କନ୍ଧମାଳରେ ସଂକ୍ରମଣ ସଂଖ୍ୟା ୫୦୦ ଆଡକୁ, ନୂଆ ୧୪କୁ ମିଶାଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୪୭୭

ଲକ୍ ଡାଉନକୁ ଦୁଇ ଦିନ, ଆକସନ୍ ମୁଡକୁ ଆସିଲା ପୁଲିସ

ଫୁଲବାଣୀ : କନ୍ଧମାଳରେ ବଢି ଚାଲିଛି କରୋନା ସଂକ୍ରମିତ। ଆଜି ନୂଆ ୧୪ ପଜିଟିଭକୁ ମିଶାଇ ସମୁଦାୟ ଆକ୍ରାନ୍ତ ସଂଖ୍ୟା ୪୭୭ରେ ପହଞ୍ଚିଛି। ନୂଆ ଆକ୍ରାନ୍ତ ମଧ୍ୟରୁ ୯ ଜଣ ପୁରୁଷ ଓ ୫ ଜଣ ମହିଳା ଅଛନ୍ତି। ଫୁଲବାଣୀରୁ ଜଣେ, ଜି.ଉଦୟଗିରି ଓ ଟିକାବାଲିରୁ ୩ ଜଣ ଲେଖାଏଁ, ବାଲିଗୁଡାରୁ ୪ ଏବଂ ତୁମୁଡିବନ୍ଧ ଓ ଚକାପାଦରୁ ଜଣେ ଲେଖାଏଁ ଆକ୍ରାନ୍ତ ଅଛନ୍ତି। ଆକ୍ରାନ୍ତ ମଧ୍ୟରୁ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ଜଣେ ପୁଲିସ ଏଏସଆଇ ଓ ଆଉ ଜଣେ ମହିଳା ପୁଲିସ କନେଷ୍ଟବଳ। ବାଲିଗୁଡାରୁ ଆକ୍ରାନ୍ତ ୪ରୁ ୨ ଜଣ ସିଆରପିଏଫ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମୁଦାୟ ଆକ୍ରାନ୍ତ ୪୭୭ ମଧ୍ୟରୁ ୨୯୦ ଜଣ ସୁସ୍ଥ ହୋଇଛନ୍ତି। ୧୮୫ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଯାଇଛି।

ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଜିଲ୍ଲା ପ୍ରଶାସନ ୧୦ ଦିନ ପାଇଁ ଲକ୍ ଡାଉନ ଜାରି କରିଛି। ଗତକାଲିଠାରୁ ଆରମ୍ଭ ଲକ୍ ଡାଉନ ଆସନ୍ତା ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଦୋକାନ ବଜାର ଖୋଲା ଯାଇ ପାରିବ ନାହିଁ। କେହି ପଦାକୁ ବାହାରିବେ ନାହିଁ। ଜରୁରୀ କାମରେ ଅନୁମତି ନେଇ ଯାଇ ପାରିବେ। ଏତେ ସବୁ କଟକଣା ଜାରି ହୋଇଥିଲେ ବି କିଛି ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଛନ୍ତି। କହିବାକୁ ଗଲେ ଅଧିକାଂଶ ଅମାନିଆ ସ୍ବାସ୍ଥ୍ୟଗତ କାରଣ ଓ ଡାକ୍ତରଖାନାକୁ ଯାଉଛୁ ଦର୍ଶାଇ ସକାଳୁ ରାତି ଯାଏ ବାଇକରେ ପଇଁତରା ମାରିବାକୁ ପଛାଉ ନାହାନ୍ତି। ଗତକାଲି ଲକ୍ ଡାଉନର ପ୍ରଥମ ଦିନରେ ଏଭଳି ଦୃଶ୍ୟ ଅଧିକାଂଶ ସ୍ଥାନରେ ଦେଖିବାକୁ ମିଳିଥିଲା। ହେଲେ ଏସବୁ ଦେଖି ପୁଲିସ ନିରବଦ୍ରଷ୍ଟା ସାଜିଥିଲା। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ସହ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଆଜି ଲକ୍ ଡାଉନ ଦ୍ବିତୀୟ ଦିନଠୁ ଆକସନ ମୁଡକୁ ଆସି ଆଜି ପୁଲିସ କଡା ପ୍ରହରା ମାରିବା ସହ ଗାଡି ମଟର ଯାଞ୍ଚ କରିଛି। କିଛି ଅମାନିଆ ଲାଠି ମାଡ ଖାଇ ଥିବା ବେଳେ କିଛି ଜରିମାନା ମଧ୍ୟ ଦେଇଛନ୍ତି। ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ ଓ ଟାଉନ ଥାନାଧିକାରୀ ଜିଲ୍ଲା ସଦର ମହକୁମାରେ ଆଜି ସକାଳୁ ରାତି ଯାଏ ପଇଁତରା ମାରି ଅମାନିଆଙ୍କ ଉପରେ କଡା ନଜର ରଖିଥିଲେ। ସେହିଭଳି ବାଲିଗୁଡାରେ ଉପଖଣ୍ଡ ପୁଲିସ ଅଧିକାରୀ ମାନସ ରଂଜନ ବିଶ୍ବାଳ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ବେହେରା,ଫିରିଙ୍ଗିଆରେ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ,ସଦର ଅଞ୍ଚଳରେ ଥାନାଧିକାରୀ ଆଦିତ୍ୟ କୁମାର ସେଠୀ ଏବଂ ଗୋଛାପଡା ଅଞ୍ଚଳରେ ଥାନାଧିକାରୀ ତୁପ୍ତିରଂଜନ ନାୟକ ପ୍ରମୁଖ ଆକସନ ମୁଡରେ ଆଜି ବୁଲାବୁଲି କରିଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର