ଗଭୀର ଆତ୍ମବିଶ୍ବାସ ସଫଳତା ଆଣିଛି: କାମ୍ୟା ମିଶ୍ର

କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍‌ସି) ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଝିଅ କାମ୍ୟା ମିଶ୍ର ପ୍ରଥମ ପ୍ରୟାସରେ ୧୭୨ତମ ସ୍ଥାନରେ ରହିଛନ୍ତି। ମାତ୍ର ୨୨ବର୍ଷ ବୟସରେ ସର୍ବକନିଷ୍ଠା ପରୀକ୍ଷାର୍ଥୀ ଭାବେ ଏପରି ସଫଳତା ପାଇ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି କାମ୍ୟା। ରାଜ କୁମାର ଏବଂ ସୁନୀତା ମିଶ୍ରଙ୍କ ଝିଅ କାମ୍ୟା ରାଇରଙ୍ଗପୁରସ୍ଥିତ କେରଳ ପବ୍ଲିକ୍‌ ସ୍କୁଲ୍‌ରେ ଦଶମ ପର୍ଯ୍ୟନ୍ତ ଅଧ୍ୟୟନ କରିଥିବାବେଳେ କିଟ୍‌ ଇଣ୍ଟରନେସ୍‌ନାଲ ସ୍କୁଲ୍‌ରେ ଯୁକ୍ତ ୨ ପଢ଼ିଥିଲେ। ଜଣେ ମେଧାବୀ ଛାତ୍ରୀ ଭାବେ ସୁପରିଚିତା କାମ୍ୟା ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ୯୮ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପର୍‌ ହୋଇଥିଲେ। ଏହାପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠିତ ଲେଡି ଶ୍ରୀରାମ କଲେଜରୁ ରାଜନୀତି ବିଜ୍ଞାନ ସମ୍ମାନ ସହିତ ସ୍ନାତକରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ। ପ୍ରଥମ ପ୍ରୟାସରେ ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପରେ କାମ୍ୟାଙ୍କୁ ଭେଟିଥିଲେ ଆମ ବାରିପଦା ପ୍ରତିନିଧି ରାଜକିଶୋର ଦାଶ।

ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷା ପାଇଁ କାହିଁକି ଆଗ୍ରହୀ ହୋଇଥିଲେ?
ଲେଡ଼ି ଶ୍ରୀରାମ କଲେଜରୁ ସ୍ନାତକ ପଢ଼ି ସାରିବା ପରେ ସିଭିଲ୍‌ ପରୀକ୍ଷା ପାଇଁ ମନସ୍ଥ କରିଥିଲି। ଜଣେ ଆଇଏଫ୍‌ଏସ୍‌ ଅଧିକାରୀ ହୋଇ ବିଶ୍ବ ଦରବାରରେ ଭାରତର ସମ୍ମାନ ରଖିବାକୁ ଲକ୍ଷ୍ୟ ରଖିଛି।

ରାଇରଙ୍ଗପୁର ଭଳି ଏକ ଛୋଟ ସହରରୁ ୟୁପିଏସ୍‌ସିରେ ଉତ୍ତୀର୍ଣ୍ଣ ହେବା, କିପରି ଲାଗୁଛି?
ରାଇରଙ୍ଗପୁର କେରଳ ପବ୍ଲିକ୍‌ ସ୍କୁଲ୍‌ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉପଦେଶ ଏବଂ ପ୍ରେରଣା ମତେ ଆଣି ଏଠାରେ ପହଞ୍ଚାଇଛି। ଗଭୀର ଆତ୍ମବିଶ୍ବାସ ଏବଂ ନିଷ୍ଠାପର ଅଧ୍ୟବସାୟ ବଳରେ ଯେକେହି ଛୋଟିଆ ଗାଁରୁ ଆସିଲେ ମଧ୍ୟ ସଫଳତା ପାଇପାରିବେ।

ଏହି ସଫଳତାର ‌ଶ୍ରେୟ କାହାକୁ ଦେବେ?
ବାପା, ମା’, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କୋଚିଂ ନେଉଥିବା ଶିକ୍ଷାନୁଷ୍ଠାନ ସହିତ ଶୁଭ୍ରା ମ୍ୟାଡାମ୍‌ଙ୍କ ପ୍ରେରଣା ଓ ଭଗବାନ ଆଶୀର୍ବାଦ ମତେ ସଫଳତା ଆଣିଦେଇଛି।

ସମ୍ବନ୍ଧିତ ଖବର