ୍ୟୁଜ୍ ଜରିଆରେ ଲୋକଙ୍କ ଭାବାବେଗ ସହ ଖେଳିଥିବା ରାଜ୍ୟ ବିଜେପିର ଏହି ନେତାଙ୍କ ବିରୋଧରେ ଆପଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଆଶା କରୁଛି।

ବିଜେଡି ନେତା ସ୍ବୟଂ ପ୍ରକାଶ ମହାପାତ୍ର ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ସୋସିଆଲ ମିଡିଆ ଇନଫ୍ଲୁଏନସର କାମିଆ ଜାନିଙ୍କୁ ହିନ୍ଦୁ ମନ୍ଦିର, ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବାକୁ ଧର୍ମେନ୍ଦ୍ର ହିଁ ଏକାଧିକ ପବିତ୍ରସ୍ଥଳୀକୁ ପଠାଇଥିଲେ। ପ୍ରସିଦ୍ଧ ଶୈବପୀଠ କେଦାରନାଥ, ମହାକାଳେଶ୍ୱର, କାଶୀ ବିଶ୍ୱନାଥ ମନ୍ଦିରର ପ୍ରଚାର ପ୍ରସାର ପାଇଁ ତାଙ୍କୁ ପଠାଇ ଭିଡିଓ କରିଥିଲେ। ଏପରିକି ଅଯୋଧ୍ୟାରେ ଯେଉଁଠି ଶ୍ରୀରାମ ମନ୍ଦିର ନିର୍ମାଣ ଚାଲିଛି ସେଠାକୁ କାମିଆ ଜାନିଙ୍କୁ ଆପଣ ପଠାଇଥିଲେ ଓ ସେଠାରେ ସେ ରାମ ଲାଲାଙ୍କୁ ଛୁଇଁଥିଲେ। କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଏହି କାର୍ଯ୍ୟକ୍ରମ ନେଇ ଟ୍ୱିଟ୍ କରିଥିଲେ। ଗୋମାଂସ ଖାଇଥିବା ଇନଫ୍ଲୁଏନସର୍‌ଙ୍କୁ ଆପଣ ମନ୍ଦିର ପଠାଇବା ବେଳେ ଏତେବଡ କଥା ଆପଣ ସମସ୍ତଙ୍କ ଠାରୁ ଲୁଚାଇଥିଲେ କାହିଁକି? ଭାରତ ସରକାର, କେନ୍ଦ୍ରମନ୍ତ୍ରୀ ସମୂହ ଏବଂ ଆପଣଙ୍କ ଦଳର ବରିଷ୍ଠ ନେତାଙ୍କୁ ଆପଣ ଭ୍ରମିତ କରି ରଖିଥିଲେ ବା ଅନ୍ଧାରରେ ରଖିଲେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ ଏ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏ ସମ୍ପର୍କରେ ଜାତୀୟ ମାନବାଧିକାର କମିସନରେ ଅଭିଯୋଗ କରିଛନ୍ତି। କମିସନ ଅଭିଯୋଗକୁ ବି ଗ୍ରହଣ କରିବା ସହ କେସ ନଂ-୧୨୨୦୧/୨୦୨୩ରେ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାରେ ସେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରିଛନ୍ତି।