ଭୁବନେଶ୍ବର: ବର୍ଷ ୨୦୨୦ କରୋନା ମହାମାରୀର ଆତଙ୍କ ଭିତରେ ବିତିଛି। ମହାମାରୀ ସଂପର୍କରେ ଲୋକମାନେ ଆଗରୁ ଖାଲି ଶୁଣିଥିଲେ, କେବେ ଅନୁଭବ କରି ନ ଥିଲେ। ଲକ୍ଡାଉନ୍, ସଟ୍ଡାଉନ୍ ଓ କ୍ବାରାଣ୍ଟିନ୍ ଭଳି ଶବ୍ଦ ଲୋକଙ୍କ ମନରେ ଗଣ୍ଠି ବାନ୍ଧି ଦେଇଥିଲା। ଏଭଳି ଏକ ଅପ୍ରତ୍ୟାଶିତ ଘଟଣାକୁ ସାମ୍ନା କରିବା ବେଳେ ସରକାରୀ କଳଠାରୁ ଆରମ୍ଭ କରି ଜନସାଧାରଣ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ ପଡ଼ିଥିଲେ। ଏସବୁ ସତ୍ତ୍ବେ ଲୋକେ କରୋନା ମହାମାରୀକୁ ହରାଇବାରେ ସକ୍ଷମ ହୋଇଛନ୍ତି। ତେଣୁ କରୋନା ଲଢ଼େଇରେ ସାଧାରଣ ଜନତା ହେଉଛନ୍ତି ପ୍ରକୃତ ହିରୋ। ‘କନକ ନ୍ୟୁଜ୍’ ପକ୍ଷରୁ ଆଜି ଆୟୋଜିତ ‘ନ୍ୟୁଜ୍ ମେକର-୨୦୨୦’ କାର୍ଯ୍ୟକ୍ରମରେ ଯୋଗ ଦେଇ ବହୁ ବିଶିଷ୍ଟ ଅତିଥି ଏପରି ମତ ପ୍ରକାଶ କରିଛନ୍ତି।
ହୋଟେଲ ମେ’ ଫେୟାର କନଭେନସନ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଓଡ଼ିଆ କଣ୍ଠଶିଳ୍ପୀ ସୋହିନୀ ମିଶ୍ରଙ୍କ ‘ଓଡ଼ିଶା ମୋ ଓଡ଼ିଶା’ ସଂଗୀତରୁ। ସମସ୍ତଙ୍କୁ ସ୍ବାଗତ କରି ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟ କହିଥିଲେ, ଇତିହାସରେ ୨୦୨୦ ସବୁଦିନ ପାଇଁ ଭିନ୍ନ ଏକ ବର୍ଷ ଭାବେ ଲିପିବଦ୍ଧ ହୋଇ ରହିବ। ମହାମାରୀ ସଂପର୍କରେ କିମ୍ବା ନ’ଅଙ୍କ ଦୁର୍ଭିକ୍ଷ ସଂପର୍କରେ ବହିରେ ପଢ଼ିଥିଲେ। ଇତିହାସରେ ଏଭଳି ଏକ ଘଟଣା ଘଟିଥିଲେ ହେଁ ତାହାକୁ ଆକଳନ କରିବା ସମ୍ଭବ ନ ଥିଲା। କରୋନା ମହାମାରୀ ସମୟରେ ଲୋକମାନେ ଏହାକୁ କେବଳ ଅନୁଭବ କରି ନାହାନ୍ତି, ବରଂ ସମସ୍ତେ ଜଣେ ଜଣେ କରୋନା ଯୋଦ୍ଧାର ପରିଚୟ ଦେଇଛନ୍ତି। ମହାମାରୀ ବିରୋଧରେ ଲଢ଼େଇ କରି ଆମେ ବିଜୟୀ ହୋଇଛୁ। ଚଳିତବର୍ଷର ମହାମାରୀରେ ଯେଉଁମାନେ ପ୍ରମୁଖ ନାୟକ ରହିଛନ୍ତି, ସେମାନେ ଚଳିତବର୍ଷର ‘ନ୍ୟୁଜ୍ ମେକର’ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ବିଭିନ୍ନ ଅଧିବେଶନରେ ଅତିଥିମାନେ ଯୋଗଦେଇ କରୋନା ମହାମାରୀ ସମୟରେ କି ପ୍ରକାର ପଦକ୍ଷେପ ନିଆଯାଉଥିଲା, ସେ ସଂପର୍କରେ ମତ ରଖିଥିଲେ। ପ୍ରଥମ ଅଧିବେଶନରେ କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କୋଭିଡ୍ ପାଇଁ ପ୍ରତ୍ୟେକ ଦିନ ଅପରାହ୍ଣ ସାଢ଼େ ୪ ଟାରେ ହେଉଥିବା ସାମ୍ବାଦିକ ସମ୍ମିଳନୀ ପଛରେ କିଭଳି କସରତ କରାଯାଉଥିଲା, ସେ ସଂପର୍କରେ ସୂଚନା ଦେଇଥିଲେ। ଭୋର୍ ସାଢ଼େ ୫ଟାରୁ ଅପରାହ୍ଣ ଯାଏ କରୋନା ମହାମାରୀ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା ଚାଲୁଥିଲା। ବିଭିନ୍ନ ଲୋକଙ୍କଠାରୁ ଏଥିପାଇଁ ଫିଡ୍ବ୍ୟାକ୍ ନିଆଯିବା ସହିତ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା କରାଯାଉଥିଲା। ୨ ମାସ ଭିତରେ ଯେଉଁ ସୂଚନା ଲୋକମାନଙ୍କୁ ଦିଆଯାଉଥିଲା, ତାହା ପଛରେ ଏକ ବଡ଼ ଟିମ୍ କାମ କରୁଥିଲା ବୋଲି ଶ୍ରୀ ବାଗ୍ଚୀ କହିଥିଲେ। ପରବର୍ତ୍ତୀ ଅଧିବେଶନଗୁଡ଼ିକରେ କଟକ-ଭୁବନେଶ୍ବରର ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏବଂ ବିଏମ୍ସିର କମିସନର ପ୍ରେମଚନ୍ଦ୍ର ଚୌଧରୀ ମଧ୍ୟ କରୋନା ଲଢ଼େଇରେ ସାଧାରଣ ଜନତାଙ୍କ ପ୍ରତିବଦ୍ଧତା ଯୋଗୁଁ ହିଁ ବିଜୟ ସମ୍ଭବ ହୋଇଥିଲା ବୋଲି କହିଥିଲେ।
ସେହିପରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ‘ଗଞ୍ଜାମ ମଡେଲ’କୁ ବଣ୍ଣର୍ନା କରିବା ସମୟରେ କହିଥିଲେ, କରୋନା ଯୁଦ୍ଧରେ ବିଜୟର ଶ୍ରେୟ ଜଣକର ନୁହେଁ ସମସ୍ତଙ୍କର। ମହାମାରୀକୁ ଖାତିର ନ କରି ପ୍ରଶାସନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଥିଲେ। ଏପରିକି ସଂକ୍ରମିତ ହେବା ସତ୍ତ୍ବେ କର୍ମଚାରୀ ଛୁଟି ନ ନେଇ ଘରୁ କାମ ଜାରି ରଖିଥିଲେ। ଘରକୁ ଘର ବୁଲିଂ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। କରୋନା ଅବ୍ୟବସ୍ଥାକୁ ସମାଲୋଚନା ହିସାବରେ ନ ନେଇ ଏହାକୁ ଫିଡ୍ବ୍ୟାକ୍ ଭାବେ ଗ୍ରହଣ କରାଯାଇଥିଲା। ଜନସାଧାରଣ ମଧ୍ୟ ଏଥିରେ ବେଶ୍ ସହଯୋଗ କରିଥିଲେ। ଫଳରେ ଜୁଲାଇ ମାସ ଶେଷ ଆଡ଼କୁ ଜିଲ୍ଲାରେ କରୋନା ସଂକ୍ରମଣ ହ୍ରାସ ପାଇଥିଲା ବୋଲି ଶ୍ରୀ କୁଲାଙ୍ଗେ କହିଥିଲେ।
ଏମ୍ସର ପୂର୍ବତନ ନିର୍ଦେଶକ ଡା. ଅଶୋକ ମହାମାତ୍ର କହିଥିଲେ, କରୋନା ଦ୍ବାରା ସବୁବର୍ଗ ଓ ବୟସର ଲୋକ ପ୍ରଭାବିତ ହୋଇଛନ୍ତି। ଚୀନ୍ରୁ ଆରମ୍ଭ ହୋଇଥିବା ଏହି ଭୂତାଣୁ ସଂକ୍ରମଣ ଏତେ ଭୟଙ୍କର ରୂପ ନେବ ବୋଲି ‘ହୁ’ ଆକଳନ କରିପାରି ନଥିଲା। କରୋନା ଦ୍ବାରା ଲୋକମାନେ ବିଶ୍ବବ୍ୟାପୀ ପ୍ରଭାବିତ ହୋଇଥିଲେ କରୋନା ଲଢ଼େଇରେ ଭାରତ ଅଧିକ ସଫଳତା ପାଇଛି ଏବଂ ଓଡ଼ିଶା ମଧ୍ୟ ଏହି ଲଢ଼େଇକୁ ଅଧିକ ସଫଳତାର ସହ ଲଢ଼ିଛି ବୋଲି କହିଥିଲେ। ଅନୁରୂପ ଭାବେ ଆର୍ଏମ୍ଆର୍ସିର ନିର୍ଦ୍ଦେଶିକା ଡା.ସଂଘମିତ୍ରା ପତି କରୋନା ଲଢ଼େଇରେ ସଫଳତା ପାଇଁ ନିଜ ଟିମ୍ର କର୍ମଚାରୀମାନଙ୍କ ଅକ୍ଳାନ୍ତ ପରିଶ୍ରମକୁ ଶ୍ରେୟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/56495454fshsffshfshfsh.jpg)