କନ୍ଦରପୁର-ମାଛଗାଁ ରାଜପଥ ନକ୍ସା ପରିବର୍ତ୍ତନକୁ ଚାଲେଞ୍ଜ

କଟକ : ଜାତୀୟ ରାଜପଥ ନମ୍ବର-୫୫ର ମୂଳ ନକ୍ସାରେ ପରିବର୍ତ୍ତନକୁ ବିରୋଧ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ନୂତନ ଭାବେ ଘୋଷିତ ଏହି ଜାତୀୟ ରାଜପଥର ଦିଗରେ ପରିବର୍ତ୍ତନ କରାଯାଇଛି। ୫୫ ନମ୍ବର ଜାତୀୟ ରାଜପଥରେ ଏପରି ପରିବର୍ତ୍ତନ ଗ୍ରହଣୀୟ ହୋଇ ନଥିବା ବେଳେ ଏ ସଂପର୍କିତ ବିଜ୍ଞପ୍ତିକୁ ରଦ୍ଦ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ଜଗତସିଂହପୁର ବାଲିକୁଦା ଅଞ୍ଚଳର ପାର୍ଥ ସାରଥୀ ଦାସ, ଉମେଶ ଚନ୍ଦ୍ର ସ୍ୱାଇଁଙ୍କ ସମେତ ୧୪୧ ଜଣ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାୟର ଏହି ଜନସ୍ୱାର୍ଥ ମାମଲାକୁ ଆଇନଜୀବୀ ରଘୁନାଥ ବିଶ୍ୱାଳ ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ କନ୍ଦରପୁର-ମାଛଗାଁ ରାସ୍ତାକୁ ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିଲା। ୫୩ ନମ୍ବର ଜାତୀୟ ରାଜପଥର ସମ୍ବଲପୁର ନିକଟସ୍ଥ ସଂଯୋଗ ସ୍ଥଳରୁ ୫୫ ନମ୍ବର ଜାତୀୟ ରାଜପଥ ଆରମ୍ଭ ହୋଇ ରେଢାଖୋଲ, ଅନୁଗୋଳ, ବଁରପାଳ, ଡେଙ୍କାନାଳ, କଟକ, ଜଗତସିଂହପୁର, ବାଲିକୁଦା ଦେଇ ନାଉଗାଁରେ ଶେଷ ହେବ ବୋଲି ୨୦୧୫, ସେପ୍ଟେମ୍ବର ୧୭ରେ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ଅନ୍ୟପକ୍ଷରେ ଫୁଲନଖରାରୁ ଅସ୍ତରଙ୍ଗ ରାଜ୍ୟ ରାଜପଥ ନାଉଗାଁ ନିକଟ ଦେଇ ଯାଇଥିବା ବେଳେ ଲୋକମାନେ ୫୫ ନମ୍ବର ଜାତୀୟ ରାଜପଥରୁ ଏହି ରାସ୍ତା ଦେଇ ପୁରୀ, କାକଟପୁର, କୋଣାର୍କ ଭଳି ପ୍ରମୁଖ ପର୍ଯ୍ୟଟନ ଅଞ୍ଚଳକୁ ସହଜରେ ଯାଇ ପାରିବେ ବୋଲି ସ୍ପଷ୍ଟ ହୋଇଥିଲା।

ନୂତନ ଭାବେ ଘୋଷିତ ୫୫ ନମ୍ବର ଜାତୀୟ ରାଜପଥ ବାଲିକୁଦା, ନାଉଗାଁ ତଥା ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସୁବିଧାଜନକ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହି ରାଜପଥର ମୂଳ ନକ୍ସାରେ କେତେକ ପରିବର୍ତ୍ତନ କରାଯାଇ ଥିଲା। ଜାତୀୟ ରାଜପଥର ଦିଗରେ ପରିବର୍ତ୍ତନ କରାଯାଇଥିଲା। କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ହସ୍ତକ୍ଷେପ ପରେ ଉଦ୍ଦେଶ୍ୟମୂଳକ ଭାବେ ୫୫ ନମ୍ବର ଜାତୀୟ ରାଜପଥର ମୂଳ ନକ୍ସାରେ ପରିବର୍ତ୍ତନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଏ ସଂପର୍କିତ ୨୦୧୫, ସେପ୍ଟେମ୍ବର ୧୭ ବିଜ୍ଞପ୍ତିର ଉଲ୍ଲଂଘନ କରି ରାଜ୍ୟ ସରକାର ଏପରି ପରିବର୍ତ୍ତନ କରିଥିଲେ ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ରଜ୍ୟ ସଡକ ପରିବହନ ବିଭାଗ, ରାଜ୍ୟ ରାଜପଥ ଇଂଜିନିୟର ଇନ୍‌ ଚିଫ୍‌, କେନ୍ଦ୍ର ସଡକ ପରିବହନ ବିଭାଗ, ୫୫ ନମ୍ବର ଜାତୀୟ ରାଜପଥର ଦାୟିତ୍ୱରେ ଥିବା ଇଂଜିନିୟରଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର