ଗୁଣିଗାରେଡ଼ି ସନ୍ଦେହରେ ପରିବାର ବାସନ୍ଦ ଘଟଣା: ୪୭ ଦିନ ପରେ ବି ଫଳ ଶୂନ, ଥାନା ଘେରିଲା କନ୍ଧ ସମାଜ

ସିନ୍ଧେକେଲା : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ନିମୁର୍ଲା ଗାଁରେ ଗୁଣିଗାରେଡ଼ି ସନ୍ଦେହ କରି ଗୋଟିଏ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି। ଏହି ଘଟଣାକୁ ଇତିମଧ୍ୟରେ ୪୭ ଦିନ ବିତି ଯାଇଥିଲେ ମଧ୍ୟ ଠୋସ୍‌ କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ ବୋଲି ଅଭିଯୋଗ କରିଛି ଜିଲ୍ଲା କନ୍ଧ ସମାଜ। ଏନେଇ କନ୍ଧ ସମାଜ ସୋମବାର ସିନ୍ଧେକେଲା ଥାନା ଘେରାଉ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ପ୍ରକାଶ ଯେ, ନିମୁର୍ଲା ଗାଁରେ ଗୁଣିଗାରେଡ଼ି ସନ୍ଦେହରେ ବାସନ୍ଦ ହେବାରୁ ଗୋଟିଏ ପରିବାରର ୧୩ ଜଣ ସଦସ୍ୟ ଗା ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ପୁଲିସ ଗାଁରେ ଏକ ସଚେତନତା ସଭା କରିଥିଲେ ହେଁ ବିଫଳ ହୋଇଥିଲା। ପରବର୍ତ୍ତୀ ସମୟରେ ପଶ୍ଚିମ ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘର ମହାସଚିବ ନିରଞ୍ଜନ ବିଶିଙ୍କ ତତ୍ତ୍ଵାବଧାନରେ ମଧ୍ୟ ଏକ ସଚେତନତା ବୈଠକ ହୋଇଥିଲା। ତଥାପି ସମାଧାନ ହୋଇନଥିଲା। ଏହାକୁ ନେଇ ସୋମବାର କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ସଭାପତିତ୍ବରେ ସିନ୍ଧେକେଲା ଥାନା ଘେରାଉ କରାଯାଇଥିଲା। ବହୁ ସମୟ ଧରି ଘେରାଉ କରାଯାଇଥିଲେ ହେଁ ସମାଧାନ ପାଇଁ କୌଣସି ବାଟ ଫିଟି ନଥିଲା। ଶେଷରେ ଥାନାର ମୁଖ୍ୟ ଫାଟକକୁ ଉତ୍ତ୍ୟକ୍ତ ଲୋକେ ତାଲା ପକାଇ ଦେବା ସହ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ସମାଧାନ ପାଇଁ ଆସିଥିବା ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ ମଧ୍ୟ ଥାନା ଭିତରେ ରହି ଯାଇଥିଲେ। ମାଜିଷ୍ଟ୍ରେଟ ଭାବେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ପହଞ୍ଚି ଆଲୋଚନା କରିଥିଲେ। ଜିଲ୍ଲା କନ୍ଧସମାଜ ଯୁବ ସଂଗଠନ ତରଫରୁ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା, ବାସନ୍ଦ ପରିବାରକୁ ଥଇଥାନ କରିବାକୁ ଲିଖିତ ପ୍ରତିଶ୍ରୁତି ମଗାଯାଇଥିଲା। ଏହି ଘେରାଉରେ ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଧନେଶ୍ଵର ମାଝୀ, ନାରୀନେତ୍ରୀ କିରଣ ଭୋଇ, ବନିତା ପ୍ରଧାନୀ, ବଙ୍ଗୋମୁଣ୍ଡା ବ୍ଲକ୍‌ ସଭାପତି ବ୍ରଜ ଭୋଇ, ମୁରିବାହାଲ ବ୍ଲକ୍‌ ସଭାପତି ଦୁଶିମଣି ପ୍ରଧାନୀ, ସଇନ୍ତଲା ବ୍ଲକ୍‌ ସଭାପତି ରାଜେନ୍ଦ୍ର ଭୋଇଙ୍କ ସହିତ ଗୋପାଳ ସିଂହ ଭୋଇ, ତୁଲସୀ ଭୋଇ, ମୋତିରାମ ଭୋଇ, କୁଲଦୀପ ମାଝୀ, ଲଳିତ ଜାନୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର