ମଞ୍ଜୁଦେବୀ ହତ୍ୟା ମାମଲାରେ ନିରୀହ କନ୍ଧ ଯୁବକଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ: ବଙ୍ଗୋମୁଣ୍ଡା ଥାନା ଘେରିଲା କନ୍ଧ ସମାଜ ଯୁବ ସଂଗଠନ

ବଙ୍ଗୋମୁଣ୍ତା : ବଙ୍ଗୋମୁଣ୍ଡା ମଞ୍ଜୁଦେବୀ ହତ୍ୟା ମାମଲାରେ ନିରୀହ କନ୍ଧ ଯୁବକ ମୋତି ଭୋଇଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛି ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ। ଏହାର ପ୍ରତିବାଦରେ ସୋମବାର ସଂଗଠନ ପକ୍ଷରୁ ବଙ୍ଗୋମୁଣ୍ଡା ଥାନା ଘେରାଉ କରାଯାଇଥିଲା। ବ୍ଲକ ସଭାପତି ବ୍ରଜ ଭୋଇଙ୍କ ନେତୃତ୍ବରେ ଶତାଧିକ କନ୍ଧ ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଏକ ବିଶାଳ ଶୋଭାଯାତ୍ରାରେ ଦ୍ବାରସେହ୍ନୀ ମନ୍ଦିରରୁ ବାହାରିଥିଲେ। ବସ୍ତି ପରିକ୍ରମା ପରେ ଥାନା ସମ୍ମୁଖରେ ପହ‌ଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ମଞ୍ଜୁଦେବୀ ହତ୍ୟାକାଣ୍ତର ସିବିଆଇ ତଦନ୍ତ କରାଯାଇ ପ୍ରକୃତ ଦୋଷୀଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ମୋତି ଭୋଇଙ୍କୁ ନିର୍ଦୋଷରେ ଖଲାସ କରିବା ପାଇଁ ଦାବି କରିଥିଲେ। ବଙ୍ଗୋମୁଣ୍ତା ଥାନା ଅଧିକାରୀ ବିନୋଦ ବିହାରୀ ନାଏକ, କଣ୍ଟାବାଞ୍ଜି ଥାନା ଅଧିକାରୀ ସତ୍ୟଜିତ କାଣ୍ଡେଲକରଙ୍କୁ ବହିଷ୍କାର ଏବଂ ଗିରଫ ଦାବି ମଧ୍ୟ କରିଥିଲେ।

ଏହି ଘେରାଉରେ ଜିଲ୍ଲା ସଭାପତି ସୁରେଶ ଭୋଇ, ଉପସଭାପତି ଧନେଶ୍ବର ମାଝୀ, ସଂପାଦକ ଡିଙ୍ଗର ଭୋଇ, କୋଷାଧ୍ୟକ୍ଷ ଡମ୍ବରୁଧର କୁଅଁର, ନାରୀନେତ୍ରୀ କିରଣ ଭୋଇ, ବବିତା ପ୍ରଧାନୀ, ସଇନ୍ତଳା ବ୍ଲକ୍‌ ସଂପାଦକ ଖୁସିରାମ ଜାନୀ, ମୁରିବାହାଲ ବ୍ଲକ୍‌ ସଭାପତି ଦୁସିମଣି ପ୍ରଧାନୀ, ସଂପାଦକ ଗୋପାଳ ସିଂ ଭୋଇ, ସହ ସଂପାଦକ ତୁଲସୀରାମ ଭୋଇ, ସଂଯୋଜକ ପ୍ରଦୀପ ଭୋଇ, କେଶବ ଭୋଇ, ସନ୍ନ୍ୟାସୀ ଭୋଇ, ତୁରେକେଲା ବ୍ଲକ୍‌ ସଭାପତି ଜୟଗୋପାଳ ଭୋଇ, ସୌମିତ୍ରୀ ଭୋଇ, ଟଙ୍କଧର ଭୋଇ, ବାସୁଦେବ ଜାନୀ ପ୍ରମୁଖଙ୍କ ସହ ବହୁ କନ୍ଧ ପୁରୁଷ ମହିଳା ସାମିଲ ହୋଇଥିଲେ। ଏସ୍‌ଡିପିଓ ହୃଷୀକେଶ ମେହେର ଏବଂ ମାଜିଷ୍ଟ୍ରେଟ ଦାୟିତ୍ବରେ ବଙ୍ଗୋମୁଣ୍ତା ତହସିଲଦାର ଗୁଣମଣି ସୁନାନୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର