ଭବାନୀପାଟଣା: ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଘୋଟିଆ ଗ୍ରାମର ଦଶମ ଶ୍ରେଣୀ ଛାତ୍ରୀ କନକ ନିଆଲଙ୍କ ଗତ ଅଗଷ୍ଟ ୧୬ ତାରିଖ ଦିନ ସନ୍ଦେହଜନକ ମୃତ୍ୟୁ ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୀଡ଼ିତା ପରିବାରକୁ ଭେଟିବା ପାଇଁ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀମାନେ ଘଟଣାସ୍ଥଳକୁ ଯାଇଥିଲେ। ଝିଅକୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। କଳାହାଣ୍ଡି ପୁଲିସ ପ୍ରଶାସନ କେବଳ ଜଣଙ୍କ ବିରୋଧରେ ୩୦୬ ଦଫା ମାମଲା ରୁଜୁ କରିଛି। ଗତ ଅଗଷ୍ଟ ୧୮ ତାରିଖ ଦିନ କଳାହାଣ୍ଡି ପୁଲିସ ଏସ୍ପି ଏହି ଘଟଣାକୁ ଦୁଷ୍କର୍ମ ନୁହେଁ ବୋଲି ଟୁଇଟର ଆକାଉଣ୍ଟରେ ପୋଷ୍ଟ କରିଥିଲେ।
/sambad/media/post_attachments/wp-content/uploads/2022/08/24-17.jpg)
ଏହାକୁ ନେଇ ବିଭିନ୍ନ ସଂଗଠନ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଝିଅର ମୃତ ଅବସ୍ଥାର ଏକ ଭାଇରାଲ ଫଟୋରେ ଝିଅର ପାଦ ମାଟି ସହିତ ଲାଗି ରହିଥିବା ଯୋଗୁଁ ଏହା ଆତ୍ମହତ୍ୟା ନୁହେଁ, ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କଳାହାଣ୍ଡି ବହୁଜନ ଛାତ୍ର ସଂଗଠନ ପକ୍ଷରୁ ଆଜି ୬ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଥିଲା। ଅଲ୍ ଓଡ଼ିଶା ସିଡ୍ୟୁଲକାଷ୍ଟ ଫେଡେରେସନ ନେତୃତ୍ବରେ ବହୁଜନ ଛାତ୍ର ସଂଗଠନର ଭୀମଆର୍ମି, ବିଏସ୍ପି, ବିଏମ୍ପି ତଥା ଅନ୍ୟ ସଂଗଠନମାନେ ପୂର୍ଣ୍ଣ ସମର୍ଥନ କରିଥିଲେ। ଆଜି ସକାଳ ୬ ଘଣ୍ଟାରୁ ମଧ୍ୟାହ୍ନ ୧୨ଘଣ୍ଟା ପର୍ଯ୍ୟନ୍ତ ଭବାନୀପାଟଣା ସହରସ୍ଥିତ ନକଟିଗୁଡା ଛକ ଓ କଲେଜ ଛକଠାରେ ରାସ୍ତାରୋକ କରାଯାଇଥିଲା। ଏଥିଯୋଗୁଁ ଜାତୀୟ ରାଜପଥ ୨୬ରେ ଯାତାୟାତ ଠପ ହୋଇଥିଲା। ପରେ ଏକ ଶୋଭାଯାତ୍ରାରେ ପୁଲିସ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁଜନ ଛାତ୍ର ସଂଗଠନର ରମାକାନ୍ତ ନାଏକ, ପ୍ରିୟଙ୍କା ବେମାଲ, ସିନ୍ଧୁ ବାଗ, ଦିଶା କାନ୍ତ, ନିକି କାନ୍ତ, ଝିଲି ମହାନନ୍ଦ, ତପସ୍ଵିନୀ ଦୁର୍ଗା, ଲୋଚନ ମଙ୍ଗରାଜ, ଗଙ୍ଗାଧର ମହାନନ୍ଦ, ଶ୍ରୀକାନ୍ତ ନାଏକ, ଅଲ୍ ଓଡିଶା ସିଡୁଲ୍ଡକାଷ୍ଟ ଫେଡେରେସନର ସଭାପତି ଧନଞ୍ଜୟ ଦୀପ, ମହାସଚିବ ଯତୀନ୍ଦ୍ର କର, ସୂର୍ଯ୍ୟ କୁମାର, ସଂଜୟ ସୁନାନୀ, ମାଧବ ସୁନାନୀ, ଭୀମଆର୍ମିରୁ ଜଗଜୀବନ କୁମାର, ଆଶିଷ ନାଏକ, ସଂଜୟ ନିଆଲ, ଲକ୍ଷ୍ମଣ ମେହେର, ପ୍ରଧାନୀ ବାଗ, ଚନ୍ଦନ ନାଏକ, ରଜନୀକାନ୍ତ ସମର୍ଲିଆ, ବିଏସପିରୁ ଦେବେନ୍ଦ୍ର ନାଏକ, ପୃଥ୍ବିରାଜ ଛତ୍ରିଆ, ବିଏମପିରୁ କମଳିନୀ ଯାଦବ, ଅଞ୍ଜୁ କୁମାର, ନିରଞ୍ଜନ ନାଏକ, ଋଷିସୁଦନ ଛତ୍ରପାଲ ପ୍ରମୁଖ ଉପସ୍ଥିତ ରହି ଆନ୍ଦୋଳନର ନେତୃତ୍ବ ନେଇଥିଲେ। କନକ ନିଆଲ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଓ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଜେଲ୍ ଗଲା ଅଭିଯୁକ୍ତ
/sambad/media/post_attachments/wp-content/uploads/2022/08/25-17.jpg)
ଧର୍ମଗଡ଼/ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଘୋଟିଆ ଗ୍ରାମର ସ୍କୁଲ ଛାତ୍ରୀ କନକ ନିଆଲ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସୂରଜ ହଂସ ଜେଲ୍ ଯାଇଛି। ପୀଡ଼ିତାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ପୁଲିସ ଆଇପିସିର ଧାରା ୩୦୬ରେ ତାକୁ ଗିରଫ କରି କୋର୍ଟଚାଲାଣ କରିଥିଲା।
ସୂଚନା ଅନୁସାରେ, ଗତ ୧୬ ତାରିଖ ଦିନ କନକ ନିଆଲ ନିକଟସ୍ଥ ଚିଚିଆ ହାଇସ୍କୁଲକୁ ପଢ଼ିବାକୁ ଯାଇ ଘରକୁ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇ ନଥିଲେ। ପରବର୍ତ୍ତୀ ସମୟରେ ଗାଁ ପାଖ ଜଙ୍ଗଲର ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଯୁବ କଂଗ୍ରେସ ପକ୍ଷରୁ ଶବ ରଖି ରାସ୍ତା ଅବରୋଧ କରାଯାଇଥିଲା। ପରେ ବିଭିନ୍ନ ସଂଗଠନ ମଧ୍ୟ ନ୍ୟାୟ ଦାବି କରିଥିଲେ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସନ୍ଦେହରେ ପୁଲିସ ୩ ଜଣଙ୍କୁ ଅଟକ ରଖି ହତ୍ୟା ମାମଲା ରୁଜୁ କରିଥିଲା। ସିଡୁଲ୍ଡକାଷ୍ଟ ଫେଡରେସନ କର୍ମକର୍ତ୍ତା ଏସ୍ପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ବିଭିନ୍ନ ସଂଗଠନ ମଧ୍ୟ ଘଟଣା ଉପଯୁକ୍ତ ତଦନ୍ତ ଦାବି କରିଥିଲେ। ଶେଷରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଯାଇଛି ବୋଲି ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/23-20.jpg)