‘କନକ ନ୍ୟୁଜ୍‌’ର ୧୦ମ ପ୍ରତିଷ୍ଠା ଦିବସ : ବିକାଶ ଆହୁରି ଅନେକ ବାଟ

୪୦ ହଜାର ଲାଞ୍ଚ ଦେବାକୁ ପଡ଼ିଛି: ସାଂସଦ

ଭୁବନେଶ୍ବର : ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି, ପୁଞ୍ଜିନିବେଶ, କୃଷି ଆଦି କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି ସତ। କିନ୍ତୁ ଯେଉଁଭଳି ଭାବେ ବିକାଶ ହେବା କଥା‌ ତାହା ହୋଇପାରିନି। ଆଜି ବି ଗାଁକୁ ରାସ୍ତା ନାହିଁ। ପଢ଼ିବା ପାଇଁ ଏବେ ବି ଭରା ନଈ ପାରି ହେଉଛନ୍ତି ଭବିଷ୍ୟତ। ଖଟିଆରେ ବୁହା ହୋଇ ମେଡିକାଲ ଯାଉଛନ୍ତି ରୋଗୀ। ପିସି ନ ଦେଲେ ଗୋଟିଏ ଟେବୁଲ୍‌ରୁ ଅନ୍ୟ ଟେବୁଲ୍‌କୁ ଫାଇଲ୍‌ ଯାଉନି। ଦୁର୍ନୀତି ତ ତୃଣମୂଳସ୍ତରରେ ଚେର ହୋଇ ମାଡ଼ିଗଲାଣି। ଏମିତି କି କାମ ହାସଲ ପାଇଁ ସାଂସଦଙ୍କୁ ବି ଲାଞ୍ଚ ଦେବାକୁ ପଡ଼ୁଛି।

କନକ ନ୍ୟୁଜ୍‌ର ୧୦ମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ‘ଓଡ଼ିଶା ଆଗକୁ ବଢ଼ୁଛି କି?’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି ବିଷ ଓଗାଳିଛନ୍ତି ବିଜେପି ଓ କଂଗ୍ରେସ। ତେବେ ଏହାର ପ୍ରତି ଜବାବ ଦେଇ ବିଜେଡି କହିଛି ଯେ ଦୁର୍ନୀତି ଉପରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ‘୫ଟି’, ‘ମୋ ସରକାର’ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସ୍ବାଧୀନତାର ୫୦ ଦଶନ୍ଧିରେ ଯାହା ହୋଇପାରି ନଥିଲା ଗତ ୨୦ ବର୍ଷରେ ତାହା ହୋଇଛି। ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ନିଯୁକ୍ତି, ଶିଳ୍ପ ପ୍ରତିଷ୍ଠା କ୍ଷେତ୍ର‌ରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି।

