ଭୁବନେଶ୍ବର: ସମସ୍ୟା ସମସ୍ତଙ୍କ ଜୀବନରେ ରହିଛି । କିନ୍ତୁ ତାକୁ ପ୍ରତିହତ କରି ଜୀବନରେ ଆଗକୁ ବଢିବାକୁ ପଡ଼ିବ ବୋଲି ବିଶିଷ୍ଟ ଅଭିନେତ୍ରୀ ଜୟାପ୍ରଦା ବୁଧବାର ପ୍ରକାଶ କରିଛନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ତଥା ୭୦ ଓ ୮୦ ଦଶକର ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଜୟାପ୍ରଦା ଭୁବନେଶ୍ବରରେ ଆୟୋଜିତ କନକ ନ୍ୟୁଜର ୱମେନ କନକ୍ଲେଭ ‘ଅନନ୍ୟା-୨୦୨୩’ରେ ସାମିଲ ହୋଇ ସେ ଉପରୋକ୍ତ କଥା କହିବା ସହ  ଜୟାପ୍ରଦା ନାଁ ହିଁ ତାଙ୍କର ପରିଚୟ ଓ ଏହି ନାଁ ହିଁ ତାଙ୍କୁ ଚାରିଆଡେ ପ୍ରସିଦ୍ଧି ଆଣିଦେଇଛି ବୋଲି କହିଛନ୍ତି। ଏହି ଅବସରରେ ସେ ଲତା ମଙ୍ଗେସକର ଓ ଶ୍ରୀଦେବୀଙ୍କୁ ମନେ ପକାଇ ସେ ଭାବବିହ୍ୱଳ ହୋଇଥିଲେ।

Advertisment

ଜୟାପ୍ରଦା ଏବେ ରାଜନୀତିରେ ବେଶ ସକ୍ରିୟ ଅଛନ୍ତି। ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ସେ ଦଳ ପାଇଁ ପ୍ରଚାର ବି କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଂଶସା କରି ଜୟା କହିଛନ୍ତି, ବର୍ତ୍ତମାନ ଦେଶକୁ ନରେନ୍ଦ୍ର ମୋଦୀ ହିଁ ବଂଚାଇପାରିବେ। ତେଣୁ ମୋଦୀଙ୍କୁ ବଦନାମ କରିବା ଉଚିତ ନୁହେଁ।

ସେ ନିଜ ଜୀବନର ସଂଘର୍ଷ ଓ ସଫଳତାର କାହାଣୀ କହିଛନ୍ତି। ଘର ଲୋକେ ତାଙ୍କ ନାଁ ଲଳିତା ରାଣୀ ରଖିଥିଲେ। କିନ୍ତୁ ୧୩ ବର୍ଷ ବୟସରେ ସେ ଏକ ଡ୍ୟାନ୍ସ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହାପରେ ସେ ଫିଲ୍ମରେ ଅଭିନିୟ ପାଇଁ ସୁଯୋଗ ପାଇଥିଲେ। ସଫଳତା ପାଇବା ପରେ ତାଙ୍କ ନାଁ ଜୟାପ୍ରଦା ଦେବାକୁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ଜୀବନର ଏତେ ଲମ୍ବା ରାସ୍ତାରେ ଅନେକ ସମସ୍ୟା ଆସିଛି। ତାକୁ ମୁକାବିଲା କରିବା ଶକ୍ତି ଭଗବାନ ଆମକୁ ଦେଇଛନ୍ତି। ତେଣୁ ସମସ୍ୟାକୁ ସାମ୍‌ନା କଲେ ଆମେ ଆଗକୁ ବଢ଼ିପାରିବା ବୋଲି କହିଥିଲେ।

ଅନନ୍ୟା-୨୦୨୩ରେ ମହିଳାମାନଙ୍କୁ ନେଇ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନାରେ ଭାଗ ନେଇଥିଲେ ଅଭିନୟ ଓ ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଥିବା ବ୍ୟକ୍ତିତ୍ୱ। ବିବାହ ପରର ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଓ ଝିଲିକ ଭଟ୍ଟାଚାର୍ଯ୍ୟ। ସେହିପରି ଗୃହିଣୀଙ୍କୁ ଦରମା ମିଳିବା ଉଚିତ କି, ସେ ନେଇ ଚର୍ଚ୍ଚାରେ ଭାଗ ନେଇଥିଲେ ଅଭିନୟ ଜଗତ ଛାଡି ସଂସାର ସଜାଡୁଥିବା ମାମା ମିଶ୍ରଙ୍କ ସହ ସମାଜସେବୀ ସରିତା ବଡପଣ୍ଡା ଓ ଅନୁରାଧା ମହାନ୍ତି।