ଫୁଲବାଣୀ/ଦାରିଙ୍ଗବାଡ଼ି/ବ୍ରହ୍ମପୁର/ଭୁବନେଶ୍ବର: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ୨ ମହିଳାଙ୍କ ମୃତ୍ୟୁ ଓ ଛଅଜଣ ଅସୁସ୍ଥ ହେବା ଘଟଣାକୁ ନେଇ ଗତ ଦୁଇଦିନ ହେଲା ତନାଘନା ଚାଲିଛି। ଘଟଣାକୁ ନେଇ ରାଜନୈତିକ ବୟାନବାଜି ସହ ବିଭିନ୍ନ ଦଳର ନେତୃବୃନ୍ଦ ଏହି ଗାଁକୁ ଗସ୍ତ କରୁଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ଏହି ଘଟଣାକୁ ଗୁରୁତ୍ବର ସହ ନେଇ କାର୍ଯ୍ୟ କରୁଛି। ନ୍ଧମାଳ ସିଡିଏମ୍ଓ ଡାକ୍ତର ସନ୍ତୋଷ ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ଏମ୍ଏଚ୍ୟୁ ଟିମ୍ ଓ ଆଇଡିଏସ୍ପି ଟିମ୍ ଓ ଆଜି
ଅତିରିକ୍ତ ସିଡିଏମ୍ଓ (ଜନସ୍ବାସ୍ଥ୍ୟ) ଡାକ୍ତର କଲ୍ୟାଣୀ ମିଶ୍ରଙ୍କ ନେତୃତ୍ବରେ ଅନ୍ୟ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆମ୍ବଟାକୁଆର ଖାଦ୍ୟ ମାନ ପରୀକ୍ଷଣ ପାଇଁ ଫରେନ୍ସିକ୍ ଲ୍ୟାବ୍କୁ ନମୁନା ପଠାଯିବ ବୋଲି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପାଢ଼ୀ ଏହି ଅବସରରେ ସୂଚନା ଦେଇଛନ୍ତି। ଆଜି ସନ୍ଧ୍ୟାରେ ଏହି ଘଟଣାରେ କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସିଡିଏମ୍ଓ ଓ ଅତିରିକ୍ତ ସିଡିଏମ୍ଓଙ୍କୁ ନେଇ ଏକ ସମୀକ୍ଷା ବୈଠକ କରି ସର୍ବଶେଷ ସ୍ଥିତି ଉପରେ ଆଲୋଚନା କରିଥିଲେ।
ତହସିଲଦାର ଶରତ ଶବର ଗାଁରେ ପହଞ୍ଚି ମୃତକ ପରିବାରକୁ ୨୦ ହଜାର ଓ ଆକ୍ରାନ୍ତଙ୍କ ପରିବାରକୁ ୧୦ ହଜାର ଟଙ୍କା ଚିକିତ୍ସା ସହାୟତା ପ୍ରଦାନ କରିଛନ୍ତି। ଆମ୍ବଟାକୁଆ ଅପବାଦ ପରେ ଆଜି ମାଣ୍ଡିପଙ୍କା ଗ୍ରାମରେ ପହଞ୍ଚିଥିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ଘୁ. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ପ୍ରଧାନ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପୂର୍ବତନ ସାଂସଦ ଅଭିମନ୍ୟୁ ବେହେରା ଓ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ରଶେଖର ପରିଡ଼ା। ଏହି ଘଟଣା ପାଇଁ ରାଜ୍ୟରେ ଚାଲିଥିବା ଅପାରଗ ସରକାର ଦାୟୀ ବୋଲି ଶ୍ରୀ ଜେନା ଅଭିଯୋଗ କରିଛନ୍ତି। ସେହି ଭଳି ସିପିଏମ୍ ଗଞ୍ଜାମ ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା ଓ ବରିଷ୍ଠ ନେତା କୈଳାସ ଷଡ଼ଙ୍ଗୀ ପ୍ରମୁଖ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆକ୍ରାନ୍ତଙ୍କୁ ଭେଟିବା ପରେ ଉଦ୍ବେଗ ପ୍ରକାଶ କରିଛନ୍ତି। ମାଣ୍ଡିପଙ୍କା ଗ୍ରାମକୁ ଆଦିବାସୀ ନେତା ସତ୍ୟ ମଣ୍ଡଳ ଓ ସୋରଡ଼ା ସମ୍ପାଦକ ବିଭୂ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଯାଇ ମୃତକଙ୍କ ପରିବାରଙ୍କୁ ଭେଟିଛନ୍ତି।
