କଟକ: କଟକ ପରମହଂସ ପୀଠ ନିକଟ କାଠଯୋଡ଼ି ନଦୀପଠାରୁ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର ଘଟଣାର ପର୍ଦ୍ଦାଫାସ ହୋଇଛି। ମୃତ ମହିଳା ପଦ୍ମାବତୀ ସାମଲଙ୍କୁ ତାଙ୍କ ସ୍ବାମୀ ଓ ଦୁଇ ଦିଅର ବୀଭତ୍ସ ହତ୍ୟା କରିଛନ୍ତି। ସୁରତରେ ଅନ୍ୟ ଧର୍ମର ଜଣେ ବ୍ୟକ୍ତିଙ୍କ ସହିତ ମହିଳାଙ୍କ ଅନୈତିକ ସମ୍ପର୍କକୁ ସ୍ବାମୀ ଦେଖିଦେବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ ତଦନ୍ତ ସମୟରେ ଜାଣିବାକୁ ପାଇଛି। ଏହି ମାମଲାରେ ପୁଲିସ ମୃତ ପଦ୍ମାବତୀଙ୍କ ସ୍ବାମୀ କେନ୍ଦ୍ରାପଡ଼ାଜିଲ୍ଲା ମହାକାଳପଡ଼ା ଥାନା ଭିତର ସୋବଳର ବଳରାମ ଦେହୁରୀ(୩୨), ଦିଅର ଜଗନ୍ନାଥ ଦେହୁରୀ (୨୭) ଓ ହାପି ଦେହୁରୀ(୨୦)କୁ ଗିରଫ କରିଛି।
ଚଳନ୍ତା ଟ୍ରେନ୍ରେ ବନ୍ଧାହେଲା ଦିଅର ଜଗନ୍ନାଥ
ସ୍ବାମୀ ସମେତ ୩ ଅଭିଯୁକ୍ତ ଗିରଫ
ସୂଚନା ଅନୁଯାୟୀ, ଗତ ୧୩ ତାରିଖ ସକାଳେ କନ୍ଦରପୁର ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ ପଠାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରୁ ଜଣେ ପୁରୁଷଙ୍କ ପ୍ୟାଣ୍ଟରେ ଲାଗିଥିବା ଏକ ରସିଦ୍ରେ ନ୍ୟୁ ଷ୍ଟାର୍ ଟେଲର୍ ଓ କ୍ରମିକ ନମ୍ବର(୩୮୩୩) ଲେଖାଯାଇଥିବା ବେଳେ ଏହାକୁ ଆଧାର କରି ପୁଲିସ ପୂରା ଘଟଣାର ପର୍ଦ୍ଦାଫାସ କରିଛି। ଏହି ନାଁରେ ଓଡ଼ିଶାରେ ୧୦ଟି ଟେଲର୍ ଥିବା ଜଣାପଡ଼ିଥିଲେ ମଧ୍ୟ ରସିଦ ମେଳ ହୋଇ ନଥିଲା। ତେବେ ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ତଦନ୍ତ ବେଳେ ଜଣେ ଟେଲର୍ ଗୁଜରାଟରେ ଏହି ପ୍ରକାର କାଗଜ ରସିଦ ପାଇଁ ବ୍ୟବହାର ହେଉଥିବା ସମ୍ପର୍କରେ କହିଥିଲେ। ଫଳରେ ସୁରତରେ ପାଖାପାଖି ୭ରୁ ୮ଟି ଦୋକାନ ଯାଞ୍ଚ କରାଯାଇଥିଲା। କଟକ କମିସନରେଟ୍ ପୁଲିସ ଜବତ କରିଥିବା ରସିଦ ଗୋଟିଏ ଟେଲର୍ ସହିତ ମେଳ ଖାଇଥିଲା।
ପୁଲିସ ଜବତ କରିଥିବା ରସିଦରେ ଥିବା କ୍ରମିକ ନଂ ୩୮୩୩ରୁ ଗ୍ରାହକଙ୍କ ନାମ ବାବୁ ବୋଲି ଜଣାପଡ଼ିଥିଲା। ବାବୁ ନାମଧାରୀ ଗ୍ରାହକଙ୍କୁ ଟେଲର୍ ଜଣକ ୧୦୦ ଟଙ୍କା ଫେରସ୍ତ କରିବାକୁ ଥିଲା। ସେ ପେଟିଏମ୍ ଯୋଗେ ଏହି ଟଙ୍କା ପଠାଇଥିଲେ। ପୁଲିସ ଉକ୍ତ ନମ୍ବରରେ ଯୋଗାଯୋଗ କରି ବାବୁଙ୍କ ବନ୍ଧୁ ନିକଟରେ ପହଞ୍ଚିଥିଲା।
ବାବୁ ହେଉଛି ଜଗନ୍ନାଥ ଦେହୁରୀ ଓରଫ ବାପି। ବାବୁ ଓଡ଼ିଶାରୁ ସୁରତ ଯାଉଥିବା ମୋବାଇଲ୍ ଲୋକେସନ୍ ଟ୍ରାକିଂରୁ ଜାଣିବାକୁ ପାଇଥିଲା। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟରେ ପୁଲିସ ଟ୍ରେନ୍ ବଗିରେ ବାବୁ ଓରଫ ଜଗନ୍ନାଥକୁ କାବୁ କରିଥିଲା। ବାବୁ ହେଉଛି ମୃତ ମହିଳାଙ୍କ ଦିଅର। ସେ ନିଜ ଭାଇ ବଳରାମ ଦେହୁରୀ ଓ ଦାଦା ପୁଅ ଭାଇ ହାପି ଦେହୁରୀ ସହିତ ମିଶି ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ବୀକାର କରିଥିଲା। ପୁଲିସ ବଳରାମକୁ କେନ୍ଦ୍ରାପଡ଼ା ପୁଲିସ ସହାୟତାରେ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡ ପଛରେ ଅନୈତିକ ସମ୍ପର୍କ ଓ ପାରିବାରିକ ବିବାଦ ପ୍ରମୁଖ କାରଣ ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଏ ସଂପର୍କରେ ପୁଲିସ କମିସନର୍ ସୁରେଶ ଦେବଦତ୍ତ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଏହି ସମ୍ମିଳନୀରେ ଡିସିପି ଜଗମୋହନ ମୀନା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/16/lkjIr1Pb00UB9FLhm17J.jpg)