ଆଲୋଚନା ଚକ୍ରରେ କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଞ୍ଜୀବ ବିଶ୍ବାଳ ଯୋଗଦେଇ କହିଲେ ବିକାଶ ହେଉଛି ନିରନ୍ତର ପ୍ରକ୍ରିୟା। କେବଳ ଭୁବନେଶ୍ବରର ବିକାଶ ହୋଇଗଲେ ଯେ ସାରା ରାଜ୍ୟର ବିକାଶ ହେଉଛି ତାହା କହିବା ଠିକ୍‌ ନୁହେଁ। ଆଜି ବି ନଗଡ଼ା ପରି ଚିତ୍ର ସାମ୍ନାକୁ ଆସୁଛି। ମାଲକାନଗିରିର ଆଦିବାସୀ ଅଧୁଷିତ ଗାଁରେ ରୋଗୀ ଖଟରେ ବୁହା ଦେବାର ଦୃଶ୍ୟ ହୃଦୟରେ ଶିହରଣ ସୃଷ୍ଟି କରୁଛି। ଏମିତି ବି ଗାଁ ଅଛି, ଯେଉଁଠାକୁ ଆମ୍ବୁଲାନ୍ସ ଯାଇପାରୁନି। ପିଲାମାନେ ଖୋଲା ଆକାଶ ତଳେ ପାଠ ପଢ଼ୁଛନ୍ତି। କିନ୍ତୁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ଉକ୍ତ ଯୋଜନାଗୁଡ଼ିକ ଗରିବଙ୍କ ପାଖରେ ପହଞ୍ଚୁଛି କି ନାହିଁ? ଗରିବ ଲୋକେ ତାହାର ସୁବିଧା ପାଉଛନ୍ତି କି ନାହିଁ? ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ତ ବୋଲି ସେ ପ୍ରଶ୍ନ କରିଥିଲେ। ଶ୍ରୀ ବିଶ୍ବାଳ ଆହୁରି କହିଲେ, ତୃଣମୂଳ ସ୍ତରର ଦୁର୍ନୀତି ଏବେ ଶୀର୍ଷରେ ପହଞ୍ଚିଛି। ବ୍ଲକରେ ୧୩ ପ୍ରତିଶତ ପିସି ନ ଦେଲେ କାମ ହେଉନି। କିଛି ମାସ ତଳେ ନଖରାରେ ଏକ ପ୍ରକଳ୍ପ କାର୍ଯ୍ୟ କରିବା ଲାଗି ବିଡିଓଙ୍କ ଅନୁମତି ପାଇବାକୁ ୬ ମାସ ଲାଗିଯାଇଥିଲା। ଶେଷରେ ୪୦ ହଜାର ଟଙ୍କା ଲାଞ୍ଚ ଦେବା ପରେ କାମ ହୋଇଥିଲା। ବିଭିନ୍ନ ପ୍ରକଳ୍ପ ପାଇଁ ସିଙ୍ଗଲ୍‌ ଉଇଣ୍ଡୋ ସିଷ୍ଟମ କରାଯାଇ ନ ଥିବାରୁ ଶିଳ୍ପର ବିକାଶ ହୋଇପାରୁନି। ଯେପର୍ଯ୍ୟନ୍ତ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ବିକାଶ ନ ହୋଇଛି ସେ ପର୍ଯ୍ୟନ୍ତ ଓଡ଼ିଶା ଆଗେଇପାରିବ ନାହିଁ।

ବରିଷ୍ଠ ବିଜେପି ନେତା‌ ଖାରବେଳ ସ୍ବାଇଁ କହିଲେ ଯେ ଗରିବଙ୍କୁ ଗରିବ ରଖିବାର ମାନସିକତା ନେଇ ରାଜ୍ୟ ସରକାର ଆଗକୁ ବଢ଼ୁଛନ୍ତି। ଟଙ୍କିକିଆ ଚାଉଳ ଦେଇ ରାଜ୍ୟର ୮୨% ଲୋକଙ୍କୁ କୋଢ଼ିଆ କରି ଦେଇଛନ୍ତି। ସେମାନେ କିଭଳି ଉନ୍ନତି କରିବେ ସେଥିପ୍ରତି ଗୁରୁତ୍ବ ଦିଆଯାଉନି। ମଧ୍ୟବିତ୍‌ ଲୋକେ ଆଗକୁ ବଢ଼ନ୍ତୁ ବୋଲି ସରକାର ଚାହାନ୍ତି ନାହିଁ। ଭୋଟ ରାଜନୀତି ପାଇଁ ଟଙ୍କିକିଆ ଚାଉଳ ଦେଇ ଲୋକମାନଙ୍କୁ ଗରିବ ରହିବାକୁ ବାଧ୍ୟ କରୁଛନ୍ତି। ଆଗକୁ ବଢ଼ିବା ଲାଗି ମହିଳା ସ୍ବୟଂସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି)ଙ୍କୁ ସୁବିଧାରେ ଋଣ ଯୋଗାଇ ଦିଆଯାଉଛି। ତେବେ ୧୦୦ରୁ ମାତ୍ର ୫ ପ୍ରତିଶତ ଏସ୍ଏସ୍‌ଜି ଋଣ ନେଇ କାମରେ ଲଗାଉଛନ୍ତି। ବାକିମାନେ ଋଣର ଉଚିତ୍‌ ବିନିଯୋଗ କରୁଛନ୍ତି କି ନାହିଁ ତାହାର ତଦାରଖ କରାଯାଉ ନାହିଁ। ଦକ୍ଷିଣ ଭାରତରେ କିନ୍ତୁ ଏହାର ବିପରୀତ ଦେଖିବାକୁ ମିଳେ। ‌ଯେଉଁମାନେ ଋଣ ନିଅନ୍ତି ସେମାନେ କିଭଳି ଆଗକୁ ବଢ଼ିପାରିବେ ସେଥିପ୍ରତି ସରକାର ଗୁରୁତ୍ବ ଦିଅନ୍ତି। ଏବେ ବି ଓଡ଼ିଶାରୁ ପ୍ରତିଦିନ ହଜାର ହଜାର ଲୋକ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି।

