କନକ ନ୍ୟୁଜ୍‌ର ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍’ : ସକାରାତ୍ମକ ଖବର ପ୍ରକାଶ ପାଉ – ପ୍ରଭୁ ଚାୱଲା

ଓଡ଼ିଶା ବିଶ୍ୱର ସବୁଠୁ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ, ମୋଦୀଙ୍କ ବିରୋଧରେ କିଛି ଲେଖିଲେ ସେ ଖରାପ ଭାବିବେନି

ଭୁବନେଶ୍ବର : ଓଡ଼ିଶାର ପରିଚୟ କେବଳ କଳହାଣ୍ଡି ନୁହେଁ। ବିହାର ଓ ଛତିଶଗଡ଼ ଭଳି ରାଜ୍ୟରେ ବି ବହୁ ଲୋକ ଭୋକରେ ମରିଛନ୍ତି। ଓଡ଼ିଶାର ସଂସ୍କୃତି, ଐତିହ୍ୟ, ପରମ୍ପରା, ଭାଷା, ବେଳାଭୂମି ଏତେ ସମୃଦ୍ଧ ଯେ ଏହା ଭାରତର କୌଣସି ରାଜ୍ୟ ତୁଳନାରେ କମ୍‌ ନୁହେଁ। ତେଣୁ ଗଣମାଧ୍ୟମରେ ଓଡ଼ିଶାକୁ ନେଇ ସକାରାତ୍ମକ ଖବର ପ୍ରକାଶ କରିବାକୁ ହେବ। ଆଞ୍ଚଳିକ ଗଣମାଧ୍ୟମ ଓଡ଼ିଶାର ପ୍ରଚାର ପ୍ରସାର କଲେ ଜାତୀୟ ଗଣମାଧ୍ୟମ ଓଡ଼ିଶାର ପ୍ରଚାର କରିବ। ଆଜି କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌’ରେ ଯୋଗ ଦେଇ ଏହା କହିଛନ୍ତି ପ୍ରଖ୍ୟାତ ସାମ୍ବାଦିକ ତଥା ଦି ନିଉ ଇଣ୍ଡିଆନ୍ ଏକ୍ସପ୍ରେସ୍‌ର ସମ୍ପାଦକୀୟ ନିର୍ଦ୍ଦେଶକ ପ୍ରଭୁ ଚାୱଲା।

‘ଓଡ଼ିଶା ନିର୍ମାଣରେ ଗଣମାଧ୍ୟମର ଭୂମିକା’ ବିଷୟବସ୍ତୁ ଉପରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ଅବସରରେ ଶ୍ରୀ ଚାୱଲା କହିଥିଲେ ଯେ ସାମ୍ବାଦିକମାନେ ଭାବନ୍ତି ଯେ ପାଠକ କେବଳ ନକାରାତ୍ମକ ଖବରକୁ ପଢ଼ନ୍ତି, ସକାରାତ୍ମକ ଖବରକୁ ପଢ଼ନ୍ତିନି। ତାହା ଭୁଲ୍‌। ସକାରାତ୍ମକ ଖବରକୁ ଯଦି ଭଲ ଭାବେ ଉପସ୍ଥାପନ କରିହେବ ତେବେ ପାଠକଙ୍କ ଦ୍ବାରା ଆଦୃତ ହେବ।

ଓଡ଼ିଶାର ବହୁତ ଭଲ ଖବର ଅଛି। ଓଡ଼ିଶାର ଖାଦ୍ୟ, ବନ୍ୟପ୍ରାଣୀ, ସଂସ୍କୃତି ବହୁତ ଆକର୍ଷଣୀୟ। ଆଗରୁ ନକ୍ସଲଙ୍କ ଦୌରାତ୍ମ୍ୟ ଥିଲା। କିନ୍ତୁ ଏବେ ନାହିଁ। ଓଡ଼ିଶା ଶାନ୍ତି ପ୍ରିୟ ରାଜ୍ୟ ବୋଲି ପ୍ରଚାର ହେବା ଦରକାର। ଯାହାକୁ ଜାତୀୟସ୍ତରର ଗଣମାଧ୍ୟମର ସାମ୍ବାଦିକମାନେ ଅଗ୍ରାଧିକାର ଦେଇପାରିବେ। ଓଡ଼ିଶାରେ ଯାହା ସବୁ ଭଲ ଘଟୁଛି ତାହାକୁ ଜାତୀୟ ସ୍ତରରେ ଉପସ୍ଥାପନ କରିବା ଲାଗି ଦିଲ୍ଲୀ ଓ ମୁମ୍ବାଇ ଭଳି ସହରରେ ଆଲୋଚନାଚକ୍ର ଓ ସମ୍ମିଳନୀ ହେବା ମଧ୍ୟ ଦରକାର। ସେଠାରେ ବି ବହୁତ ଆଇଏଏସ୍‌, ଉଚ୍ଚପଦସ୍ଥ ଅଧିକାରୀଙ୍କଠାରୁ ଆରମ୍ଭ କରି ପାଇପ୍ ମିସ୍ତ୍ରୀ ପର୍ଯ୍ୟନ୍ତ ଅଛନ୍ତି। ଓଡ଼ିଶାର ଭଲ କଥା ବିଷୟରେ ଜାଣିବାକୁ ସମସ୍ତଙ୍କର ଆଗ୍ରହ ଅଛି।

ସକାରାତ୍ମକ ଖବରକୁ ଏମିତି ଉପସ୍ଥାପନ କରିବା ଦରକାର ଯେମିତି ପାଠକ ଅନୁଭବ କରିପାରିବନି ଏଥିରେ ରାଜନୀତି ଅଛି କି ସାମ୍ବାଦିକ ବିକ୍ରି ହୋଇଯାଇଛି। ଏଥିପାଇଁ ସାମ୍ବାଦିକଙ୍କୁ ପ୍ରଶିକ୍ଷଣ ଦେବା ଦରକାର। ଉଦାହରଣ ସ୍ବରୂପ ପୁରୀର ବିକାଶକୁ ନେଇ ଖବର ପରିବେଷଣ କଲାବେଳେ ଯଦି ନବୀନ ପଟ୍ଟନାୟକ କରୁଛନ୍ତି ବୋଲି ଲେଖାଯାଏ ତେବେ ‌ଲୋକ କହିବେ ରାଜନୀତି ହେଉଛି। ‌ଯଦି ପୁରୀର ଇତିହାସ କହିବେ, ଏହି ବିକାଶ ଦ୍ବାରା କ’ଣ ହେବ, ପୁରୀ ସ୍ବଚ୍ଛ ସହର ହେବାକୁ ଯାଉଛି ବୋଲି ଲେଖାଯାଏ ତେବେ ଏହା ପୁରୀକୁ ବହୁ ଉଚ୍ଚକୁ ନେବ।

ଓଡ଼ିଶା ବିଶ୍ବର ସବୁଠୁ ଶ୍ରେଷ୍ଠ ପର୍ଯ୍ୟଟନସ୍ଥଳୀ। ଏହାକୁ ନେଇ ଗଣମାଧ୍ୟମ ବଡ଼ ଭୂମିକା ନିର୍ବାହ କରିପାରିବ। କେମିତି ନିୟମ ବଦଳାଇବା‌ ଦରକାର, ଅଧିକ ହୋଟେଲ୍‌ କେମିତି ହେବ, ସଂଯୋଗୀକରଣ କିପରି ହେବ ସେନେଇ ଗଣମାଧ୍ୟମ ଉଲ୍ଲେଖନୀୟ ଭୂମିକା ନେଇପାରିବ।

ଭଲ ଖବର ପରିବେଷଣ ହେଲେ ଲୋକ ତାହାକୁ ପଢ଼ିବେ। ପୁରୀ ଉପରେ ଯଦି ଅଧିକ ଖବର ପରିବେଷଣ ହେବ ତେବେ ପର୍ଯ୍ୟଟନର ବିକାଶ ହେବ, ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବାହାର ରାଜ୍ୟରେ ଯେଉଁଠି ଏହିଭଳି ସ୍ଥାନ ଥିବ ସେଠାକର ମୁଖ୍ୟମନ୍ତ୍ରୀମାନେ ବି ଭାବିବେ ଯେ ଆମର କାହିଁକି ଏମିତି ହେବନି। ଭଲ ଖବର ଏମିତି ଖବର ଯାହା ସମାଜର ସବୁ ବର୍ଗ ଉପରେ ଭଲ ପ୍ରଭାବ ପକାଇବ। ଖବରକାଗଜ ସର୍ବଦା ସବୁ ବର୍ଗର ଲୋକଙ୍କ ଉପରେ ଖବର ପରିବେଷଣ କରିବା ଦରକାର।

