କନକ ନ୍ୟୁଜ୍ ହେଲ୍‌ଥ କନକ୍ଲେଭ୍ ୨୦୨୨: କୌଣସି ମହାମାରୀ ଚିରସ୍ଥାୟୀ ନୁହେଁ

ଭୁବନେଶ୍ୱର : ବିଶ୍ୱରେ ଦେଖା ଦେଇଥିବା ମହାମାରୀ(ପାଣ୍ଡାମିକ୍) ଧୀରେ ଧୀରେ ଏପିଡେମିକ୍ ଓ ଏଣ୍ଡେ‌ମିକ୍ ପର୍ଯ୍ୟାୟ ଦେଇ ଶେଷ ହୋଇଥାଏ। ତେବେ କୌଣସି ମହାମାରୀ ଏଣ୍ଡେମିକ ସ୍ଥିତିକୁ ଆସିବା ପାଇଁ ହେଲେ କମ୍ୟୁନିଟି(ଗୋଷ୍ଠୀ)ରେ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେବା ଦରକାର। ବର୍ତମାନ ଆମେ ସେହି ଅବସ୍ଥା ଦେଇ ଗତି କରୁ‌ଛୁ। କୌଣସି ମହାମାରୀ ଚିରସ୍ଥାୟୀ ନୁହେଁ। କରୋନା(ସାର୍ସ-କୋଭ-୨)ର ଦ୍ବିତୀୟ ଲହର ଯେଉଁଭଳି ଘାତକ ହୋଇଥିଲା ତୃତୀୟ ଲହରରେ ସେଭଳି ଦେଖିବାକୁ ମିଳୁନାହିଁ। ଯଦିଓ ଭୂତାଣର ସଂକ୍ରମଣ କରିବାର କ୍ଷମତା ବଢ଼ିଛି, ତଥାପି ରୋଗୀମାନେ ସେହି ଅନୁପାତରେ ଗୁରୁତର ହେଉନାହାନ୍ତି ବୋଲି ଆଜି ଏଠାରେ ଅନୁଷ୍ଠିତ କନକ ନ୍ୟୁଜ୍ ହେଲ୍‌ଥ କନକ୍ଲେଭ୍‌ରେ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି।

ଏହି କନକ୍ଲେଭ୍‌ର ପ୍ରଥମ ଅଧିବେଶନର ବିଷୟବସ୍ତୁ ରହିଥିଲା ‘ପୁଣି ଆସିବ କି ମହାମାରୀ?’। ଏହା ଉପରେ ମତ ରଖି ପୂର୍ବତନ ଡିଏମ୍‌ଇଟି ପ୍ରଫେସର ଡା.ସିବିକେ ମହାନ୍ତି କହିଥିଲେ ଯେ ଅତୀତରେ ଆସିଥିବା ମହାମାରୀ ମଧ୍ୟ ଏଣ୍ଡେମିକ୍ ସ୍ଥିତି ଦେଇ ଶେଷ ହୋଇଛି। ଅତୀତରେ ଆସିଥିବା ସ୍ପାନିଶ୍ ଫ୍ଲୁ ବର୍ଷେ ପରେ ଚିହ୍ନଟ ହୋଇଥିଲା। ପରବର୍ତୀ ସମୟରେ ଆହୁରି ୩/୪ବର୍ଷ ଧରି ଚାଲିଥିଲା। ମାତ୍ର କରୋନା କ୍ଷେତ୍ରରେ ଏହା ଅଲଗା। ଚୀନ୍‌ରେ ଡିସେମ୍ବର ଶେଷ ସପ୍ତାହରେ ଯେତେବେଳେ କିଛି ବ୍ୟକ୍ତି ଅଜଣା ରୋଗରେ ପ୍ରାଣ ହରାଇଲେ ସେତେବେଳେ ଏହା ସମସ୍ତଙ୍କ ନଜରକୁ ଆସିଥିଲା। ଏହା ଭିତରେ ୨ବର୍ଷ ଅତିକ୍ରମ କରିଛି। ସ୍ପାନିଶ୍ ଫ୍ଲୁ ସମୟରେ ଏତେ ଜଲ୍‌ଦି ଟିକା ବାହାରି ନ ଥିଲା। ଏବେ ଯେଉଁଭଳି ଭାବେ କରୋନା ଉପରେ ଗବେଷଣା ଜାରି ରହିଛି ଆଉ କମ୍ ଦିନ ଭିତରେ ମହାମାରୀକୁ ନିୟନ୍ତ୍ରଣ କରିବାରେ ସକ୍ଷମ ହୋଇପାରିବା। ଜଣେ ବ୍ୟକ୍ତିଙ୍କୁ ନମୁନା ପରୀକ୍ଷାରେ ଚିହ୍ନଟ କରାଯାଉଥିବା ବେଳେ ଅନେକ ଲକ୍ଷଣ ବିହୀନ ରୋଗୀ ମଧ୍ୟ ରହିଛନ୍ତି। ସେମାନେ ଗୋଷ୍ଠୀସ୍ତରରେ ସଂକ୍ରମଣ ବଢ଼ାଉଛନ୍ତି। ତେଣୁ ‌ଗୋଷ୍ଠୀରେ ବହୁ ସଂଖ୍ୟାରେ ଲୋକ ସଂକ୍ରମିତ ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଫଳରେ ଧୀରେ ଧୀରେ ମହାମାରୀ ନିୟନ୍ତ୍ରଣକୁ ଆସିବ।

ସେ ଆହୁରିମଧ୍ୟ କହିଥିଲେ ଯେ କରୋନା ପାଇଁ ବର୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ଔଷଧ ନାହିଁ। ଯାହା ବି ଉପଲବ୍ଧ ହେଉଛି ସେସବୁ ଜରୁରୀକାଳୀନ ବା ଗବେଷଣା ଭିତ୍ତିକ ଔଷଧ। ଏହା ଅନେକ କ୍ଷେତ୍ରରେ ସହାୟକ ହୋଇପାରୁଛି। ମାତ୍ର ଟିକା ଏ କ୍ଷେତ୍ରରେ ବେଶ୍‌ ଫଳପ୍ରଦ ପାଲଟିଛି। ତେଣୁ ଲୋକମାନେ ଟିକା ନେବା ପାଇଁ ଆଗେଇ ଆସିବା ଦରକାର। କରୋନା ପାଇଁ ଟିକା ବାହାରିବାରେ ଅନେକ ବିକଶିତ ଦେଶ ନିଜ ଦେଶରେ ବାହାରିଥିବା ଟିକାକୁ ମହଜୁଦ କରି ରଖିଲେ। ଯାହାଫଳରେ ଅନେକ କମ୍ ବିକଶିତ ଦେଶମାନଙ୍କୁ ଟିକା ପାଇବାରେ ସମସ୍ୟା ସୃଷ୍ଟି ହୋଇଥିଲା। ମାତ୍ର ଭାରତ ଏ କ୍ଷେତ୍ରରେ ଏକ ସୌଭାଗ୍ୟଶାଳୀ ଦେଶ। ‘ମେକ୍ ଇନ ଇଣ୍ଡିଆ’ କାର୍ଯ୍ୟକ୍ରମ ଜରିଆରେ ଦେଶରେ ଟିକା ଉତ୍ପାଦନ ଯଥେଷ୍ଟ ବଢ଼ିଥିଲା। ଯାହାଫଳରେ କମ୍ ସମୟ ଭିତରେ ଲୋକମାନଙ୍କୁ ଟିକା ଦେବା ସମ୍ଭବ ହୋଇଥିଲା ବୋଲି ଡା.ମହାନ୍ତି କହିଥିଲେ।

କିମ୍‌ସର କ୍ରିଟିକାଲ କେୟାର କନସଲଟାଣ୍ଟ ଡା.ହରିଶ ଚନ୍ଦ୍ର ଚୌଧୁରୀ କହିଥିଲେ, କରୋନାର ଦୁଇ ଦୁଇଟି ଲହର ଶେଷ ହୋଇଯାଇଥିଲେ ମଧ୍ୟ ଆମେ ଏବେ ବି ରିଅଲ ଟାଇମ୍‌ରେ ଜିନମ ସିକ୍ବେନ୍ସିଂ କରିବାରେ ସକ୍ଷମ ହୋ‌ଇପାରି ନାହୁଁ। ମହାମାରୀର ସାମ୍ନା କରିବାକୁ ହେଲେ ତଥ୍ୟଭିତ୍ତିକ ଅନୁଶୀଳନ ହେବା ଦରକାର। ଦ୍ବିତୀୟ ଲହର ସମୟରେ କେନ୍ଦ୍ର ସରକାର ବାରମ୍ବାର ଚିକିତ୍ସା ପ୍ରୋଟୋକଲରେ ପରିବର୍ତନ କରିଥିଲେ। ସରକାରୀ ଯୋଜନା ଭଳି ଗାଇଡଲାଇନ୍ ଘୋଷଣା ହୋଇଥିଲା। ଆଗାମୀ ଦିନରେ ଯଦି କରୋନାର ନୂଆ ପ୍ରଜାତି ଆସେ, ଓମିକ୍ରନ୍ ତୁଳନାରେ ଅଧିକ କ୍ଷମତାଶୀଳ ଥାଏ ତାହାଲେ ଏହାର ତୁରନ୍ତ ଜିନମ ସିକ୍ବେନ୍ସିଂ କରି ଏହାର ଚିକିତ୍ସା କ’ଣ ରହିବ ତାହା ନେଇ ବି ଗବେଷଣା ଜାରି ରହିବା ଦରକାର। ପ୍ରାଥମିକ ପର୍ଯ୍ୟାୟରେ ସଂକ୍ରମଣକୁ ରୋକିବା ପାଇଁ କଟକଣା ଛଡ଼ା ଆମ ପାଖରେ ବର୍ତମାନ ସୁଦ୍ଧା ଅନ୍ୟ କୌଣସି ପଦ୍ଧତି ନାହିଁ। କରୋନା ‌ପାଇଁ ଲୋକମାନଙ୍କୁ ଯେତିକି ସଚେତନ କରାଯାଇଛି ଏଥିରେ ଲୋକମାନଙ୍କ ଭିତରେ ଭୟ ମଧ୍ୟ ବଢ଼ିଛି। ଆଜି ପର୍ଯ୍ୟନ୍ତ ଗ୍ରାମାଞ୍ଚଳ, ସହରାଞ୍ଚଳ କିମ୍ବା କପୋରେଟ୍‌ ହସ୍ପିଟାଲ ଗୋଟିଏ ଚିକିତ୍ସା ପଦ୍ଧତି ଅବଲମ୍ବନ କରୁନାହାନ୍ତି। ଆହୁରି ସ୍ପଷ୍ଟ ଭାବେ କହିଲେ, ଗ୍ରାମାଞ୍ଚଳରେ ଚିକିତ୍ସା କରୁଥିବା ଡାକ୍ତର ରୋଗୀସେବା ପାଇଁ ଯେଉଁ ଚିକିତ୍ସା ପଦ୍ଧତି ଅବଲମ୍ବନ କରୁଛନ୍ତି ବଡ଼ ହସ୍ପିଟାଲ ବେଳକୁ ଏହି ପଦ୍ଧତିରେ ପରିବର୍ତନ ହୋଇଯାଉଛି। ତେଣୁ ଦେଶବ୍ୟାପୀ ସମାନ ଚିକିତ୍ସା ପ୍ରୋଟୋକଲ ହୋଇପାରି ନ ଥିବାରୁ ଆଗକୁ ଏଭଳି ଲହର ଆସିଲେ ଚିକିତ୍ସା ବ୍ୟବସ୍ଥାରେ ବ୍ୟାଘାତ ସୃଷ୍ଟି ହେବ। କାରଣ ଟେଲି ମେଡିସିନ୍‌ରେ ସାମାନ୍ୟ କିମ୍ବା ଅତି କମ୍ ଲକ୍ଷଣ ଥିବ‌ା ରୋଗର ଚିକିତ୍ସା ସମ୍ଭବ। ହେଲେ ଗୁରୁତର ଲକ୍ଷଣ କିମ୍ବା ଶ୍ବାସକ୍ରିୟା ଜନିତ ସମସ୍ୟା ପାଇଁ ଡାକ୍ତରଙ୍କ ପାଖକୁ ଆସିବାକୁ ହେବ ବୋଲି ଡା.ଚୌଧୁରୀ କହିଛନ୍ତି।

ପ୍ରାରମ୍ଭରେ ‘ସମ୍ବାଦ’ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଥିଲେ ଯେ ଏବେ କରୋନାର ତୃତୀୟ ଲହର ଚାଲିଛି। ଏହାକୁ ନେଇ ଅନେକ ଆଶା ଓ ଆଶଙ୍କା ସମସ୍ତଙ୍କୁ ବିବ୍ରତ କରୁଛି। ବିଗତ ୨ବର୍ଷ ଭିତରେ ଦୁନିଆକୁ ଦେଖିବା ଓ ବୁଝିବାରେ ବଡ଼ ପରିବର୍ତନ ଆସିଛି। ପିଲାଦିନେ ପଢ଼ା ଯାଉଥିଲା ମଣିଷ ଏକ ସାମାଜିକ ପ୍ରାଣୀ। ହେଲେ ଏବେ ସାମାଜିକ ଦୂରତା ରକ୍ଷା କରିବା କଥା କୁହାଯାଉଛି। କରୋନା ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ। ପିଲାମାନେ ସ୍କୁଲ ମାଡ଼ି ନ ଥିବା ବେଳେ କିଛି ଭାଗ୍ୟବାନ ଲୋକଙ୍କ ପିଲାମାନେ ଅନଲାଇନ୍ ପାଠ ପଢ଼ିବାର ସୁଯୋଗ ପାଇପାରିଛନ୍ତି। କିନ୍ତୁ ସେମାନଙ୍କର ପାଠ ଯେଉଁଭଳି ହେବା କଥା ତାହା ହୋଇନାହିଁ। କରୋନା ସମୟରେ ସବୁକିଛିକୁ ପଛରେ ପକାଇ ସମସ୍ତେ ସ୍ବାସ୍ଥ୍ୟ ପଛରେ ଧାଇଁଛନ୍ତି। ଲୋକଙ୍କ ଭିତରେ ଅନ୍ଧବିଶ୍ବାସକୁ ଦୂରେଇ ସତ କଥା ଜାଣିପାରିଲେ ଏଭଳି ମହାମାରୀକୁ ସାମ୍‌ନା କରିବାର ସାମର୍ଥ୍ୟ ଆମ ପାଖରେ ରହିପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କନକ ନ୍ୟୁଜ୍‌ର ଡେପୁଟି ଏଡିଟର ସ୍ବୟଂ ପ୍ରକାଶ ମହାପାତ୍ର ଅଧିବେଶନକୁ ସଞ୍ଚାଳନ କରିଥିଲେ।

ସମ୍ବନ୍ଧିତ ଖବର