ଭୁବନେଶ୍ୱର: ଯଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ପାଇଁ କ’ଣ ସ୍ୱପ୍ନ ଦେଖିବେ? ଏହି ପ୍ରଶ୍ନ ପଚରା ଯାଇଥିଲା ଓଡ଼ିଶାର ତିନିଟି ପ୍ରମୁଖ ଦଳର ପ୍ରମୁଖ ରାଜନେତା କୃଷି ମନ୍ତ୍ରୀ ଡା. ଦାମୋଦର ରାଉତ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ। ହେଲେ ତିନି ଜଣ ଯାକ ରାଜନେତା ସିଧାସଳଖ କହିଥିଲେ ଯେ ସେମାନଙ୍କର ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ନାହିଁ। ମୁଖ୍ୟମନ୍ତ୍ରୀ ହେବା ପାଇଁ ସେମାନଙ୍କର କୌଣସି ଇଚ୍ଛା ମଧ୍ୟ ନାହିଁ। ମୁଖ୍ୟମନ୍ତ୍ରୀ ନ ହୋଇ ବି ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିହେବ।
‘ସମ୍ବାଦ’ର ୩୩ତମ ବାର୍ଷିକ ଉତ୍ସବର ଅବ୍ୟବହିତ ପୂର୍ବରୁ ଆଜି ଜୟଦେବ ଭବନରେ କନକ ନ୍ୟୁଜ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ତିନି ଜଣ ବରିଷ୍ଠ ନେତା ଯୋଗଦେଇ ସେମାନଙ୍କ ମନର କଥା କହିଥିଲେ। କନକ ନ୍ୟୁଜ୍ ପକ୍ଷରୁ ‘ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି....ମୋ ସ୍ୱପ୍ନର ଓଡ଼ିଶା’ ଶୀର୍ଷକ କାର୍ଯ୍ୟକ୍ରମରେ ଚ୍ୟାନେଲର ସମ୍ପାଦକ ମନୋରଞ୍ଜନ ମିଶ୍ରଙ୍କ ପ୍ରଶ୍ନ ଥିଲା ‘ଆପଣ ଯଦି ମୁଖ୍ୟମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ପାଇଁ କ’ଣ ସ୍ୱପ୍ନ ରହିବ?’ ଏହାର ଉତ୍ତର ଦେଇ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ, ମୁଖ୍ୟମନ୍ତ୍ରୀ ହେଲେ କ’ଣ ଓଡ଼ିଶା ପାଇଁ ସ୍ୱପ୍ନ ଦେଖି ହେବ ନହେଲେ ଦେଖି ହେବନି? ମୋର ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା ନାହିଁ। ମୋର ସ୍ୱପ୍ନର ଓଡ଼ିଶାରେ ସାଧାରଣ ଲୋକ ନ୍ୟାୟ ପାଇବା ଦରକାର। ଦୁର୍ନୀତିମୁକ୍ତ ଓଡ଼ିଶା, ସ୍ୱଚ୍ଛ ଶାସନ, ବିକଶିତ ଓଡ଼ିଶା ମୁଁ ଦେଖିବାକୁ ଚାହେଁ। ଓଡ଼ିଶା ବିକାଶର ରାସ୍ତାରେ ଯିବା ଦରକାର, ଦାରିଦ୍ର୍ୟ ଓ କଳଙ୍କମୁକ୍ତ ରାଜ୍ୟ ଭାବେ ଓଡ଼ିଶାକୁ ଗଢ଼ି ତୋଳାଯିବାର ଆବଶ୍ୟକତା ରହିଛି। ଓଡ଼ିଶାର ବିକାଶ ପାଇଁ ଏଠାରେ ଅଧିକରୁ ଅଧିକ ପୁଞ୍ଜିନିବେଶ ହେବା ଉଚିତ୍। କିନ୍ତୁ ଏଥିପାଇଁ ଏ ପର୍ଯ୍ୟନ୍ତ ଉପଯୁକ୍ତ ବାତାବରଣ ସୃଷ୍ଟି ହୋଇନି। ନାଲ୍କୋ, ଆଇଓସିଏଲ୍ ଭଳି ସରକାରୀ ସଂସ୍ଥାକୁ ଛାଡ଼ିଦେଲେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ସଂସ୍ଥା ଅଧିକ ପୁଞ୍ଜିନିବେଶ କରିନାହାନ୍ତି। ସେହିପରି ଯେଉଁ କେତୋଟି ବେସରକାରୀ ସଂସ୍ଥା ଅଧିକ ପୁଞ୍ଜିନିବେଶ କରିବାକୁ ଆସିଛନ୍ତି, ସେମାନେ ବେଶି ଆଗକୁ ଯାଇପାରିନାହାନ୍ତି। ଏତିକିରେ ଓଡ଼ିଶାର ବିକାଶ ସମ୍ଭବ ନୁହେଁ।
ଦେଶରେ ବହୁତ ରାଜ୍ୟ ଅଛି ଯାହାକୁ ଓଡ଼ିଶା ମଡେଲ୍ କରି ବିକାଶ ପଥରେ ଆଗେଇପାରିବ। ଯେପରି ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟ। ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ନାହିଁ, ଇଚ୍ଛା ନାହିଁ କି ତାଙ୍କର ଦକ୍ଷତା ନାହିଁ। ଓଡ଼ିଶା ଦେଶର ସବୁଠୁ ଦରିଦ୍ର ରାଜ୍ୟ। ଏହାର ବିକାଶ ସମସ୍ତଙ୍କର ସ୍ୱପ୍ନ ହେବା ଦରକାର। ଓଡ଼ିଶାର ବିକାଶ ପାଇଁ ଶିକ୍ଷାର ଆବଶ୍ୟକତା ଅଛି। କିନ୍ତୁ ଶିକ୍ଷା ବ୍ୟବସ୍ଥା ପୂରା ଭୁଶୁଡ଼ି ଯାଇଛି। ପ୍ର୍ରାଥମିକଠାରୁ ଆରମ୍ଭ କରି ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ସବୁ ବିପର୍ଯ୍ୟସ୍ତ। ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ଦରକାର। ସେହିପରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ହେବା ଦରକାର। ଓଡ଼ିଶାରେ ଡାକ୍ତର ଅଭାବ ସମସ୍ୟା ସାଂଘାତିକ। ଯେତିକି ଡାକ୍ତର ପଦବି ଅଛି ତା’ର ଅଧା ଡାକ୍ତର ନାହାନ୍ତି। ଏବେ ଅଧିକ ସରକାରୀ ମେଡିକାଲ କଲେଜ ନିର୍ମାଣ ହେଉଛି, ଏହାଦ୍ୱାରା ଭବିଷ୍ୟତରେ ଡାକ୍ତର ସମସ୍ୟା ଦୂର ହୋଇପାରିବ। ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ବଜେଟ୍ ରଖିଲେ ରାଜ୍ୟର ଅଧା ସମସ୍ୟା ଦୂର ହୋଇଯିବ। ସେହିପରି କୌଣସି କମ୍ପାନି ଓଡ଼ିଶାର ବିକାଶକୁ ନଜରରେ ରଖି ଆସୁନାହାନ୍ତି ବରଂ ଲୁଟିବାକୁ ଆସୁଛନ୍ତି। ଏଥିପାଇଁ ଆମକୁ ସତର୍କ ହେବାକୁ ହେବ ବୋଲି ଶ୍ରୀ ମିଶ୍ର କହିଥିଲେ।
କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କୁ ଭବିଷ୍ୟତରେ ମୁଖ୍ୟମନ୍ତ୍ରୀ ହେବା ନେଇ ସ୍ୱପ୍ନ ଦେଖିବା ନେଇ ପଚାରିବାରୁ ସେ କହିଥିଲେ ଯେ, ମୁଁ କେବେ ସ୍ୱପ୍ନ ଦେଖେନା। ରାତିରେ ଶୋଇଲେ ସ୍ୱପ୍ନ ମୋତେ ଦେଖାଏ। ମୋର ମୁଖ୍ୟମନ୍ତ୍ରୀ ହେବାର କୌଣସି ଇଚ୍ଛା ନାହିଁ। ଏଠି ଜନତା ହିଁ ସର୍ବେସର୍ବା। ସମୟ ଆସିଲେ ଯଦି ଲୋକ ଚାହିଁବେ ତେବେ ମୁଖ୍ୟମନ୍ତ୍ରୀ ହେବି। ଆଉ ଭଲ ମୁଖ୍ୟମନ୍ତ୍ରୀ ହୋଇ ଦେଖାଇବି। ମୁଁ ଅନୁଭବକୁ ନେଇ ରାଜନୀତି କରେ, ଅନୁମାନକୁ ନେଇ ନୁହେଁ ବୋଲି ଡା. ରାଉତ କହିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ବିଜୁବାବୁ ୧୯୭୭ ମସିହାରୁ ଉଦ୍ୟମ କରିଛନ୍ତି ବୋଲି ସୂଚନା ଦେଇ ଡାକ୍ତର ରାଉତ କହିଥିଲେ, ତତ୍କାଳୀନ କେନ୍ଦ୍ର ସରକାରଙ୍କ ସହାୟତା ଅଭାବରୁ ଓଡ଼ିଶା ସୁଯୋଗ ହାତଛଡ଼ା କରିଛି। ଓଡ଼ିଶାରେ ପ୍ରଚୁର ପୁଞ୍ଜିନିବେଶ ହେବା ଦରକାର। ପୁଞ୍ଜି ବିନିଯୋଗ ହେଲେ ହିଁ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ନେଇ କ’ଣ ସ୍ୱପ୍ନ ଦେଖୁଛନ୍ତି ବୋଲି ଜଣେ ଶ୍ରୋତା ପଚାରିବାରୁ ଡା. ରାଉତ କହିଥିଲେ ମୁଖ୍ୟମନ୍ତ୍ରୀ କ’ଣ ସ୍ୱପ୍ନ ଦେଖୁଛନ୍ତି ତାହା ମୁଁ କେମିତି ଜାଣିବି?
ଏଠାରେ ପ୍ରକାଶଯୋଗ୍ୟ ଯେ ‘ମୁଁ ଯଦି ମୁଖ୍ୟମନ୍ତ୍ରୀ ହେବି...ମୋ ସ୍ୱପ୍ନର ଓଡ଼ିଶା’ ପ୍ରସଙ୍ଗରେ ପୂରା ବିତର୍କ ଆସନ୍ତା ବୁଧବାର ରାତି ୮ଟା ଏବଂ ଶନିବାର ରାତି ୧୦ଟାରେ କନକ ନ୍ୟୁଜ୍ରେ ପ୍ରସାରିତ ହେବ।
ପିସି କେବେ ବନ୍ଦ ହୋଇପାରିବନି: ଦାମୋଦର ରାଉତ
ମୁଖ୍ୟମନ୍ତ୍ରୀ କହିଥିଲେ ପିସି ନିଶ୍ଚିତ ବନ୍ଦ ହେବା ଦରକାର। ପିସି କ’ଣ ବନ୍ଦ ହୋଇଗଲାଣି? ଏହି ପ୍ରଶ୍ନ ପଚାରିଥିଲେ ଜଣେ ଦର୍ଶକ। ଏହାର ଉତ୍ତର ଦେଇ କୃଷି ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ, ପିସି କେବେ ବନ୍ଦ ହୋଇପାରିବନି। ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ଆମ ସମସ୍ତଙ୍କୁ ପଦକ୍ଷେପ ନେବାକୁ ହେବ। ଯେଉଁମାନେ ପିସି ଦେଉଛନ୍ତି ସେମାନେ ନ ଦେଲେ ପିସି ନେବ କିଏ? ସେହିପରି ନିଶାମୁକ୍ତି ଓଡ଼ିଶା ସମ୍ଭବ ନୁହେଁ ବୋଲି ପରୋକ୍ଷରେ ମନ୍ତ୍ରୀ କହିଥିଲେ। ସୂଚାଇଥିଲେ ଯେ ଯେଉଁ ରାଜ୍ୟରେ ମଦକୁ ନିଷିଦ୍ଧ କରାଯାଇଛି, ସେଠାରେ ୨୬୫ରୁ ଅଧିକ ଲୋକଙ୍କର ବିଷାକ୍ତ ମଦ ପିଇ ମୃତ୍ୟୁ ଘଟିଛି। ମଦକୁ ନିଷିଦ୍ଧ କରିବା ପରିବର୍ତେ ନିୟନ୍ତ୍ରଣ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ଅନ୍ୟଥା ମାଫିଆମାନଙ୍କ ଉତ୍ପାତ ବଢ଼ିବ। ବିଧାନସଭା ପ୍ରଶ୍ନକାଳରେ ଯେତେବେଳେ କି ସାଧାରଣ ଲୋକଙ୍କ ପ୍ରସଙ୍ଗ ଆଲୋଚନା ହୁଏ, ସେତେବେଳେ ବିରୋଧୀ ଦଳ ହଙ୍ଗାମାକୁ ନାପସନ୍ଦ କରିବା ସହିତ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗରେ ଶ୍ରୋତାମାନଙ୍କ ପ୍ରଶ୍ନର ପାଲଟା ଜବାବ ଦେଇଥିଲେ। କହିଥିଲେ, ବିଦ୍ୟାଳୟରେ ପାଠ ନ ପଢ଼ାଇ ଆନ୍ଦୋଳନ କରୁଥିବା ଶିକ୍ଷକଙ୍କ ଦରମା ବଢିଲେ ସାଧାରଣ ଲୋକ ପ୍ରତିବାଦ କରୁନାହାନ୍ତି। ଅଧିକାରୀମାନଙ୍କ ପାଇଁ ସପ୍ତମ ବେତନ କମିସନ ଲାଗୁ ହେଲା, ଏହାକୁ କେହି ବିରୋଧ କରୁନାହାନ୍ତି। ଦିନରାତି ଅକ୍ଳାନ୍ତ ପରିଶ୍ରମ କରୁଥିବା ବିଧାୟକମାନଙ୍କ ପାଇଁ କାହିଁକି?
ଆଉ ନିର୍ବାଚନ ଲଢ଼ିବି ନାହିଁ: ନରସିଂହ ମିଶ୍ର
ଜଣେ ଶ୍ରୋତାଙ୍କ ପ୍ରଶ୍ନର ଉତ୍ତର ଦେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ସେ ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ। ୭୭ବର୍ଷ ବୟସରେ ସାଧାରଣ ଲୋକଙ୍କ ସେବା କରିବା ସମ୍ଭବ ନୁହେଁ। ତାଙ୍କ ମତରେ ଜଣେ ଜନ ପ୍ରତିନିଧି ୭୦ ବର୍ଷ ପରେ ସାଧାରଣ ଲୋକଙ୍କ ସେବା ଠିକ୍ ଭାବେ କରିପାରେ ନାହିଁ। ଯାହା ଏବେ ସେ ଅନୁଭବ କରୁଛନ୍ତି। ଆସନ୍ତା ନିର୍ବାଚନ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିବ। ଯେହେତୁ ସାଧାରଣ ଲୋକଙ୍କ ସେବା କରିବାରେ ଏବେ ପୂର୍ଣ୍ଣ ସମର୍ଥ ନୁହନ୍ତି ତେଣୁ ନିର୍ବାଚନ ଲଢ଼ିବେନି ବୋଲି ନରସିଂହ କହିଛନ୍ତି।
ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ବିଧାନସଭାରେ ବିରୋଧୀ ଦଳ ହଙ୍ଗାମା କରିବା ପଛର କାରଣ ଦର୍ଶାଇଥିଲେ ଶ୍ରୀ ମିଶ୍ର। କହିଥିଲେ, ବିରୋଧୀ ଦଳକୁ ଉତ୍ତର ମିଳୁନି ଓ ଗୁରୁତର ପ୍ରସଙ୍ଗରେ ସରକାର ଆଲୋଚନା କରିବା ପାଇଁ ରାଜି ନୁହେଁ। ଏପରିସ୍ଥଳେ ବିରୋଧୀ ଦଳ କଣ ଚୁପ୍ ବସିବ। ଏହି ଅବସରରେ ସେ ଜଳସଂପଦ ଓ ଚିଟ୍ଫଣ୍ଡ ପ୍ରସଙ୍ଗରେ ବିଧାନସଭାରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ପଛର କାରଣ ବାଢ଼ିଥିଲେ।
ଯୁବପିଢ଼ି ସ୍ୱପ୍ନ ଦେଖନ୍ତୁ: ବିଜୟ ମହାପାତ୍ର
ଆମେ ଓଡ଼ିଶାର ବିକାଶ ପାଇଁ ଯେତେ ସ୍ୱପ୍ନ ଦେଖିଲେ ବି ଅଧିକ କିଛି କରିପାରିବୁନି। ଯୁବପିଢ଼ି ଓଡ଼ିଶାର ବିକାଶ ପାଇଁ ସ୍ୱପ୍ନ ଦେଖନ୍ତୁ ବୋଲି କହିଥିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର। କହିଥିଲେ, ଯୁବ ବର୍ଗ ଓଡ଼ିଶାକୁ ଯେମିତି ଗଢ଼ିବାର ସ୍ୱପ୍ନ ଦେଖିବେ ସେହିଭଳି ଗଢ଼ିବେ। ଆମେ ୮୦ ଓ ୯୦ ଦଶକରେ ଓଡ଼ିଶାର ବିକାଶ ପାଇଁ ବହୁ ସ୍ୱପ୍ନ ଦେଖିଥିଲୁ। ତାହାକୁ ଯଥା ସମ୍ଭବ ସାକାର କରିଛୁ। ଯୁବପିଢ଼ିଙ୍କ ହାତରେ ଓଡ଼ିଶାର ଭବିଷ୍ୟତ। ଏବେ ସମୟ ପରିବର୍ତନ ହେଲାଣି। ଏପରିସ୍ଥଳେ ଓଡ଼ିଶାକୁ ଆଉଥରେ ନିରେଖି ଦେଖିବାର ଆବଶ୍ୟକତା ରହିଛି ଓ ଓଡ଼ିଶାର ପୁନଃନିର୍ମାଣ ଅପରିହାର୍ଯ୍ୟ ହୋଇପଡିଛି। ଏହି ଅବସରରେ ଶ୍ରୀ ମହାପାତ୍ର କହିଥିଲେ ଯେ ରାଜ୍ୟ ସରକାର ଦିଶାହୀନ ଭାବେ କାର୍ଯ୍ୟ କରୁଛନ୍ତି। ବେକାରି ଓ ଦୁର୍ନୀତି ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଥିଲେ ହେଁ ଏହାର ସମାଧାନ ଦିଗରେ ଏଯାଏ ବିଶେଷ ପଦକ୍ଷେପ ନିଆଯାଇନାହିଁ। ସରକାର ଯୋଜନା ପ୍ରଣୟନ କ୍ଷେତ୍ରରେ ଫେଲ୍ ମାରିଛନ୍ତି। ସବୁ ସ୍ୱଳ୍ପ ମିଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ଦୀର୍ଘ ମିଆଦି ଯୋଜନା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ରହିଛି।