କାମ ଦେଉନି କାଞ୍ଚି ଜଳସେଚନ ବ୍ୟବସ୍ଥା: ବର୍ଷକ ଭିତରେ ଭାଙ୍ଗିଗଲା ଆନିକଟ୍‌

ଲୁହା ଗେଟ୍‌ ବଦଳରେ ପାଣି ଅଟକାଇବାକୁ ପଡ଼ିଛି ବାଲିବସ୍ତା

କାମ ଦେଉନି କାଞ୍ଚି ଜଳସେଚନ ବ୍ୟବସ୍ଥା: ବର୍ଷକ ଭିତରେ ଭାଙ୍ଗିଗଲା ଆନିକଟ୍‌

ପୁରୀ : ଚାଷଜମିକୁ ଜଳସେଚନ ସହ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଗମ କରିବା ଲକ୍ଷ୍ୟରେ ଜଳସେଚନ ବିଭାଗ ପକ୍ଷରୁ କାଠପୋଲ ନିକଟ ଧାଉଡ଼ିଆଠାରେ କାଞ୍ଚି ନଦୀରେ ଆନିକଟ୍‌ ନିର୍ମାଣ କରାଯାଇଥିଲା। ଏ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ ବି ହେଲା। କିନ୍ତୁ ଏହି ପ୍ରକଳ୍ପକୁ ବର୍ଷେ ପୂରିଛି କି ନାହିଁ, ଭାଙ୍ଗିଗଲାଣି। ଆନିକଟ୍‌ ଏକପ୍ରକାର ଅଚଳ ଅବସ୍ଥାରେ ପଡ଼ିଛି। ସ୍ଥିତି ଏପରି ହୋଇଛି ଯେ ଜଳସେଚନ ବିଭାଗ ନୂଆ କରି ହୋଇଥିବା ଏହି ପ୍ରକଳ୍ପ ଜାଗାରେ ପାଣି ଅଟକାଇବା ପାଇଁ ବାଲିବସ୍ତା ପକାଇଛି। ସେପଟେ ଜଳ ପରିଚାଳନା ବ୍ୟବସ୍ଥା ଠିକ୍‌ ହେଉନଥିବାରୁ ଚାଷୀ ବି ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

