କରୋନା ଯୁଦ୍ଧରେ ହାରିଗଲେ ସୁମନ୍ତ, ଚିକିତ୍ସାଧୀନ ଅବସ୍ଥାରେ ‘କନକ ନ୍ୟୁଜ୍’ କ୍ୟାମେରାମ୍ୟାନ୍‌ଙ୍କ ପରଲୋକ

ବଡ଼ ଝିଅ ଦେଲେ ମୁଖାଗ୍ନୀ

ରାଉରକେଲା: ପ୍ରାୟ ଦଶ ଦିନ ଧରି କରୋନା ସହ ଲଢ଼ିଲେ। ତେବେ କରୋନା ଯୁଦ୍ଧରେ ଲଢ଼ୁ ଲଢ଼ୁ ନିଜେ ହାରିଗଲେ। କରୋନା ଆଜି ଅପରାହ୍ନରେ ‘କନକ’ ନ୍ୟୁଜ୍ ରାଉରକେଲାର କ୍ୟାମେରା ମ୍ୟାନ୍ ସୁମନ୍ତ କୁମାର ମହାନ୍ତି ଓରଫ୍ ଡିଲୁଙ୍କୁ ପରାସ୍ତ କରିଦେଇଛି। ମାତ୍ର ୫୦ ବର୍ଷ ବୟସରେ ସୁମନ୍ତଙ୍କ ଜୀବନ ଦୀପ ଲିଭିଯାଇଛି। ଗତ ୩ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହାଇଟେକ୍ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଅପରାହ୍ନ ପ୍ରାୟ ୩ଟା ୪୬ ମିନିଟ୍‌ରେ ତାଙ୍କର ପରଲୋକ ଘଟିଛି। ଶୋକାକୁଳ ପରିବେଶରେ ବେଦବ୍ୟାସ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବଡ଼ଝିଅ ସୁଶ୍ରୀ ମୁଖାଗ୍ନୀ ଦେଇଥିଲେ।

ସୁମନ୍ତଙ୍କ ପରିବାର କହିଲେ ମା’ ସ୍ବର୍ଣ୍ଣଲତା, ପତ୍ନୀ ପ୍ରଭାତି ମହାନ୍ତି ଓ ଦୁଇ ଝିଅ ସୁଶ୍ରୀ(୧୯) ଓ ସାଇଶ୍ରୀ(୯)। ବଡ଼ଝିଅ ସୁଶ୍ରୀ ବର୍ତ୍ତମାନ ଇସ୍ପାତ କଲେଜରେ ବାଣିଜ୍ୟ ଦ୍ବିତୀୟ ବର୍ଷ ଛାତ୍ରୀ ଓ ସାନ ଝିଅ ସାଇଶ୍ରୀ ଛେଣ୍ଡ୍ ସ୍ଥିତ ଚିନ୍ମୟ ବିଦ୍ୟାଳୟର ଦ୍ବିତୀୟ ଶ୍ରେଣୀ ଛାତ୍ରୀ। ବଡ଼ଭାଇ ଶ୍ରୀକାନ୍ତଙ୍କର ପ୍ରାୟ ୩ ବର୍ଷ ପୂର୍ବେ ପରଲୋକ ଘଟିଥିବାବେଳେ ସବା ସାନ ଭାଇ ରମାକାନ୍ତ ଆମେରିକାରେ କମ୍ପ୍ୟୁଟର ଇଞ୍ଜିନିଅର। ବଡ଼ ଭାଇଙ୍କ ମୃତ୍ୟୁପରେ ପୁରା ପରିବାରର ବୋଝ ତାଙ୍କ ଉପରେ ନିର୍ଭରଶୀଳ ଥିଲା। ତେବେ ତାଙ୍କର ଅକାଳ ବିୟୋଗ ସଂପୂର୍ଣ୍ଣ ପରିବାରକୁ ଦୁଶ୍ଚିନ୍ତା ଭିତରକୁ ଠେଲି ଦେଇଛି।

ଇସ୍ପାତ ସହରର ଅନ୍ୟତମ ପୁରାତନ ଓ ପ୍ରତିଷ୍ଠିତ ସାମ୍ବାଦିକ ଭାବେ ସୁମନ୍ତ ବେଶ୍ ଜଣାଶୁଣା ଥିଲେ। ସେ ମାଟ୍ରିକ୍ ପରେ ଆଇଟିଆଇ କରିଥିଲେ। ପରେ ସାମ୍ବାଦିକ ଭାବେ ରାଉରକେଲାରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। ଗଣମାଧ୍ୟମ କ୍ଷେତ୍ରରେ ସୁମନ୍ତଙ୍କର ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ଅଭିଜ୍ଞତା ଥିଲା। ପୂର୍ବରୁ ସେ ଅନେକ ମୁଦ୍ରିତ ଓ ଟିଭି ଗଣମାଧ୍ୟମରେ କାମ କରିଥିଲେ। ତେବେ ୨୦୧୦ ମସିହାରୁ ସେ ରାଉରକେଲା କନକ ନ୍ୟୁଜ୍‌ର କ୍ୟାମେରାମ୍ୟାନ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ବିଗତ ୧୧ ବର୍ଷ ଧରି ସେ ନିଷ୍ଠାପରଭାବେ ଦାୟିତ୍ବ ନିର୍ବାହ କରିଆସୁଥିଲେ। ଏକାଧିକ ଚର୍ଚ୍ଚିତ ଘଟଣାକୁ ନିଜ କ୍ୟାମେରାକୁ କଏଦ୍ କରିଥିଲେ; ଯାହାକି ତାଙ୍କୁ ସମଗ୍ର ରାଜ୍ୟରେ ସୁପରିଚିତ କରାଇଥିଲେ। ନିଜ ଜୀବନକୁ ବେଖାତିର୍ କରି ସରଣ୍ଡା ଜଙ୍ଗଲରେ ପୁଲିସ-ମାଓବାଦୀ ଲାଇଭ୍ ଏନ୍‌କାଉଣ୍ଟର୍ ସମୟରେ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ; ଯାହାକି ତାଙ୍କୁ ଜଣେ ନିର୍ଭୀକ ଓ ନିଷ୍ଠାପର ସାମ୍ବାଦିକ ପରିଚୟ ଆଣିଦେଇଥିଲା। ସୁମନ୍ତଙ୍କ ବିୟୋଗରେ ସହରର ବିଭିନ୍ନ ସାମ୍ବାଦିକ ସଂଗଠନ, ସାମାଜିକ, ସ୍ବେଚ୍ଛାସେବୀ ସଂଗଠନ, ରାଜନୈତିକ ଦଳ, ନେତୃବୃନ୍ଦ ଶୋକ ପ୍ରକାଶ କରିଛନ୍ତି।

ସୁମନ୍ତଙ୍କ ବିୟୋଗରେ ମୁଁ ମର୍ମାହତ: ଜୁଏଲ
(ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ)
‘ରାଉରକେଲା କନକ ନ୍ୟୁଜ୍‌ର କ୍ୟାମେରା ମ୍ୟାନ୍ ସୁମନ୍ତ କୁମାର ମହାନ୍ତିଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ। ଏହି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି। ର୍ସ୍ବଗତ ଆତ୍ମାର ସଦ୍ଗତି ନିମନ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।’

ସହର ଜଣେ ନିଷ୍ଠାପର ସାମ୍ବାଦିକଙ୍କ ହରାଇଲା: ଦିଲୀପ ରାୟ
(ପୂର୍ବତନ କେନ୍ଦ୍ରମନ୍ତ୍ରୀ)
‘କନକ ନ୍ୟୁଜ୍‌ର କ୍ୟାମେରା ମ୍ୟାନ୍ ସୁମନ୍ତ ମହାନ୍ତିଙ୍କର ଅକାଳ ବିୟୋଗ ଏକ ଦୁଃଖଦ ଖବର। ଇସ୍ପାତ ସହରରେ ଶ୍ରୀ ମହାନ୍ତି ଜଣେ ନିଷ୍ଠାପର ସାମ୍ବାଦିକଭାବେ ବେଶ୍ ପରିଚିତ ଥିଲେ। ସହର ଜଣେ ନିଷ୍ଠାପର ସାମ୍ବାଦିକଙ୍କୁ ହରାଇଲା। ତାଙ୍କ ପରିବାର ପ୍ରତି ଗଭୀର ସମବେଦନା।

ଡିଲୁ ଭାଇ ଥିଲେ ସ୍ବତନ୍ତ୍ର: ସାରଦା ପ୍ରସାଦ ନାୟକ
(ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ)
‘ସୁମନ୍ତ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବାପରଠାରୁ ମୁଁ ବ୍ୟକ୍ତିଗତଭାବେ ତାଙ୍କୁ ଦେଖାକରି ଆସୁଥିଲି। ଗତକାଲି ମଧ୍ୟ ତାଙ୍କର ସ୍ବାସ୍ଥ୍ୟବସ୍ଥା ବୁଝିଥିଲେ। ସେ ଏତେ ଶୀଘ୍ର ଆମକୁ ଛାଡ଼ି ଚାଲିଯିବେ, ଏହା ବିଶ୍ବାସ କରିହେଉନି। ଏହି ଦୁଃଖଦ ଖବରକୁ ସହଜରେ ଗ୍ରହଣ କରିହେଉନି। ଜୀବନରେ ବହୁତ ସାମ୍ବାଦିକ ସଂସ୍ପର୍ଶରେ ଆସିଛି। ତେବେ ସେ ଥିଲେ ସ୍ବତନ୍ତ୍ର।’

ସେ ଥିଲେ ଜଣେ କର୍ମଯୋଗୀ: ସୁବ୍ରତ ତରାଇ
(ରଘୁନାଥପଲ୍ଲୀ ବିଧାୟକ)
‘ଖରା, ବର୍ଷା, ଶୀତକୁ ଖାତିର୍ ନ କରି ସେ ସବୁ ଦିନ କାର୍ଯ୍ୟରତ ଥିଲେ। ପ୍ରକୃତରେ ସେ ଥିଲେ କର୍ମଯୋଗୀ। ସତ୍ୟ ଖବର ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ସମସ୍ତଙ୍କ ସହ ମିଶୁଥିଲେ। ସବୁବେଳେ ହସ ହସ ମୁହଁ ତାଙ୍କର। ସରଳ, ନିଷ୍କପଟ, ମିଷ୍ଟଭାଷୀ ସୁମନ୍ତ ବାବୁ ସମସ୍ତଙ୍କର ନିଜର ଓ ଆପଣାର ଥିଲେ।

ସମ୍ବନ୍ଧିତ ଖବର