ଫୁଲବାଣୀ: ନିର୍ବାଚନ ପର୍ଯ୍ୟନ୍ତ ଦବ୍ଦବା ରଖି ଆସିଥିବା ବିଜେଡି ଏବେ କନ୍ଧମାଳ ଜିଲ୍ଲାରେ ନେତୃତ୍ବଶୂନ୍ୟ ହୋଇପଡ଼ିଛି। ନିର୍ବାଚନରେ ପରାଜୟ ପରେ ପୂର୍ବତନ ସାଂସଦ ତଥା କନ୍ଧମାଳ ବିଜେଡିର ଟାଣୁଆ ନେତା ଅଚ୍ୟୁତ ସାମନ୍ତ ରାଜନୀତିରୁ ସନ୍ୟାସ ନେଇ ଯାଇଛନ୍ତି। ସେ ଏବେ ଆଉ କନ୍ଧମାଳ ରାଜନୀତିରେ ସକ୍ରିୟ ନାହାନ୍ତି। ଅନ୍ୟପଟେ, ଅଚାନକ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦରୁ ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଇସ୍ତଫା ଦେଇଛନ୍ତି।
ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଅଙ୍ଗଦ ଜିଲ୍ଲା ବିଜେଡି ସଭାପତି ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ପ୍ରକୃତରେ ସେ ଅସନ୍ତୁଷ୍ଟ ଥିବା କଥା ଚର୍ଚ୍ଚା ହେଉଛି। ଅଙ୍ଗଦ ଫୁଲବାଣୀରେ ବିଧାୟକ ଥିବା ସତ୍ତ୍ବେ ଗତ ନିର୍ବାଚନରେ ତାଙ୍କୁ ଟିକଟ ଦିଆ ନ ଯାଇ ଜୟଶ୍ରୀ କହଁରଙ୍କୁ ଦଳୀୟ ଟିକଟ ଦିଆ ଯାଇଥିଲା। ଏଥିରେ ଅଙ୍ଗଦ ଅସନ୍ତୁଷ୍ଟ ଥିଲେ ଏବଂ ଫୁଲବାଣୀ ନିର୍ବାଚନମଣ୍ଡଳୀରେ ବିଜେଡିକୁ ପରାଜୟର ସ୍ବାଦ ଚାଖିବାକୁ ପଡ଼ିଥିଲା। ଅନ୍ୟପଟେ, ପୂର୍ବତନ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଯୋଗୁ କନ୍ଧମାଳ ଜିଲ୍ଲା ବିଜେଡି ସଂଗଠନ ଚଳଚଞ୍ଚଳ ଥିଲା। ଅଚ୍ୟୁତ ଜିଲ୍ଲାରେ ଯୁବ, ମହିଳା ଓ ସବୁ ବର୍ଗର ସଂଗଠନକୁ ମଜବୁତ୍ କରି ରଖିଥିଲେ। କିନ୍ତୁ ପରାଜୟ ତାଙ୍କୁ ଶକ୍ତ ଆଘାତ ଦେଇଥିଲା ଏବଂ ଏହି କାରଣରୁ ସେ ରାଜନୀତିରୁ ଓହରି ଯାଇଛନ୍ତି।
ଅଚ୍ୟୁତଙ୍କ ସ୍ଥାନ ଏଯାଏ ପୂରଣ ହୋଇପାରିନି
ତିନିଥର ବଦଳିଲେଣି ଜିଲ୍ଲା ସଭାପତି
ସବୁଠୁ ବଡ଼ କଥା ହେଉଛି, ଗତ ୧୦ ମାସ ମଧ୍ୟରେ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ୩ ଥର ବଦଳିଲେଣି। ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣଙ୍କ ଠାରୁ ଜିଲ୍ଲା ବିଜେଡି ସଭାପତି ଦାୟିତ୍ବ ହଟାଇ ନିଆଯାଇ ତତ୍କାଳୀନ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏହି ଦାୟିତ୍ବ ଦିଆଗଲା। ସାଲୁଗା ପ୍ରଧାନ ଜିଲ୍ଲା ବିଜେଡି ସଭାପତି ଭାବେ ମାତ୍ର ୩ ମାସ କାମ କରିବା ପରେ ତାଙ୍କୁ ଉପବାଚସ୍ପତି କରାଯିବାରୁ ସେ ଜିଲ୍ଲା ବିଜେଡି ସଭାପତି ପଦ ଛାଡ଼ିଥିଲେ। ଏହାପରେ କିଛି ମାସ ସଭାପତି ପଦ ଖାଲି ପଡ଼ିଥିଲା। ନିର୍ବାଚନ ଅଳ୍ପ ଦିନ ବାକି ଥିବାବେଳେ ଅଙ୍ଗଦଙ୍କ ଟିକଟ କଟାଯାଇ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ପଦ ଦେଇ ସନ୍ତୁଷ୍ଟ କରିବାକୁ ଉଦ୍ୟମ ହେଲା। ଟିକଟ କଟିଥିବାରୁ ଅସନ୍ତୁଷ୍ଟ ଅଙ୍ଗଦ ବାଧ୍ୟବାଧକତାରେ ଜିଲ୍ଲା ସଭାପତି ଦାୟିତ୍ବ ଗ୍ରହଣ କରିଥିଲେ। ଏବେ କିନ୍ତୁ ଅଙ୍ଗଦ ଜିଲ୍ଲା ସଭାପତି ପଦ ପରିତ୍ୟାଗ କରିଛନ୍ତି। ତା’ପରଠୁ ଦଳ ଜିଲ୍ଲା ସଭାପତିଶୂନ୍ୟ।
ଦିନ ଥିଲା କନ୍ଧମାଳ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଭାବେ ପ୍ରତାପ ଜେନା, ସଂଜୟ ଦାସବର୍ମା, ବିକ୍ରମ କେଶରୀ ଆରୁଖଙ୍କ ଭଳି ଟାଣୁଆ ନେତାମାନେ ଦାୟିତ୍ବ ତୁଲାଇ ଆସୁଥିଲେ। କିନ୍ତୁ ନିର୍ବାଚନ ସମୟରେ ସେମାନଙ୍କୁ ହଟାଇ ବିଜୟ ନାୟକଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। କିନ୍ତୁ କନ୍ଧମାଳରେ ଦଳର ବିପର୍ଯ୍ୟୟ ପରେ ବିଜୟ ନାୟକ ମଧ୍ୟ ସଂଗଠନ କାର୍ଯ୍ୟରୁ ଦୂରେଇ ରହୁଛନ୍ତି। ଫଳରେ କନ୍ଧମାଳ ଜିଲ୍ଲାରେ ବିଜେଡି ଏବେ ଦିଗହରା ହୋଇ ପଡିଛି ବୋଲି ରାଜନୈତିକ ସମୀକ୍ଷକ ମହଲରେ ଆଲୋଚନା ହେଉଛି। ଅନ୍ୟପଟେ, ରାଜ୍ୟ ସାରା ବିଜେଡି ପକ୍ଷରୁ ସଦସ୍ୟତା ଅଭିଯାନ ଜୋରଦାର ଚାଲିଥିବାବେଳେ ନେତୃତ୍ବ ଅଭାବରୁ କନ୍ଧମାଳ ଜିଲ୍ଲାରେ ଏହା ଦିଶାହୀନ ହୋଇପଡ଼ିଛି।
ଅନ୍ୟପଟେ, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ପୁଣି ଥିରେ କନ୍ଧମାଳ ରାଜନୀତିକୁ ଫେରାଇ ଅଣାଯିବା ନେଇ ଚର୍ଚ୍ଚା ହେଉଛି। ପୂର୍ବରୁ ପଦ୍ମନାଭଙ୍କ ବିନା ଇସାରାରେ କନ୍ଧମାଳ ଜିଲ୍ଲା ବିଜେଡିରେ ପତ୍ର ହଲୁ ନଥିଲା। କିନ୍ତୁ ଅଚ୍ୟୁତ ସାମନ୍ତ କନ୍ଧମାଳ ରାଜନୀତିରେ ପ୍ରଭାବଶାଳୀ ହେବା ପରେ ପଦ୍ମନାଭ ନିଷ୍ପ୍ରଭ ହୋଇ ଯାଇଥିଲେ। ପଦ୍ମନାଭଙ୍କୁ କନ୍ଧମାଳ ରାଜନୀତିରୁ ଜାଣିଶୁଣି ଦୂରେଇ ରଖାଯାଇଥିଲା। କିନ୍ତୁ ଏବେ ପରିସ୍ଥିତି ବହୁତ ବଦଳି ଯାଇଛି। ପୁଣି ଥରେ ପଦ୍ମନାଭଙ୍କୁ କନ୍ଧମାଳ ରାଜନୀତିକୁ ଫେରାଇ ଅଣାଯିବା ନେଇ ଗୋଟିଏ ଗୋଷ୍ଠୀ ଜୋର୍ଦାର ଲବି କରୁଛନ୍ତି। ପଦ୍ମନାଭଙ୍କ ହାତରେ ଜିଲ୍ଲା ସଭାପତି ଦାୟିତ୍ବ ନ୍ୟସ୍ତ କରିବାକୁ ଏହି ଗୋଷ୍ଠୀ ଉଦ୍ୟମ ଚଳାଇଛନ୍ତି।