ବିଫଳତାକୁ ଗ୍ରହଣ କରିବାର ଶକ୍ତି ପିଲାଙ୍କୁ ଶିଖାଇବାକୁ ହେବ: ଗୌରୀ
‘କନକ ନ୍ୟୁଜ୍’ ଓଡ଼ିଶା ଶିକ୍ଷା କନକ୍ଲେଭ୍ ‘ଉତ୍କର୍ଷ’
ଭୁବନେଶ୍ବର : ଜନ୍ମରୁ ପ୍ରତ୍ୟେକ ପିଲାଙ୍କ ପାଖରେ କିଛି ନା କିଛି ପ୍ରତିଭା ରହିଥାଏ। ଯଦି କୌଣସି ପିଲା ଅଧିକ ନମ୍ବର ରଖିବାରେ ବିଫଳ ହେଉଛି, ତା’ ଅର୍ଥ ନୁହେଁ ଯେ ପିଲା ନିକଟରେ କୌଣସି ପ୍ରତିଭା ନାହିଁ। ଏଭଳି କ୍ଷେତ୍ରରେ ପିଲା ନିକଟରେ ରହିଥିବା ପ୍ରତିଭାକୁ ଖୋଜିବା ଓ ଉପଯୁକ୍ତ ମଞ୍ଚ ଯୋଗାଇ ଦେବାର ଆବଶ୍ୟକତା ରହିଛି। ବିଫତଳାକୁ ଗ୍ରହଣ କରିବାର ଶକ୍ତି ପିଲାଙ୍କୁ ଶିଖାଇବାକୁ ହେବ। ଜୀବନରେ ଜଣେ ସବୁବେଳେ ସଫଳ ହୋଇ ନଥାଏ। ମାତ୍ର ଆମର ଶିକ୍ଷା ବ୍ୟବସ୍ଥାରେ ଅଧିକ ନମ୍ବର ରଖି ନ ପାରିଲେ ଜଣେ ଅସଫଳ ବୋଲି ବିବେଚନା କରାଯାଇଥାଏ, ଯାହାକି ଭୁଲ୍। ତାହା ସେମାନଙ୍କ ମନରୁ ଦୂର କରିବାକୁ ହେବ। ଏଥିପାଇଁ ପିତାମାତା ଓ ଶିକ୍ଷକଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଜି କନକ ନ୍ୟୁଜ୍ ପକ୍ଷରୁ ହୋଟେଲ ମେ’ ଫେୟାରରେ ଆୟୋଜିତ ଓଡ଼ିଶା ଶିକ୍ଷା କନକ୍ଲେଭ୍ ‘ଉତ୍କର୍ଷ’ରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଏକଥା କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ପଦ୍ମଶ୍ରୀ ଗୌରୀ ଈଶ୍ବରନ୍।
Sambad is now on WhatsApp
Join and get latest news updates delivered to you via WhatsApp
‘ଉତ୍କର୍ଷ’ର ପ୍ରଥମ ଅଧିବେଶନ ରହିଥିଲା ପଦ୍ମଶ୍ରୀ ଗୌରୀ ଈଶ୍ବରନ୍ଙ୍କ ସହିତ ଆଳାପ। ପଞ୍ଚମୀ ମାନୁ ଉକିଲଙ୍କ ସହ ଆଲୋଚନାରେ ଶ୍ରୀମତୀ ଈଶ୍ବରନ୍ କହିଥିଲେ ଯେ ବିଫଳତାକୁ ପାଥେୟ କରି କିଭଳି ଆଗକୁ ବଢ଼ିବାକୁ ହେବ, ତାହା ପିଲାମାନଙ୍କୁ ଶିଖାଇବାକୁ ହେବ। ପିଲାକୁ ଆଗକୁ ବଢ଼ିବା ପାଇଁ ବିଶ୍ବାସ ଓ ମୂଲ୍ୟବୋଧ ପ୍ରଦାନ କଲେ ଆଗକୁ ଯାଇ ଜଣେ ସୁନାଗରିକ ହୋଇପାରିବ। ଯଦି ଦେଶର ପ୍ରତ୍ୟେକ ପିଲାଙ୍କୁ ଶିକ୍ଷା ନ ମିଳିବ, ଦେଶ ଆଗକୁ ଯାଇ ପାରିବ ନାହିଁ। ପୁରାତନ ଶିକ୍ଷା ପଦ୍ଧତିରୁ ଯାହା ଆବଶ୍ୟକ ତାହାକୁ ଗ୍ରହଣ କରିବା ସହ ଆଜି ଓ ଆଗାମୀ ଦିନରେ ଯାହା ଆବଶ୍ୟକ ତାହାକୁ ଗୁରୁତ୍ବ ଦେବାକୁ ହେବ। ପୁରାତନ ଶିକ୍ଷା ପଦ୍ଧତିରେ କେବଳ ନମ୍ବର ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ ଏଥିରେ ପିଲାର ଚରିତ୍ର ଗଠନ ଉପରେ ଗୁରୁତ୍ବ ଦିଆଯାଇ ନଥାଏ। ଆଜିର ସମୟରେ କେବଳ ଶ୍ରେଣୀଗୃହରେ ଶିକ୍ଷା ସୀମିତ ରହିପାରିବ ନାହିଁ। ଆଗାମୀ ଦିନରେ ପିଲାମାନେ ଯେଉଁପ୍ରକାର ବ୍ୟବସ୍ଥାର ସମ୍ମୁଖୀନ ହେବେ, ତାହା ସେମାନଙ୍କୁ ଶିଖାଇବାକୁ ପଡ଼ିବ।
ସେ ଆହୁରି ମଧ୍ୟ କହିଥିଲେ ଯେ ଏହାସହ ଶିକ୍ଷକମାନଙ୍କ ତାଲିମ୍କୁ ମଧ୍ୟ ସମୟ ଉପଯୋଗୀ କରିବାକୁ ହେବ। ଆମର ବି.ଏଡ୍ ଶିକ୍ଷା ବ୍ୟବସ୍ଥା ଶ୍ରେଣୀ ଗୃହରେ ପିଲାମାନଙ୍କ ପରିବର୍ତନ ଦିଗରେ ବିଶେଷ ସଫଳ ହେଉନାହିଁ। ବିଜ୍ଞାନ ଓ କାରିଗରୀ କୌଶଳ ଆସିବା ପରେ ଆଗକୁ ଶିକ୍ଷକମାନଙ୍କର କୌଣସି ଭୂମିକା ରହିବ ନାହିଁ ବୋଲି ଆଲୋଚନା ହେଉଛି। ମାତ୍ର ଶିକ୍ଷକମାନଙ୍କର ସବୁବେଳେ ଆବଶ୍ୟକତା ରହିବ। ଆଜିର ସମୟରେ କେବଳ ପାଠ୍ୟକ୍ରମକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ବେଳେ ପିଲାକୈନ୍ଦ୍ରିକ ଶିକ୍ଷାଦାନକୁ ବିଚାରକୁ ନିଆଯାଉନାହିଁ। ଶିକ୍ଷକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ତେଣୁ ଶିକ୍ଷକଙ୍କ ତାଲିମ୍କୁ ଗୁରୁତ୍ବ ଦିଆଯିବା ସହ ଶ୍ରେଣୀ ଭିତରେ ଓ ବାହାରେ କ’ଣ ଘଟୁଛି, ତାହା ଉପରେ ନଜର ଦେବାକୁ ହେବ। ଏହାସହ ଶିକ୍ଷକଙ୍କ ସାମାଜିକ ସ୍ଥିତିକୁ ମଧ୍ୟ ବଢ଼ାଇବାକୁ ହେବ। ବିଶେଷକରି ସ୍କୁଲରେ ଶିକ୍ଷାଦାନ କରୁଥିବା ଶିକ୍ଷକଙ୍କୁ ଅଧିକ ଗୁରୁତ୍ବ ଦିଆଯିବା ଆବଶ୍ୟକ। ଗୋଟିଏ ପିଲା ନିଜ ଘରୁ ହିଁ ମୂଲ୍ୟବୋଧ ଶିଖିଥାଏ। ଆଜିର ପିତାମାତାଙ୍କ ନିକଟରେ ସମୟ ନ ଥିବା ବେଳେ ପିଲାର ବିକାଶ ପାଇଁ କେବଳ ସ୍କୁଲ ଉପରେ ଦାୟିତ୍ବ ଛାଡ଼ିଦେଲେ ହେବ ନାହିଁ। ଏଥିପାଇଁ ଉଭୟ ପିତାମାତା ଓ ଶିକ୍ଷକଙ୍କୁ ଏକତ୍ର ହୋଇ କାମ କରିବାକୁ ହେବ। ଦେଶର ୮୫ ପ୍ରତିଶତ ପିଲା ସରକାରୀ ବିଦ୍ୟାଳୟରେ ପଢ଼ୁଛନ୍ତି। ତେଣୁ କେବଳ ବେସରକାରୀ ସ୍କୁଲଗୁଡ଼ିକ ଉପରେ ଧ୍ୟାନ ଦେଲେ ହେବ ନାହିଁ। ସର୍ବାଧିକ ଛାତ୍ରଛାତ୍ରୀ ପଢ଼ୁଥିବା ଏସବୁ ସ୍କୁଲଗୁଡ଼ିକରେ ଭିତ୍ତିଭୂମିର ବିକାଶ ସହ ତଦାରଖ ଉପରେ ମଧ୍ୟ ଗୁରୁତ୍ବ ଦେବାକୁ ହେବ ବୋଲି ଶ୍ରୀମତୀ ଈଶ୍ବରନ୍ କହିଥିଲେ।
ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ବିକାଶ ଓ ସମାଜରେ ପରିବର୍ତନ ପାଇଁ ଶିକ୍ଷାଠାରୁ ବଡ଼ କିଛି ନାହିଁ। ସମାଜରେ ବୈଷମ୍ୟ ଦୂର କରିବା କ୍ଷେତ୍ରରେ ହେଉ ବା ମହିଳା ସଶକ୍ତୀକରଣ କଥା, ଏଥିପାଇଁ ଶିକ୍ଷା ନିତାନ୍ତ ଆବଶ୍ୟକ। ମାତ୍ର ଆଜିର ସମୟରେ ସରକାରୀ ଶିକ୍ଷା ବ୍ୟବସ୍ଥା ବେସରକାରୀ ଶିକ୍ଷାନୁଷ୍ଠାନ ତୁଳନାରେ ପଛରେ ପଡ଼ି ଯାଇଛି। ଏଥିପାଇଁ ଶିକ୍ଷକ ଓ ବ୍ୟବସ୍ଥା ଯେତିକି ଦାୟୀ, ପିତାମାତାମାନେ ମଧ୍ୟ ସମ ପରିମାଣର ଦାୟୀ। ସରକାରୀ ବ୍ୟବସ୍ଥାକୁ ଛୋଟ କରି ଦେଖାଇବାର ପ୍ରବୃତ୍ତି ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ଅଧିକ ପ୍ରଭାବୀ ଦର୍ଶାଯାଉଛି। ଯଦି ଶିକ୍ଷା ବୈଷମ୍ୟ ଦୂର କରିବାର ପ୍ରକ୍ରିୟା, ତେବେ ଆଧୁନିକ ଶିକ୍ଷା ପଦ୍ଧତି ତାହା କରିବାରେ ସଫଳ ହେଉଛି କି ? ଶିକ୍ଷା ବିକାଶର ମାର୍ଗକୁ ପ୍ରଶସ୍ତ କରିବ ବୋଲି ବିଚାର କରାଯାଉଥିବା ବେଳେ ଅନେକ ସମୟରେ ତାହା ମାତ୍ର ଶ୍ରେଣୀକକ୍ଷ ଓ ପିଲାଙ୍କ ସଂଖ୍ୟାରେ ସୀମିତ ରହୁଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ସେ ଆହୁରି କହିଥିଲେ ଯେ ପିତାମାତାମାନେ ନିଜ ପିଲାଙ୍କ ଜରିଆରେ ନିଜର ଅଭିଳାଷ ପୂରଣ କରିବାକୁ ଚାହୁଁଛନ୍ତି। ସେମାନେ ଯାହା ହୋଇପାରି ନାହାନ୍ତି, ନିଜ ପିଲା ସେହି ସଫଳତା ହାସଲ କରୁ ବୋଲି ଚାହୁଁଛନ୍ତି। ପିଲାମାନେ ଶିକ୍ଷିତ ହୁଅନ୍ତୁ, ମାତ୍ର ଡିଗ୍ରି ଧରି ଚାକିରି ପଛରେ ଗୋଡ଼ାଇବା ପ୍ରବୃତ୍ତିରୁ ଦୂରେଇ ରହିବା ଦରକାର। ବୃତ୍ତି ଓ ପ୍ରବୃତ୍ତି ମେଳ ନ ଖାଇଲେ ଶିକ୍ଷାର କୌଣସି ମୂଲ୍ୟ ରହିବ ନାହିଁ। ବୃତ୍ତି ଓ ପ୍ରବୃତ୍ତିର ମିଳନ ପାଇଁ ଶିକ୍ଷା ଏକ ମାଧ୍ୟମ ସାଜିବା ଦରକାର ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ। ଏହି ଅବସରରେ +୨ରେ ସଫଳତା ହାସଲ କରିଥିବା ଶିବାନୀ ପତ୍ରୀ ଓ ସୋହେଲ ଇଜାଜ୍ଙ୍କୁ ପୁରସ୍କୃତ କରାଯାଇଥିଲା।