କନକ ନ୍ୟୁଜ୍‌ର ଓଡ଼ିଶା ନିର୍ମାଣ କନ୍‌କ୍ଲେଭ୍‌-୨୦୨୧ : ଓଡ଼ିଶାର ଅର୍ଥନୀତି ଆଗକୁ ବଢ଼ୁଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାରଠାରୁ ଲଗାତାର ଭାବେ ଅଧିକ ରହି ଆସୁଛି। ୨୦୧୧-୧୨ରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ୧୦.୩୦% ହାରରେ ଆଗକୁ ବଢ଼ୁଛି। ଜାନୁଆରିରେ ରାଜ୍ୟର ଜିଏସ୍‌ଟି ଆଦାୟରେ ୨୫.୩୦% ବୃଦ୍ଧି ଘଟିଛି। ଏହାଦ୍ବାରା ଓଡ଼ିଶାର ଅର୍ଥନୀତି କରୋନା ଭଳି ମହାମାରୀ ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରୁଥିବା ସୂଚନା ମିଳୁଛି। ଓଡ଼ିଶା ଦେଶର ଏକ ଶୀର୍ଷ ନିବେଶ ସ୍ଥାନ ଭାବେ ମଧ୍ୟ ପରିଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

କନକ ନ୍ୟୁଜ୍‌ ପକ୍ଷରୁ ଆୟୋଜିତ ଓଡ଼ିଶା ନିର୍ମାଣ କନକ୍ଲେଭ୍‌-୨୦୨୧କୁ ଉଦ୍‌ଘାଟନ କରି ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶ୍ରୀ ପଟ୍ଟନାୟକ କହିଲେ ଯେ କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନା‌ରେ ଆମେ ବେଶ୍‌ ସଫଳତା ହାସଲ କରିଛୁ। ଜନସାଧାରଣଙ୍କ ପ୍ରତିନିଧି ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ନିୟମିତ ବ୍ୟବଧାନରେ ଗାଇଡ୍‌ଲାଇନ୍‌ ଜାରି କରାଯିବା ସହ ସମସ୍ତ କରୋନା ଆକ୍ରାନ୍ତଙ୍କୁ ମାଗଣା ଚିକିତ୍ସ‌ା ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ସାରା ରାଜ୍ୟରେ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ବର୍ତ୍ତମାନ ସମୟରେ ବି ସଂକ୍ରମଣ ଭୟ ଦୂର ହୋଇ ନାହିଁ। କରୋନାକୁ ହେୟଜ୍ଞାନ କରନ୍ତୁ ନାହିଁ। ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାରୁ ସମସ୍ତେ ସଚେତନ ହେବାକୁ ପଡ଼ିବ। ଜାରି ହେଉଥିବା ନିର୍ଦେଶାବଳିକୁ ପାଳନ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ ଆହୁରି କହିଲେ ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହେଉଛି। ତେଣୁ ଲୋକଙ୍କ ଜୀବନକୁ ସୁରକ୍ଷିତ ରଖିବା ଆମର ପ୍ରଥମ ପ୍ରାଥମିକତା। ବିପର୍ଯ୍ୟୟ ମୁକିବାଲାରେ ଓଡ଼ିଶା ଆଜି ମଡେଲ୍‌ ରାଜ୍ୟରେ ପରିଣତ ହୋଇଛି। ଏଥିପାଇଁ ବିଶ୍ବସ୍ତରରେ ମାନ୍ୟତା ମିଳିଛି। ମହିଳା ସଶକ୍ତୀକରଣକୁ ପ୍ରାଥମିକତା ଦିଆଯାଉଛି। କାରଣ ସେମାନେ ଗ୍ରାମାଞ୍ଚଳ ଅର୍ଥନୀତି ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। କୃଷି, ଉଦ୍ୟୋଗ, କ୍ରୀଡ଼ା, ସିନେମା, କଳା ପରି ବିଭିନ୍ନ କ୍ଷେତ୍ରରେ ମହିଳାମାନେ ସ୍ବୀକୃତି ପାଇଛନ୍ତି। ସେମାନଙ୍କ ଲାଗି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଶିକ୍ଷା କ୍ଷେତ୍ରକୁ ମଧ୍ୟ ମୋ ସରକାର ସବୁବେଳେ ଗୁରୁତ୍ବ ଦେଇ ଆସିଛି। ରାଜ୍ୟର ସବୁଠି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରାଯାଇ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି। ଆଦିବାସୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଲାଗି ହଜାର ହଜାର ସ୍କୁଲ ଓ ହଷ୍ଟେଲ ନିର୍ମାଣ ହୋଇଛି। ଏବେ ଉଚ୍ଚଶିକ୍ଷା କ୍ଷେତ୍ରରେ ବିଭିନ୍ନ ବିଭାଗରେ ଇନ୍‌ଷ୍ଟିଚ୍ୟୁସନ ଅଫ୍‌ ଏମିନେନ୍ସ ପ୍ରତିଷ୍ଠା କରାଯାଉଛି। ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଲାଗି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି। ଯୁବପିଢ଼ିଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଆଇଟିଆଇ ଓ ପଲିଟେକ୍‌ନିକ୍‌ରେ ଗୁଣାତ୍ମକ ଦକ୍ଷତା ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭବିଷ୍ୟତକୁ ନଜରରେ ରଖି ଭୁବନେଶ୍ବରରେ ବିଶ୍ବ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ସୁଶାସନ ପାଇଁ ୫-ଟି ବ୍ୟବସ୍ଥା ଆରମ୍ଭ ହୋଇଛି। ସବୁ କ୍ଷେତ୍ରରେ ନୂଆ ନୂଆ ସଫଳତା ମିଳୁଛି। ଏହାକୁ ଆଗକୁ ନେବା କ୍ଷେତ୍ରରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କନ୍‌କ୍ଲେଭ୍‌ରେ ସ୍ବାଗତ ଭାଷଣ ଦେଇ ସମ୍ବାଦ ଗ୍ରୁପ୍‌ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ; ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରି ସର୍ବସାଧାରଣଙ୍କ ନିକଟରେ ନିର୍ଯ୍ୟାସ ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଦିନେ ଓଡ଼ିଶା ଅନାହାର ମୃତ୍ୟୁ ଓ ପିଲା ବିକ୍ରି ପାଇଁ ପରିଚିତ ଥିଲା। ଯାହାକି ଦୂର ହୋଇଛି। ଏବେ ଆଗାମୀ ୧୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ନୂଆ କଥା ଚିନ୍ତା କରିବାକୁ ହେବ। ବିକାଶ ପାଇଁ ଯୋଜନା କରିବା ସମୟରେ ଘରଚଟିଆରଙ୍କ କଥା ବି ଭାବିବା ଦରକାର।

ସମ୍ବନ୍ଧିତ ଖବର