ଘଟଣାକୁ ତୀବ୍ର ନିନ୍ଦା କରିଛି ବିଜେଡି। ମୃତକ ଓ ଗୁରୁତର ଆକ୍ରାନ୍ତଙ୍କ ପରିବାର ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ଗତ ୪ମାସ ହେଲା ପାଇନାହାନ୍ତି। ରାସନ ଚାଉଳ ନ ମିଳିବାରୁ ସେମାନେ ଆମ୍ବ ଟାକୁଆ ଜାଉ ଖାଇବାକୁ ବାଧ୍ୟ ହୋଇଥିଲେ ବୋଲି ବିଜେଡି ପକ୍ଷରୁ କୁହାଯାଇଛି। ଆଜି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସଞ୍ଜୟ ଦାସବର୍ମା ଓ ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟର ପିଡିଏସ ବଣ୍ଟନ ବ୍ୟବସ୍ଥା ଭୁଶୁଡ଼ି ପଡ଼ିଥିବା କହିଥିଲେ। ଶ୍ରୀ ଦାସବର୍ମା କହିଥିଲେ, ଲଗାତର ଭାବେ ୪ମାସ ଧରି ଲୋକଙ୍କୁ ଚାଉଳ ନ ମିଳିବା ଖାଦ୍ୟ ସୁରକ୍ଷା ଯୋଜନାର ଲକ୍ଷ୍ୟକୁ ବିଚ୍ୟୁତ କରିଛି। ଏପରି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପ୍ରତି ସଚେତନ ରୁହନ୍ତୁ ବୋଲି ଶ୍ରୀ ଦାସବର୍ମା କହିଥିଲେ।
ଅନ୍ୟପକ୍ଷରେ ୨୪ ବର୍ଷ ଶାସନରେ ‘ନଗଡ଼ା ଇତିହାସ’ ସୃଷ୍ଟି କରିଥିବା ବିଜେଡି ଆଜି ଅପପୁଷ୍ଟି ପ୍ରସଙ୍ଗରେ ବିବୃତି ଦେଇ ନିଜ ବିଫଳତାକୁ ପରିପ୍ରକାଶ କରିଛି ବୋଲି ବିଜେପି ରାଜ୍ୟ ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି, ମୃତ୍ୟୁ ଘଟଣା ଅତ୍ୟନ୍ତ ଦୁଃଖଦାୟକ। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କ ପ୍ରାଥମିକ ତଦନ୍ତ ଅନୁସାରେ ମୃତକ ୨ ଜଣଙ୍କ ସମେତ ଚିକିତ୍ସିତ ହେଉଥିବା ୬ ଜଣଙ୍କୁ ଗତ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି। ଅକ୍ଟୋବର-ଡିସେମ୍ବର ମାସର ରାସନ ବଣ୍ଟନ ପ୍ରକ୍ରିୟା ଜାରି ରହିଛି। ତେଣୁ ରାସନ ସାମଗ୍ରୀ ନ ପାଇବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା। ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ନେତାମାନେ ଏଭଳି ଭିତ୍ତିହୀନ ଅଭିଯୋଗ କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ଉପସ୍ଥିତ ଥିଲେ।
‘ଖାଦ୍ୟଜନିତ ବିଷକ୍ରିୟାରୁ ମୃତ୍ୟୁ’
