‘କନକ ନ୍ୟୁଜ୍‌’ର ବିତର୍କ : ଲୋକ ଚାହିଁଲେ ବଂଶବାଦ ଲୋପ ପାଇବ

ଭୁବନେଶ୍ୱର : ‘କନକ ନ୍ୟୁଜ୍’ ପକ୍ଷରୁ ଆଜି ଜୟଦେବ ଭବନରେ ବିତର୍କ ଅନୁଷ୍ଠିତ ହୋଇଥିଲା। ବିତର୍କର ବିଷୟବସ୍ତୁ ରହିଥିଲା ‘ନେତାଙ୍କ ପୁଅ ନେତା ହେବା ଉଚିତ୍’। ଏଥିରେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର, ବିଜେଡି ନେତା ପ୍ରତାପ ଦେବ ଓ ବିଜେପି ନେତା ସୁରେଶ ପୂଜାରୀ ଯୋ‌ଗ ଦେଇ ଏହା ଉପରେ ନିଜର ମତାମତ ରଖିଥିଲେ। ଏଥିରେ ସଂଚାଳକ ଭୂମିକା ତୁଲାଇଥିଲେ କନକ ନ୍ୟୁଜର ସଂପାଦକ ମନୋରଂଜନ ମିଶ୍ର।

ବରିଷ୍ଠ କଂଗ୍ରେସ ନେତା ଶ୍ରୀ ମିଶ୍ର କହିଥିଲେ, ଦେଶ ସ୍ୱାଧୀନ ହେବା ପୂର୍ବରୁ ଯେଉଁଠାରେ ରାଜାମାନେ ଶାସନ କରୁଥିଲେ ସେଠାରେ ସମାନ୍ତବାଦ ଚିନ୍ତାଧାରା ରହିଥିଲା। ବଂଶାନୁକ୍ରମେ ସେଠାରେ ରାଜାମାନେ ଶାସନ କରୁଥିଲେ। ମାତ୍ର ଭାରତବାସୀ ଏହାକୁ ଗ୍ରହଣ କରି ନ ଥିଲେ। ଏପରିକି ପୃଥିବୀରେ ମଧ୍ୟ ସାମନ୍ତବାଦକୁ କେହି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ପ୍ରତ୍ୟେକ ନାଗରିକର ରାଜନୀତି କରିବାର ଅଧିକାର ରହିଛି। ଯଦି ବାପା କିମ୍ବା ମା’ ରାଜନେତା ଥିଲେ ସେମାନଙ୍କ ପୁଅ/ଝିଅଙ୍କୁ କିଛି ସୁବିଧା ମିଳିଥାଏ। ମାତ୍ର ଆଜିର ସମୟରେ ରାଜା ମଧ୍ୟ ନିର୍ବାଚନରେ ହାରୁଛନ୍ତି। ତେଣୁ ରାଜନୈତିକ ପୃଷ୍ଠଭୂମି ଥିଲେ ଯେ ଜଣେ ନିର୍ବାଚନ ଜିତିପାରିବ ତାହା ଭାବିବା ଠିକ୍ ହେବନାହିଁ। ନିର୍ବାଚନ ଜିତିବା ପାଇଁ ଅର୍ଥ, ଲୋକବଳ ଓ ଲୋକ ସମର୍ଥନର ଆବଶ୍ୟକା ରହିଛି। ଜନମତ ଯାହା ପାଖରେ ଅଛି ସେ ନିର୍ବାଚନରେ ବିଜୟୀ ହେବ। ରାଜ୍ୟ ତଥା ଦେଶରେ ଯଦିଓ ସାମନ୍ତବାଦ ଚିନ୍ତାଧାରା ରହିଛି ଶିକ୍ଷାର ବିକାଶ ହେଲେ ଏହା ଦୂର ହୋଇପାରିବ। ଦେଶରେ ସାମାନ୍ୟ ସାମନ୍ତବାଦ ଥିବା ରାଜ୍ୟ ହେଉଛି କେରଳ। ତେଣୁ ସେଠାରେ ରାଜନୀତି ଭିନ୍ନ। ପ୍ରତି ୫ବର୍ଷରେ ସେଠାରେ ସରକାର ବଦଳିଥାଏ। ଦେଶ ସ୍ୱାଧୀନତା ପାଇବାର ୭୨ବର୍ଷ ପରେ ମଧ୍ୟ ଜନସାଧାରଣଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରୁ ନାହିଁ। ଶିକ୍ଷାର ବିକାଶ ହେଲେ ଗଣତନ୍ତ୍ର ସଫଳ ହେବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ।

ବିଜେପି ନେତା ଶ୍ରୀ ପୂଜାରୀ କହିଲେ, ଦେଶରେ ରାଜନୀତି ଏବେ କୌଳିକ ବୃତ୍ତିରେ ପରିଣତ ହୋଇଛି। ରାଜତନ୍ତ୍ରରେ ଯିଏ ମୁଖ୍ୟ ଥିଲେ ଆଜି ମଧ୍ୟ ଗଣତନ୍ତ୍ରରେ ସେମାନେ ମୁଖ୍ୟ ରହିଛନ୍ତି। ରାଜନୀତିର ପରିଭାଷା ବଦଳିଛି, ସମାଜସେବା ଓ ଗରିବ ଲୋକଙ୍କ ସେବା ପାଇଁ ଲୋକମାନେ ରାଜନୀତି କରିବାକୁ ଆସୁ ନାହାନ୍ତି। ବରଂ ନିଜ ରାଜନୈତିକ ପରିବାରର ଚାକଚକ୍ୟ ଓ ଜୀବନ ଉପଯୋଗ କରିବାକୁ ରାଜନୀତି ହେଉଛି। ଦୀର୍ଘ ସମୟ ଧରି ଆମେ ଅନ୍ୟମାନଙ୍କ ଦ୍ୱାରା ଶାସିତ ହେବା ଯୋଗୁଁ ସ୍ୱାଧୀନତାର ଯଥେଷ୍ଟ ବର୍ଷ ପରେ ମଧ୍ୟ ଲୋକମାନଙ୍କ ମାନସିକତାରେ ପରିବର୍ତନ ହୋଇନାହିଁ। ବିକାଶ ତ ଦୂରର କଥା ଆମେ ଲୋକମାନଙ୍କ ମାସିକତାରେ ପରିବର୍ତନ କରିବାରେ ସକ୍ଷମ ହୋଇପାରି ନାହୁଁ। ଶିକ୍ଷା ବଂଶବାଦକୁ ବିଲୋପ କରିବା ପରିବର୍ତେ ଏହାକୁ ଅଧିକ ସମର୍ଥନ କରୁଛି। ନିର୍ବାଚନରେ ବିଜୟୀ‌ ହେବା ସହିତ ଯୋଗ୍ୟତାକୁ ଯୋଡ଼ିବା ଠିକ ନୁହେଁ। ଦରଦୀ ମଣିଷ ଯଦି ରାଜନୀତିକୁ ଆସନ୍ତି ତେବେ ବଂଶବାଦର ‌ବିଲୋପ ହୋଇପାରିବ ବୋଲି ସେ କହିଥିଲେ।

ବିଜେଡି ନେତା ଶ୍ରୀ ଦେବ କହିଲେ, ବଂଶବାଦର ପରିଭାଷା ଆମର ସାମାଜିକ ବ୍ୟବସ୍ଥା ସହିତ ଜଡ଼ିତ। ସାମନ୍ତବାଦ ଚିନ୍ତାଧାରା ଆମ ରକ୍ତରେ ରହିଛି ଏହାକୁ ଦୂରେଇ ଦେବା ସମ୍ଭବ ନୁହେଁ। କେବଳ ରାଜନୀତି କାହିଁକି ଅନ୍ୟ ସମସ୍ତ ବର୍ଗରେ ମଧ୍ୟ ଏହା ଭରି ରହିଛି। ଦେଶର ଅଧିକାଂଶ ର‌ାଜନୈତିକ ଦଳରେ ବଂଶବାଦ ଭରି ରହିଛି। ଏହା ପୂର୍ବରୁ ଥିଲା ଓ ଆଗକୁ ମଧ୍ୟ ରହିବ। ଯଦି ଯୋଗ୍ୟତା ନାହିଁ ତାହାଲେ ବଂଶବାଦ କୌଣସି କାମରେ ଆସି ନ ଥାଏ। ରାଜ୍ୟରେ ଏଭଳି ଅନେକ ଉଦାହରଣ ରହିଛି। କର୍ତବ୍ୟ, ନିଷ୍ଠା ଓ ଯୋଗ୍ୟତା ଥିଲେ ଜଣେ ନିର୍ବାଚନରେ ବିଜୟୀ ହୋଇପାରିବ। ତେବେ ବଂଶବାଦର ପ୍ରଭାବ ଓଡ଼ିଶାରେ ଅନ୍ୟ ରାଜ୍ୟ ତୁଳନାରେ ଯଥେଷ୍ଟ କମ୍ ରହିଛି। ସାମ୍ୟବାଦ ଆସି ଚାଲିଯାଇଥିଲେ ହେଁ ସାମନ୍ତବାଦ ଶେଷ ହୋଇପାରି ନାହିଁ। ବହି ପଢ଼ି ଜଣେ ଭଲ ନେତା ହୋଇପାରିବ ନାହିଁ। ଏଥିପାଇଁ ଲୋକଙ୍କ ସମ୍ମୁଖରେ ୫ବର୍ଷରେ ଥରେ ପରୀକ୍ଷା ଦେବାକୁ ପଡ଼ିଥାଏ ବୋଲି ଶ୍ରୀ ଦେବ କହିଥିଲେ।

ସମ୍ବନ୍ଧିତ ଖବର