ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନକୁ ନେଇ ସମଗ୍ର ବିଶ୍ବରେ ଚିନ୍ତାପ୍ରକାଶ ପାଉଥିବା େବଳେ ଓଡ଼ିଶାର ସବୁଠାରୁ ବଡ଼ ଗଣମାଧ୍ୟମ ପ୍ରତିଷ୍ଠାନ ‘ସମ୍ବାଦ’ ଗ୍ରୁପ୍‌ ଏ ସଂକ୍ରାନ୍ତରେ ପୂରା ଓଡ଼ିଶାକୁ ଏକାଠି କରିବା ଲାଗି ଅଣ୍ଟା ଭିଡ଼ିଛି। ଆସନ୍ତାକାଲି ପାଇଁ ଆଜି ସ୍ଲୋଗାନ୍‌ ଦେଇ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ରାଜ୍ୟର ପ୍ରତି ଘରେ ପହଞ୍ଚାଇବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ଶୁକ୍ରବାରଠାରୁ ‘ସମ୍ବାଦ’ରେ ୬୦ ଦିନ ଧରି ସ୍ବତନ୍ତ୍ର ପୃଷ୍ଠା ପ୍ରକାଶ ପାଇବ। ଓଡ଼ିଶାର ଯେଉଁଠି ଯିଏ ବି ପରିବେଶ ସୁରକ୍ଷା ନେଇ କାର୍ଯ୍ୟକ୍ରମ କରୁଛନ୍ତି, ସମସ୍ତଙ୍କୁ ଏହି ପୃଷ୍ଠା ଜରିଆରେ ଯୋଡ଼ିବା ଲାଗି ନିଷ୍ପତ୍ତି ନିଆଯାଇଛି। ସେହିଭଳି ‘କନକ ନ୍ୟୁଜ୍‌’ ପକ୍ଷରୁ ମଧ୍ୟ ଶୁକ୍ରବାର ରାତି ୧୦ଟା ୩୦ ମିନିିଟ୍‌ ସମୟରେ ସ୍ବତନ୍ତ୍ର ବୁଲେଟିନ୍ ଆରମ୍ଭ ହୋଇଛି। ‘ପୁନଶ୍ଚ ପୃଥିବୀ’ ନାମରେ ପ୍ରତିଦିନ ଅଧଘଣ୍ଟାର ଏହି ବୁଲେଟିନ୍‌ ଓଡ଼ିଶାଠାରୁ ଆରମ୍ଭ କରି ପୃଥିବୀର କୋଣଅନୁକୋଣ ପର୍ଯ୍ୟନ୍ତ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଏହାର ମୁକାବିଲା ପାଇଁ ନିଆଯାଉଥିବା ପଦକ୍ଷେପ ଓ କାର୍ଯ୍ୟକ୍ରମ ସଂକ୍ରାନ୍ତରେ ଖବର ପ୍ରସାରିତ ହେବ।

Advertisment

ରାତି ୧୦.୩୦ରେ ବୁଲେଟିନ୍‌ ପ୍ରସାରଣ ହେଉଛି
‘ସମ୍ବାଦ’ରେ ପ୍ରକାଶ ପାଇବ ୬୦ ଦିନ ସ୍ବତନ୍ତ୍ର ପୃଷ୍ଠା
ସବୁ ସାମ୍ବାଦିକ ହେବେ ପରିବେଶ ସାମ୍ବାଦିକ

କେବଳ ସେତିକି ନୁହେଁ, ପରିବେଶ ସୁରକ୍ଷା ରଥର ସାରଥୀଙ୍କୁ ସାଥୀରେ ନେଇ ସମାଜରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲାଗି ଉଭୟ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମସ୍ତ ସାମ୍ବାଦିକଙ୍କୁ ପରିବେଶ ସାମ୍ବାଦିକ ଭାବେ ଗଢ଼ିତୋଳିବା ଲାଗି ଗ୍ରୁପ୍‌ ସମ୍ପାଦକ ତନୟା ପଟ୍ଟନାୟକ ଉଦ୍ୟମ ଆରମ୍ଭ କରିଛନ୍ତି। ଏହାଦ୍ବାରା ବର୍ଷର ୩୬୫ ଦିନ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତ ସ୍ବତନ୍ତ୍ର ଖବର ଉଭୟ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ରେ ପ୍ରସାରିତ ହୋଇପାରିବ।