ଶ୍ରୀ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଚାୱଲା କହିଥିଲେ ଯେ ଏବେ ସାମ୍ବାଦିକତା ଖରାପ ହେଉଛି, ସେଥିପାଇଁ ସମ୍ବା‌ଦପତ୍ରର ମାଲିକ, ସମ୍ପାଦକ, ସାମ୍ବାଦିକ ଦାୟୀ। କାରଣ କେହି ଦାୟିତ୍ବ ନେବାକୁ ନାହାନ୍ତି କି ଯାଞ୍ଚ କରିବାକୁ ନାହାନ୍ତି। ସମ୍ପାଦକମାନେ ଖବରର ସତ୍ୟତା ଯାଞ୍ଚ କରୁନାହାନ୍ତି। ରାଜନୈତିକ ବ୍ୟକ୍ତି ତ ଲୋକପ୍ରିୟ ହେବାକୁ ଚାହିଁବେ। ଟଙ୍କା ଦେଇ କେହି ସବୁଦିନ ପାଇଁ ଲୋକପ୍ରିୟ ହୋଇଯିବେନି। ସେ ଲୋକପ୍ରିୟ ହୋଇପାରିବ ଯେତେବେଳେ ତା’ର ସବୁ ଦିଗ ଉପରେ ଖବର ପ୍ରକାଶ ପାଇବ। ଉଦାହରଣ ଦେଇ ଶ୍ରୀ ଚାୱଲା କହିଥିଲେ ଯେ ନରେନ୍ଦ୍ର ମୋଦୀଙ୍କୁ ସବୁଠୁ ଭଲ ପ୍ରଧାନମନ୍ତ୍ରୀ କୁହାଯାଉଛି। ହେଲେ ସାମ୍ବାଦିକ ନିଜେ ନିଷ୍ପତ୍ତି ନେଇଯାଉଛି ଯେ ମୋଦୀଙ୍କ ବିରୋଧରେ ଖବର ପରିବେଷଣ ହେଲେ ସେ ଖରାପ ଭାବିବେ। ମୁଁ ଯେତିକି ଜାଣିଛି ମୋଦୀଙ୍କ ବିରୋଧରେ କିଛି ଲେଖିଲେ ସେ ଖରାପ ଭାବିବେନି। ତାଙ୍କୁ ଖବର ଲୁଚାଇ ବରଂ ଆମେ ଶତ୍ରୁତା କରୁଛୁ। ଏଥିରେ ନିଜର ବିଶ୍ବସନୀୟତା ମଧ୍ୟ ଖରାପ ହେଉଛି।

ସେ କହିଥିଲେ ଯେ ଖବରକାଗଜ ସଂସ୍ଥାକୁ ମାନିବାକୁ ପଡ଼ିବ ଯେ ଗ୍ରାହକ ସକାଳେ ନିଶ୍ଚିତ ଖବରକାଗଜ ‌କିଣିବ। ହୋଟେଲକୁ ଖାଇବାକୁ ଗଲେ ଯେମିତି ଟଙ୍କା ଦେବାକୁ ପଡ଼େ, ସେହିପରି ଖବରକାଗଜ ଯାହାର ପଢ଼ିବାର ଅଛି ସେ ଖବରକାଗଜର ମୂଲ୍ୟ ୫ଟଙ୍କାରୁ ୧୦ଟଙ୍କା ହେଲେ ବି ନିଶ୍ଚିତ କିଣିବ। ଖବରକାଗଜର ଅର୍ଥନୈତିକ ବ୍ୟବସ୍ଥାକୁ ବଦଳାଇବାକୁ ପଡ଼ିବ। ଆମକୁ ବିଜ୍ଞାପନରୁ ରାଜସ୍ବ ଆଶା ନକରି ୬୦% ଖର୍ଚ୍ଚ ଗ୍ରାହକଙ୍କଠାରୁ ପାଇବାକୁ ହେବ। ଏଥିପାଇଁ ସବୁ ଗଣମାଧ୍ୟମ ସଂସ୍ଥା ମିଶି ନିଷ୍ପତ୍ତି ନେବା ଦରକାର। ଖବରକାଗଜ ଚଲାଇବା ବ୍ୟବସାୟ ନୁହେଁ ଏହା ଏକ ମିସନ୍ ହେବା ଉଚିତ।

ସମ୍ବନ୍ଧିତ ଖବର