ପୁରୀ: ରଥ ନିର୍ମାଣର ୫୧ତମ ଦିବସରେ ରଥ ନିର୍ମାଣକାରୀ ମହାରଣା ସେବକ ଭୋଇ ସେବକଙ୍କ ସହଯୋଗରେ ଆଜି ତିନି ରଥର ସିଂହାସନ ବେଦି ପ୍ରଥମ ଭୂଇଁର ମଧ୍ୟ ଭାଗରେ କନକମୁଣ୍ଡି ସ୍ଥାପନ କରିଛନ୍ତି। କନକମୁଣ୍ଡିରୁ ୪ଟି କାଣ୍ଡ ଓ ୨୦ଟି ରୁଅ ଗମ୍ବୁଜକାର ଭାବେ ଖଞ୍ଜା ଯାଇଛି। ସେଥିରେ ପିତଳ ଚଦର ଆବରଣ ବର୍ଷା ପାଣି ନପଡ଼ିବା ପାଇଁ ଖଞ୍ଜିବା ବାକି ରହିଛି। ଆଜି ତିନି ରଥର ମହାରଣା ସେବକ ଗୋଟିଏ ଗୋଟିଏ ବିଜେ ଚକା ନିର୍ମାଣ ଶେଷ କରିଛନ୍ତି। ପରମ୍ପରା ଆଧାରରେ ତିନି ରଥ ସିଂହଦ୍ୱାର ନିକଟରେ ଲାଗିବା ପରେ ରଥ ନିର୍ମାଣର ଶେଷ ପର୍ବ ଭାବେ ବେଦିରେ ଚକା ସଂଯୋଗ କରି ତିନିରଥର ମୁଖ୍ୟ ମହାରଣା ସେବକ ହରିବୋଲ ଡାକ ଦେଇ ରଥ ନିର୍ମାଣ ସାଙ୍ଗ କରିବେ।
ଆଜି ତିନିରଥର ଦୁଆର ବେଢ଼ା ନିର୍ମାଣ ଶେଷ ପରେ ଚିତ୍ରକାରମାନେ ତିନିରଥରେ ଚାରିଟି ଲେଖାଏଁ ଦୁଆର ବେଢ଼ାରେ ଧଳା ପ୍ରାଇମର୍ ଦେବା ଶେଷ କରିଛନ୍ତି। ଆଜି ମୁଖ୍ୟ ରୂପକାର ସେବକ ଅନୁକୂଳ ପୂଜା ପୂର୍ବକ ନଡ଼ିଆ ବାଡ଼େଇ ତିନି ରଥ ପ୍ରଭାରେ ରୂପ ଖୋଦେଇ ଚିତ୍ର ଅଙ୍କନ କରିଛନ୍ତି। ତିନିରଥର ମହାରଣା ସେବକ ଆଜି ତିନିରଥର ପ୍ରଭା ଖଞ୍ଜିବା ପାଇଁ ବେଦି ପଛ ଭାଗ ଚଉଦ ନାହାକାରେ ଦୁଇଟି ଲେଖାଏଁ ଧୂଳିଦଣ୍ଡା ଖଞ୍ଜା କାର୍ଯ୍ୟ ଶେଷ ହୋଇଛି। ଆଜି ମଧ୍ୟ ମହାରଣା ସେବକ ତିନି ରଥର ଦୁଇଟି ଲେଖାଏଁ ୨୦ ଫୁଟିଆ ସାଂଗୀ ନିର୍ମାଣ ଶେଷ କରିଛନ୍ତି। ଚିତ୍ରକାର ସେବକମାନେ ତିନିରଥ ୧୨ଟି ଦୁଆର ବେଢ଼ାରେ ଚିତ୍ର ଅଙ୍କନ ପାଇଁ ପ୍ରାଇମର ଦେବାସହ, ତିନି ରଥର ଘୋଡ଼ା, ସାରଥିମାନଙ୍କର ରଙ୍ଗ କାର୍ଯ୍ୟ ସହ ପାର୍ଶ୍ୱ ଦେବଦେବୀ, କଳସ, ହଂସ ପଟା, ନାଟ ଗୋଡ଼, ତିନି ରଥର ବାହ୍ୟ ପାର୍ଶ୍ବର ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦରଜି ସେବକମାନେ ତିନି ରଥର ୧୨ଟି ଦୁଆର ଦେଢ଼ା ପାଇଁ କନାରେ ଜରି ଲେସ, ଚାନ୍ଦି ଜରିରେ ଫୁଲ ଡାଳି ପକା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ଏଥିସହ ଶ୍ରୀବିଗ୍ରହଙ୍କ ତିନିଟି ବିଜେ ଚକା ପଟି ପ୍ରସ୍ତୁତ ଶେଷ କରିଛନ୍ତି। ଦୋଳବେଦି ଅସ୍ଥାୟୀ କମାର ଶାଳରେ ଓଝା ସେବକମାନେ ତିନିରଥର ପ୍ରଭା କଣ୍ଟା, ସିଂହାସନ ଗଣ୍ଠି କଣ୍ଟା ଓ ଧ୍ୱଜବତା କଣ୍ଟା ନିର୍ମାଣ ଜାରି ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/21/dagdaggadgd-2025-06-21-02-33-26.jpg)