ଭୁବନେଶ୍ବର: ଆମ୍ବଟାକୁଆ ଖାଇ ପ୍ରାଣ ହରାଇବା ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦ୍ବାରା ମୃତ୍ୟୁର କାରଣ ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ରିପୋର୍ଟ ଅନୁସାରେ, ମୃତ ଓ ଆକ୍ରାନ୍ତ ବ୍ୟକ୍ତି ତାଙ୍କର ନିୟମିତ ଖାଦ୍ୟାଭାସ ଭାବେ ପଖାଳ ଓ ଆମ୍ବଟାକୁଆ ଜାଉ ଖାଇଥିଲେ। ଖାଦ୍ୟଜନିତ ବିଷକ୍ରିୟା କାରଣରୁ ସେମାନେ ଅସୁସ୍ଥ ହୋଇ ପଡ଼ିଥିଲେ। ତହିଁରୁ ଦୁଇଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହି ଘଟଣା ସରକାରଙ୍କ ଦୃଷ୍ଟିକୁ ଆସିବା ପରେ ଡାକ୍ତରୀ ଦଳ, ଜିଲ୍ଲା ପ୍ରଶାସନର ଅଧିକାରୀମାନେ ନଭେମ୍ବର ୧ ତାରିଖରେ ସଂପୃକ୍ତ ଗାଁରେ ପହଞ୍ଚି ସମସ୍ତ ବିଷୟ ନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଓ ତର୍ଜମା କରିଥିଲେ। ଅସୁସ୍ଥ ବ୍ୟକ୍ତିଙ୍କୁ ତୁରନ୍ତ ବ୍ରାହ୍ମଣୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରବର୍ତ୍ତୀ ସମୟରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ରମିତା ପାଟମାଝୀ ଓ ରୁନୁ ମାଝୀଙ୍କ ମୃତ୍ୟୁ ଘଟିଥିଲା। ଏବେ ଅନ୍ୟ ୬ଜଣ ପୀଡ଼ିତ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ଆକ୍ରାନ୍ତଙ୍କ ସମେତ ଏହି ଗ୍ରାମର ୬୯ ପରିବାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଚାଉଳ ପାଉଛନ୍ତି। ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୃତକଙ୍କ ପରିବାର ସହିତ ଗାଁର ସମସ୍ତେ ଚାଉଳ ପାଇଛନ୍ତି। ସେମାନେ ସେପ୍ଟେମ୍ବର ମାସରେ ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସ ପାଇଁ ସରକାରଙ୍କ ପ୍ରଦତ୍ତ ଚାଉଳ ଉଠାଇଥିବା ଜଣାପଡ଼ିଛି। ସେହିପରି ଆକ୍ରାନ୍ତ ପରିବାରଙ୍କୁ ପୂର୍ବରୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଇଛି। ମାଣ୍ଡିପଙ୍କା ଗ୍ରାମରେ ଏକ ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟ କରୁଛି। ଏହି ଗ୍ରାମକୁ ଆଶା କର୍ମୀ ଓ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନିୟମିତ ପରିଦର୍ଶନ କରି ଲୋକଙ୍କୁ ସ୍ୱାସ୍ଥ୍ୟରକ୍ଷା ନେଇ ସଚେତନ କରୁଛନ୍ତି। ଭବିଷ୍ୟତରେ ଯେପରି ଏପରି ଅଭାବନୀୟ ଘଟଣା ନ ଘଟେ, ସେଥିପାଇଁ ସୂଚନା, ଶିକ୍ଷା ଓ ସଞ୍ଚାର ଅଭିଯାନ ଦ୍ୱାରା ଉକ୍ତ ଅଞ୍ଚଳରେ ଅଙ୍ଗନବାଡ଼ି କର୍ମୀ ଓ ସ୍ୱାସ୍ଥ୍ୟ ଟିମ ଦ୍ୱାରା ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଲୋକମାନେ ସଫାସୁତୁରା ରହିବା ସହ ସୁଷମ ଖାଦ୍ୟ ଗ୍ରହଣ କରିବେ ସେଥିପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଞ୍ଚାୟତ ପ୍ରତିନିଧିଙ୍କ ଦ୍ୱାରା ସଚେତନତାର ବାର୍ତ୍ତା ଦିଆଯାଉଥିବା କନ୍ଧମାଳ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି।