ଫୁଲବାଣୀ: ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପ ଦିନକୁ ଦିନ ହ୍ରାସ ପାଇ ଚାଲିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ବଢ଼ି ଚାଲିଛି ମାଓ ହିଂସା। କନ୍ଧମାଳ ଜିଲ୍ଲାର ଭୌଗୋଳିକ ସ୍ଥିତି ମାଓବାଦୀଙ୍କୁ ସୁହାଉଥିବା ବେଳେ ଏବେ ଜିଲ୍ଲାର ଚାରିପଟେ ସକ୍ରିୟ ହୋଇ ରହିଛନ୍ତି। ଗୋଟିଏ ପଟେ କନ୍ଧମାଳ-ବୌଦ୍ଧ ସୀମାନ୍ତ କଣ୍ଟାମାଳ, ଗୋଛାପଡ଼ା, ଲୁଇସିଂ, ବାଲନ୍ଦାପଡ଼ା, ପାଇରାଜୁ, ସାଡ଼ିଙ୍ଗିଆ ଅଞ୍ଚଳରେ ମାଓବାଦୀ ସକ୍ରିୟ ଥିବା ବେଳେ ଅନ୍ୟପଟେ କନ୍ଧମାଳ-କଳାହାଣ୍ଡି ସୀମାନ୍ତ ତୁମୁଡ଼ିବନ୍ଧ ବ୍ଲକ୍ର ବେଲଘର, ସିର୍ଲା, ମୁଣ୍ଡିଗଡ଼, ଭଣ୍ଡରଙ୍ଗି, ବାଲିଗୁଡ଼ାର ଖମନଖୋଲ, ବାରଖମା, କନ୍ଧମାଳ-ରାୟଗଡ଼ା ଜିଲ୍ଲା ସୀମାନ୍ତବର୍ତ୍ତୀ ଇଲାକା କୋଟଗଡ଼ର ଦୁର୍ଗାପାଙ୍ଗା, ସୁବର୍ଣ୍ଣଗିରି ଓ କନ୍ଧମାଳ-ଗଜପତି ଜିଲ୍ଲା ସୀମାନ୍ତ ଇଲାକା ଦାରିଙ୍ଗବାଡ଼ିର ବ୍ରାହ୍ମଣୀଗାଁ, ମୋହନା, ଅଡ଼ବା ଜଙ୍ଗଲରେ ବି ମାଓବାଦୀମାନେ ସକ୍ରିୟ ରହିଛନ୍ତି। କହିବାକୁ ଗଲେ କନ୍ଧମାଳ ଜିଲ୍ଲାକୁ ଚାରିପଟେ ମାଓବାଦୀ ଘେରାବନ୍ଦୀ କରି ରଖିଛନ୍ତି।
ମାଓ ଦମନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ସିଆର୍ପିଏଫ୍ ଏବଂ ଓଡ଼ିଶା ପୁଲିସର ଏସ୍ଓଜି ଯବାନଙ୍କୁ କନ୍ଧମାଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା। ଏବେ କିନ୍ତୁ ସିଆର୍ପିଏଫ୍ ଯବାନଙ୍କ ସମେତ ବିଏସ୍ଏଫ୍ ଯବାନ ଏବଂ ଡିଭିଏଫ୍ ଫୋର୍ସଙ୍କୁ ନିୟୋଜିତ କରାଯାଇଛି। ଜିଲ୍ଲାରେ ପାଖାପାଖି ୨୦ଟି ସ୍ଥାନରେ ବିଏସ୍ଏଫ୍ ଏବଂ ସିଆର୍ପିଏଫ୍ କ୍ୟାମ୍ପ କାର୍ଯ୍ୟ କରୁଛି। ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ କନ୍ଧମାଳର ବିଭିନ୍ନ ଜଙ୍ଗଲରେ ମାଓବାଦୀ ସକ୍ରିୟ ରହିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡ଼ିଛି। ଛତିଶଗଡ଼ରେ ମାଓ ଦମନକୁ ତୀବ୍ର କରାଯାଉଥିବାରୁ ସେଠାରୁ ମାଓବାଦୀମାନେ କନ୍ଧମାଳକୁ ଚାଲି ଆସୁଛନ୍ତି। କନ୍ଧମାଳ ଜିଲ୍ଲାର ସୀମାନ୍ତ ଜଙ୍ଗଲ ଛତିଶଗଡ଼ି ମାଓବାଦୀଙ୍କୁ ସୁହାଉଥିବାରୁ ସେମାନେ ବି ଏଠି ଡେରା ପକାଇଲେଣି। ବିଶେଷକରି କନ୍ଧମାଳ-ବୌଦ୍ଧ, କନ୍ଧମାଳ-ରାୟଗଡ଼ା ଏବଂ କନ୍ଧମାଳ-କଳାହାଣ୍ଡି ସୀମାରେ କେକେବିଏନ୍ ଓ ବଂଶଧାରା-ଘୁମୁସର-ନାଗାବଳି ମାଓ ଗୋଷ୍ଠୀ ନିଜର ଉପସ୍ଥିତି ଜାରି ରଖିଛନ୍ତି। ମାଓ କମାଣ୍ଡର୍ ନିଖିଲ ଏହି ଦୁଇ ମାଓ ଡିଭିଜନ୍ର ନେତୃତ୍ବ ନେଉଛନ୍ତି। ସେ ଏବେ ପୁଲିସ ପାଇଁ ମୋଷ୍ଟ୍ ୱାଣ୍ଟେଡ୍ ପାଲଟିଛି। ପୁଲିସ ଡିଜି କନ୍ଧମାଳ ଗସ୍ତ କରି ମାଓ ମୁକାବିଲା ରଣକୌଶଳ ପ୍ରସ୍ତୁତ କରିଛନ୍ତି ଏବଂ ବାରମ୍ବାର ରୁଦ୍ଧଦ୍ବାର ବୈଠକ କରି ମାଓ ନିପାତ ପାଇଁ ରୋଡ୍ମ୍ୟାପ୍ କରିଛନ୍ତି। ମାତ୍ର ପୁଲିସର ଏହି ରଣକୌଶଳକୁ ମାଓବାଦୀମାନେ ଅକାମୀ କରି ଦେଉଛନ୍ତି। ନିକଟ ଅତୀତରେ କମ୍ବିଂ ଅପରେସନ୍ ବେଳେ ଦୁଇଟି ଭିନ୍ନଭିନ୍ନ ଘଟଣାରେ କନ୍ଧମାଳ ସୀମାନ୍ତ ଜଙ୍ଗଲରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୫ ଜଣ ଏସ୍ଓଜି ଯବାନ ଗୁରୁତର ହେବା ଘଟଣା ପୁଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।