publive-image
ବର୍ଷେ ତଳେ ଧାଉଡ଼ିଆଠାରେ ଜଳସେଚନ ବିଭାଗ ପକ୍ଷରୁ କାଞ୍ଚି ନଦୀର ପାଣିକୁ ସମଙ୍ଗ ସହ ଆଖପାଖ ମୌଜାର ଚାଷଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ନଦୀ ମଝିରେ ଆନିକଟ୍‌ ତିଆରି ହୋଇଥିଲା। ପାଣି ଅଟକାଇବା ଓ ଛାଡ଼ିବା ପାଇଁ ଏହି ଆନିକଟ୍‌ରେ ୨୦ଟି ଗେଟ୍‌ର ବ୍ୟବସ୍ଥା ହେଲା। ୨୦ଟି ଲୁହାର ଗେଟ୍‌ ବି ଲାଗିଲା। ସେହିଭଳି ମଧୁବନ ବାଲିଆ ଓ ଆଖପାଖ ଅଞ୍ଚଳକୁ ଜଳସେଚନ ପାଇଁ ନୂଆ କରି କେନାଲ୍‌ ଖନନ ହେଲା। ସୁଉଚ୍ଚ ବନ୍ଧ ତିଆରି ହେଲା। ଦୁଇପାର୍ଶ୍ବକୁ କାଞ୍ଚି ନଦୀର ପାଣି ପ୍ରବାହିତ ହେବାର ଯୋଜନା କରାଯାଇଥିଲା। ବନ୍ଧ ନ ଖାଇବା ପାଇଁ ଆନିକଟ୍‌ର ଦୁଇପାର୍ଶ୍ବରେ ପଥର ପ୍ୟାକିଂ ଦିଆଗଲା। ଆନିକଟର ବ୍ୟବସ୍ଥା ଥିଲା କି ଯଦି କାଞ୍ଚି ନଦୀରେ ପାଣି ଅଧିକ ହେବ, ଏହା ସମଙ୍ଗ ମୌଜା ଓ ଆଖପାଖ ଅଞ୍ଚଳକୁ ଜଳସେଚିତ କରିବ। ଆନିକଟ ଉଚ୍ଚର ପାଣି ନୂଆ କରି ‌ଖନନ ହୋଇଥିବା କେନାଲ୍‌ ଦେଇ ପ୍ରବାହିତ ହେବ। ଯଦି ଜଳ ପ୍ରବାହ କମେ ଗେଟ୍‌ ଖୋଲି ଉଭୟ ପାର୍ଶ୍ବକୁ ଜ‌ଳସେଚନ କରାଯିବାର ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ କାମରେ ଆସିବା ପୂର୍ବରୁ କୋଟି କୋଟି ଟଙ୍କାର ଏହି ଆନିକଟ୍‌ ଅଚଳ ହୋଇପଡ଼ିଛି। ଯେଉଁ ଗେଟ୍‌ ସବୁ ଲାଗିଥିଲା ତାହା ଭାଙ୍ଗି ଗଳିପଡ଼ିଲାଣି। ଏଣୁ ପାଣିକୁ ଅଟକାଇବା ପାଇଁ ଜଳସେଚନ ବିଭାଗ ଏଠାରେ ଶହ ଶହ ବାଲିବସ୍ତା ପକାଇଛି। ଏହା ଜଳସେଚନ ବିଭାଗର ଜଳସେଚନ ପରିଚାଳନା ବ୍ୟବସ୍ଥାକୁ ଉପହାସ କରୁଛି।

publive-image

ପୁରୀ ସଦର ବ୍ଲକ୍‌ ଚାଳିଶବାଟିଆ ପଞ୍ଚାୟତ ଭିକାରିପଡ଼ାର ନବଘନ ସ୍ବାଇଁ କହିଛନ୍ତି, ବର୍ଷକ ତଳେ ତିଆରି ହୋଇଥିବା ଏହି ଆନିକଟ୍‌ ଚାଷୀଙ୍କ କାମରେ ଆସୁନି। ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରିକାରେ ନିମ୍ନମାନର ଆନିକଟ୍‌ କାମ ଚାଲିଛି। ଯେଉଁଥିପାଇଁ ଚାଷୀମାନେ ହଇରାଣ ହେଉଛନ୍ତି। ଆନିକଟ୍‌ ଠିକ୍‌ରେ କାମ ଦେଉନଥିବାରୁ ସମଙ୍ଗ ମୌଜାରେ ଥିବା ତାଙ୍କ ଚାଷ ଜମିର ଧାନ ଚାଷ ଚଳିତବର୍ଷ ନଷ୍ଟ ହୋଇଗଲା। ଏଥିପାଇଁ ସେ ପ୍ରାୟ ୫୦ହଜାର ଟଙ୍କାର କ୍ଷତି ସହିଛନ୍ତି। ତାଙ୍କ ଭଳି ସମଙ୍ଗ ଓ ଆଖପାଖ ମୌଜାର ଚାଷୀମାନେ ବି କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଇଂ. ରତ୍ନାକର ଦଳାଇ କହିଛନ୍ତି, ଆନିକଟ୍‌ରେ କୌଣସି ଅସୁବିଧା ନାହିଁ। ପାଣି ଅଧିକ ଆସିଲେ, ବାଲିବସ୍ତା ପକାଇ ପ୍ରତିବର୍ଷ ପାଣି ଅଟକାଯାଏ। ଏ ସମ୍ପର୍କରେ ସଂପୃ୍କ୍ତ ଯନ୍ତ୍ରୀଙ୍କ ସହ ସେ ଆଲୋଚନା କରିବି ବୋଲି ଇଂ. ଦଳାଇ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe