ଫୁଲବାଣୀ: କନ୍ଧମାଳ ଜିଲ୍ଲା ବିଜେଡି ୧୦ ମାସ ଭିତରେ ଏକ ପ୍ରକାର ସ୍ଥାଣୁ ଅବସ୍ଥାକୁ ଚାଲି ଆସିଛି। ଜିଲ୍ଲା ସଂଗଠନ ନେତୃତ୍ବଶୂନ୍ୟ। ନିର୍ବାଚନ ପରାଜୟ ପରେ ପୂର୍ବତନ ସାଂସଦ ତଥା କନ୍ଧମାଳ ବିଜେଡିର ଟାଣୁଆ ନେତା ଅଚ୍ୟୁତ ସାମନ୍ତ ରାଜନୀତିରୁ ସନ୍ନ୍ୟାସ ନେଇ ଯାଇଛନ୍ତି। ଅନ୍ୟପଟେ ନିର୍ବାଚନ ଫଳାଫଳ ଘୋଷଣା ହେଉ ହେଉ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦରୁ ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଇସ୍ତଫା ଦେଇଛନ୍ତି। ଅଙ୍ଗଦ ଫୁଲବାଣୀ ବିଧାୟକ ଥିବା ସତ୍ତ୍ବେ ତାଙ୍କୁ ଟିକଟ ଦିଆ ନ ଯାଇ ଜୟଶ୍ରୀ କହଁରଙ୍କୁ ଦଳୀୟ ଟିକଟ ଦିଆଯାଇଥିଲା। ଏଥିରେ ଅଙ୍ଗଦ ଅସନ୍ତୁଷ୍ଟ ଥିଲେ। ଏଣୁ ପ୍ରକୃତରେ ଅସନ୍ତୋଷ ହିଁ ତାଙ୍କ ଇସ୍ତଫାର ମୁଖ୍ୟ କାରଣ ବୋଲି କୁହାଯାଉଛି।
ଅନ୍ୟପଟେ ଗତ ନିର୍ବାଚନ ପୂର୍ବରୁ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ପଦବି ୩ ଥର ବଦଳା ଯାଇଥିଲା। ନିର୍ବାଚନ ପୂର୍ବରୁ ପୂର୍ବତନ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ଠାରୁ ଜିଲ୍ଲା ସଭାପତି ଦାୟିତ୍ବ ହଟାଇ ନିଆଯାଇ ତତ୍କାଳୀନ ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କୁ ଏହି ଦାୟିତ୍ବ ଦିଆଗଲା। ମାତ୍ର ୩ ମାସ ପରେ ତାଙ୍କୁ ଉପବାଚସ୍ପତି କରାଯିବାରୁ ସେ ଜିଲ୍ଲା ବିଜେଡି ସଭାପତି ପଦ ଛାଡ଼ିଥିଲେ। ଏହାପରେ କିଛି ମାସ ସଭାପତି ପଦବି ଖାଲି ପଡ଼ିଲା। ନିର୍ବାଚନ ଅଳ୍ପ ଦିନ ବାକି ଥିବାବେଳେ ଅଙ୍ଗଦଙ୍କ ଟିକଟ କଟାଯାଇ ତାଙ୍କୁ ଜିଲ୍ଲା ବିଜେଡି ସଭାପତି ପଦରେ ବସାଇ ସନ୍ତୁଷ୍ଟ ଉଦ୍ୟମ କରାଗଲା। ବାଧ୍ୟବାଧକତାରେ ସେ ଜିଲ୍ଲା ସଭାପତି ଦାୟିତ୍ବ ନେଲେ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କିନ୍ତୁ ଅଙ୍ଗଦ ଜିଲ୍ଲା ସଭାପତି ପଦ ପରିତ୍ୟାଗ କଲେ।
ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ପୁଣି ଥିରେ କନ୍ଧମାଳ ରାଜନୀତିକୁ ଫେରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ବୋଲି ଦଳ ଭିତରେ ଆଲୋଚନା ହେଉଛି। ଦିନଥିଲା ପଦ୍ମନାଭ କନ୍ଧମାଳ ବିଜେଡି ରାଜନୀତିର କେନ୍ଦ୍ରବିନ୍ଦୁ ଥିଲେ। ତାଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ସବୁକିଛି ସଂଗଠିତ ହେଉଥିଲା। କିନ୍ତୁ ଅଚ୍ୟୁତ କନ୍ଧମାଳ ରାଜନୀତିରେ ପ୍ରଭାବଶାଳୀ ହେବା ପରେ ପଦ୍ମନାଭ ନିଷ୍ପ୍ରଭ ହୋଇଗଲେ। ଏବେ ପୁଣି ଥରେ ପଦ୍ମନାଭ କନ୍ଧମାଳ ରାଜନୀତିକୁ ଫେରିବାକୁ ଉଦ୍ୟମ ଚଳାଇଛନ୍ତି। ଏଭଳି ସ୍ଥିତିରେ କିଏ କନ୍ଧମାଳ ଜିଲ୍ଲା ବିଜେଡି ସଭାପତି ହେବେ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି।