ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ, ଇନସପେକ୍ଟରଙ୍କ ଆଙ୍ଗୁଠିକୁ କାମୁଡ଼ିଦେଲେ

ଫୁଲବାଣୀ : ପ୍ରଶାସନରେ ଅଧିକ ସ୍ବଚ୍ଛତା ଓ ସକ୍ରିୟତା ପାଇଁ ସରକାର ୫-ଟିକୁ ଗୁରୁତ୍ବ ଦେଉଛନ୍ତି। ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ବହୁ ଅଧିକାରୀ ଓ କର୍ମଚାରୀଙ୍କୁ ବିଦା କରି ସାରିଲେଣି। ଏହ‌ା ସତ୍ତ୍ବେ ସରକାରୀବାବୁଙ୍କ ଲାଞ୍ଚ ମୋହ ତୁଟୁନି। ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନସ ପଞ୍ଝାରେ ପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଶ୍ରମ ଅଧିକାରୀ ରଂଜନ କିଶୋର ବେହେରା। ତେବେ କୌତୂହଳର ବିଷୟ ହେଉଛି, ଲାଞ୍ଚ ଟଙ୍କା ନେଇ ଧରା ପଡ଼ିଯିବାରୁ ଶ୍ରୀ ବେହେରା ଭିଜିଲାନ୍ସ ଇନସପେକ୍ଟରଙ୍କ ଆଙ୍ଗୁଠି କାମୁଡ଼ି ଖଣ୍ଡିଆ କରି ଦେଇଛନ୍ତି।

ଶ୍ରମିକ କାର୍ଡଧାରୀ କୌଣସି ଶ୍ରମିକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ୧ ଲକ୍ଷ ଟଙ୍କା ସହାୟତା ମିଳିବାର ନିୟମ ରହିଛି। ଏଥିନିମନ୍ତେ ଟିକାବାଲି ଅଞ୍ଚଳର ଯୋଗ୍ୟ ଆବେଦନକାରୀ ନିରୋଜ ପ୍ରଧାନ, ଇନ୍ଦିରା କହଁର, ଗଜପତି ପ୍ରଧାନ ଓ କଣ୍ଟିମାଳ ପ୍ରଧାନ ମୃତ୍ୟୁକାଳୀନ ସହାୟତା ଟଙ୍କା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଅବେଦନ କରିଥିଲେ। ସହାୟତା ରାଶି ପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସୁପାରିସ୍‌ କ୍ରମେ ଜିଲ୍ଲାପାଳ ଅନୁମୋଦନ କରିଥାନ୍ତି। ମାତ୍ର ଏ କ୍ଷେତ୍ରରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରା ବିଭିନ୍ନ ଆଳ ଦେଖାଇ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କ ପାଖକୁ ଫାଇଲ ପଠାଉ ନ ଥିଲେ। ଆବେଦନକାରୀଙ୍କୁ ସହାୟତା କରୁଥିବା ଟିକାବାଲି ଅଞ୍ଚଳର ଶ୍ରମିକ ସଂଗଠକ ବାବୁଜା ପ୍ରଧାନ ଏ ନେଇ ଯୋଗାଯୋଗ କରିବାରୁ ଜିଲ୍ଲା ଶ୍ରମ ଅଧିକାରୀ କାଳେ ଏଥିପାଇଁ ୧୫ ହଜାର ଟଙ୍କା ଦାବି କରିଥିଲେ। ଶ୍ରମିକ ସଂଗଠକ ବାବୁଜା ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ଅପରାହ୍ନ ୪ଟା ସମୟରେ କାର୍ଯ୍ୟାଳୟକୁ ଯାଇ ଏହି ଟଙ୍କା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ଦେଇଥିଲେ। ଫୁଲବାଣୀ ଭିଜିଲାନ୍ସ ଡିଏସପି ରବିକାନ୍ତ ସୁନା ଓ ଇନ୍ସପେକ୍ଟର ପୁଲସ୍ତି ଛତ୍ରିଆ ପହଞ୍ଚି ଚଢ଼ଉ କରିବା ଦେଖି ଜିଲ୍ଲା ଶ୍ରମ ଅଧିକାରୀ ଟେବୁଲ ‌ଡ୍ର’ରେ ରଖିଥିବା ଟଙ୍କାକୁ ପାଟିରେ ପୂରାଇ ଦେଇଥିଲେ। ତେବେ ଇନସପେକ୍ଟର ଶ୍ରୀ ଛତ୍ରିଆ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଟିରେ ହାତ ପୂରାଇ ଟଙ୍କା ବାହାର କରିବା ସହ ବୁଢ଼ା ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ଟଙ୍କା ଜବତ କରିବା ସହ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବେହେରାଙ୍କୁ ଭିଜିଲାନ୍ସ ଟିମ୍‌ ଗିରଫ କରି ତାଙ୍କ ସରକାରୀ କ୍ବାର୍ଟର୍ସରେ ଖାନତଲାସ କରିଥିଲା।

ସମ୍ବନ୍ଧିତ ଖବର