ବି‌ଜେଡି ଆଇଟି ସେଲ୍‌ର ମୁଖ୍ୟ ତଥା ସାଂସଦ ଅମର ପଟ୍ଟନାୟକ କହିଲେ, ୧୯୯୯ ମହାବାତ୍ୟା ପରେ ଭାଙ୍ଗିପଡ଼ିଥିବା ଓଡ଼ିଶାର ଭିତ୍ତିଭୂମି ଗତ ଦୁଇ ଦଶନ୍ଧି ମଧ୍ୟରେ ସଜାଡ଼ି ହୋଇଛି। ୨୦ ବର୍ଷ ତଳେ ଦରିଦ୍ରତମ ରାଜ୍ୟ ଥିବା ଓଡ଼ିଶା ଏବେ କୃଷି, ରାଜସ୍ବ, ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ରରେ ଆଗକୁ ବଢ଼ିଛି। ଦୁଇ ଦିନ ତଳେ ନୀତି ଆୟୋଗଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ୭ମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୦୦ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୩ଟି ମେଡିକାଲ କଲେଜ ଥିଲା। ଏବେ ଏହି ସଂଖ୍ୟା ୭ରେ ପହଞ୍ଚିଛି। ରାଜ୍ୟର ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ ମେଡିକାଲ କଲେଜ ଖୋଲିବା ଲକ୍ଷ୍ୟରେ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଶିଳ୍ପ କ୍ଷେତ୍ରରେ ବି ବିକାଶ ହେଉଛି।ଦକ୍ଷତା କ୍ଷେତ୍ରରେ ଓଡ଼ିଶା ବିଶ୍ବସ୍ତରରେ ପରିଚିତ ହୋଇଛି। ଉତ୍ପାଦନ କ୍ଷେତ୍ରରେ ବି ଓଡ଼ିଶାର ସ୍ଥିତି ସୁଦୃଢ଼ ହୋଇଛି। ଏମ୍‌ଏସ୍‌ଏମ୍‌ଇ ଓ ଷ୍ଟାଟ୍‌ ଅପ୍‌ ଓଡ଼ିଶାରେ ବି ଭଲ ସଫଳତା ହାସଲ କରିଛି। ଓଡ଼ିଶା ଆଉ ଗରିବ ରାଜ୍ୟ ହୋଇ ରହିନାହିଁ। ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିଛି। ଦୁର୍ନୀତି ବଢ଼ୁଥିବା ଅଭିଯୋଗ ଉପରେ ମତ ରଖି ଶ୍ରୀ ପଟ୍ଟନାୟକ କହିଲେ ଆଗରୁ ରାସନ୍‌ କାର୍ଡରେ ବ୍ୟାପକ ଦୁର୍ନୀତି ହେଉଥିଲା। ଏବେ ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଦୂର୍ନୀତି ଉପରେ ରୋକ ଲଗାଯାଇ ପାରିଛି। ୫ଟି ଓ ମୋ ସରକାର କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଦିନ ଦଲାଲଙ୍କ ଉପରେ ଚଢ଼ାଉ ହେଉଛି। ଦୂର୍ନୀତିକୁ ସମ୍ପୂର୍ଣ୍ଣ ଲୋପ କରିବା ରାଜ୍ୟ ସରକାରଙ୍କ ଏକମାତ୍ର ଲକ୍ଷ୍ୟ। କନକ ନ୍ୟୁଜ ଏଡିଟର ମନୋରଞ୍ଜନ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର