ରଂଜନ ପ୍ରଧାନ
ଫୁଲବାଣୀ: ବିଜେପି ଏବେ କନ୍ଧମାଳ ଜିଲ୍ଲାକୁ ଅଧିକ ଗୁରୁତ୍ବ ଦେବା ଆରମ୍ଭ କରିଛି। କନ୍ଧମାଳ ଜିଲ୍ଲାରେ ବିଜେପି ୨୦୦୯ ମସିହା ସାଧାରଣ ନିର୍ବାଚନ ଫଳାଫଳକୁ ଦୋହରାଇବାକୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କର୍ମୀମାନଙ୍କୁ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୦୯ ନିର୍ବାଚନରେ କନ୍ଧମାଳ ଜିଲ୍ଲାର ମୋଟ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୨ଟିରେ ବିଜେପି ବିଜୟୀ ହୋଇ ନିଜର ପ୍ରଭାବ ଜାହିର କରିଥିଲା। ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ଘଟଣା ପରେ ବିଜେପି କନ୍ଧମାଳ ଜିଲ୍ଲାରେ ଭଲ ଫଳାଫଳ କରିଥିଲା। ସେତେବେଳେ ଏଠାରେ ନବୀନ ପଟ୍ଟନାୟକଙ୍କ ଯାଦୁ କାମ ଦେଇ ନଥିଲା। ତେବେ ୨୦୦୯ ପରେ ବିଜେପି ଆଉ ଭୋଟରଙ୍କ ମନ ଜିଣିପାରିନି। ଅର୍ଥାତ୍ ୨୦୧୪ ନିର୍ବାଚନ ପରଠାରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରବର୍ତ୍ତୀ ଅନୁକମ୍ପାକୁ ବିଜେପି ଭୋଟରେ ରୂପାନ୍ତର କରିପାରିନି।
ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ ମସିହା ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ ମନୋଜ ପ୍ରଧାନ ନିର୍ବାଚିତ ହୋଇଥିବାବେଳେ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝି ନିର୍ବାଚିତ ହୋଇଥିଲେ। କିନ୍ତୁ ଘୁ.ଉଦୟଗିରି ନିର୍ବାଚନମଣ୍ଡଳୀରେ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଜାକବ ପ୍ରଧାନ ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ସାଲୁଗା ପ୍ରଧାନ ନିର୍ବାଚିତ ହୋଇଛନ୍ତି। ୧୯୮୦ ମସିହାରୁ ୨୦୦୦ ମସିହା ଯାଏ ଘୁ.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ନାଗାର୍ଜୁନ ପ୍ରଧାନ ଲଗାତାର ଭାବେ ୪ ଥର ବିଜୟୀ ହୋଇଥିଲେ। କହିବାକୁ ଗଲେ ଘୁ.ଉଦୟଗିରି କଂଗ୍ରେସର ଦୁର୍ଗ ଥିଲା। ସେହିଭଳି ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ ସାଧାରଣ ନିର୍ବାଚନରେ ବିଜେପି ପ୍ରାର୍ଥୀ କରେନ୍ଦ୍ର ମାଝୀ ନିର୍ବାଚିତ ହୋଇଥିବା ବେଳେ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜୀବ ପାତ୍ର ଏବଂ ୨୦୧୯ରେ ବିଜେଡି ପ୍ରାର୍ଥୀ ଚକ୍ରମଣି କହଁର ନିର୍ବାଚିତ ହୋଇଛନ୍ତି। ଏବେ ବିଜେପି କନ୍ଧମାଳ ଜିଲ୍ଲାରେ ୨୦୦୯ ନିର୍ବାଚନର ପୁନରାବୃତ୍ତି କରିବାକୁ ଚାହୁଁଛି। ଏଥିପାଇଁ ବିଜେପିର କେନ୍ଦ୍ରୀୟ ତଥା ରାଜ୍ୟ ନେତୃମଣ୍ଡଳୀ ସ୍ବତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି। ବିଜେପିର ରାଜ୍ୟ ସଭାପତି ମନମୋହନ ସାମଲ ବାରମ୍ବାର କନ୍ଧମାଳ ଗସ୍ତରେ ଆସୁଛନ୍ତି। କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ କନ୍ଧମାଳ ତଥା ସ୍ବାମୀ ଲକ୍ଷ୍ନଣାନନ୍ଦ ସରସ୍ବତୀଙ୍କ ତୁମୁଡ଼ିବନ୍ଧ ଆଶ୍ରମ ବୁଲି ଆସୁଛନ୍ତି।
ଗତବର୍ଷ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ମଧ୍ୟ କନ୍ଧମାଳ ଗସ୍ତରେ ଆସି ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଆଶ୍ରମ ବୁଲି ଯାଇଥିଲେ। ଘୁ.ଉଦୟଗିରି ଏବଂ ବାଲିଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ ଫଳାଫଳର ପୁନରାବୃତ୍ତି ହେବ ବୋଲି କନ୍ଧମାଳ ଜିଲ୍ଲା ବିଜେପି ଉପ ସଭାପତି ତଥା କନ୍ଧମାଳ ଲୋକସଭା ବିଜେପି ସଂଯୋଜକ ରମେଶ ମହାନ୍ତି କହିଛନ୍ତି। ଏଥିନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ବୁଥ୍ ସ୍ତରରେ କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଉଛି। ଆଗାମୀ ଦିନରେ କନ୍ଧମାଳ ଜିଲ୍ଲାକୁ ବହୁ କେନ୍ଦ୍ରମନ୍ତ୍ରୀଙ୍କର ଗସ୍ତ କାର୍ଯ୍ୟକ୍ରମ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। କେବଳ ବିଜେପି ନୁହେଁ, କଂଗ୍ରେସ ମଧ୍ୟ କନ୍ଧମାଳକୁ ଗୁରୁତ୍ବାରୋପ କରୁଛି। ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ବହୁବାର କନ୍ଧମାଳ ଗସ୍ତରେ ଆସିଲେଣି। ସେ ଦୃଷ୍ଟିରୁ ଶାସକ ବିଜେଡି ଦଳର ରାଜ୍ୟ ସଭାପତି କିମ୍ବା କୌଣସି ଟାଣୁଆ ନେତା ନିକଟରେ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିନାହାନ୍ତି ଯଦିଓ ସାଂସଦ ଅଚ୍ୟୁତ ସାମନ୍ତ ନିଜେ ନିଜ ସଂସଦୀୟ କ୍ଷେତ୍ରରେ ସକ୍ରିୟ ଅଛନ୍ତି । ତେବେ ଅନ୍ୟ ଏକ ଘଟଣା କ୍ରମରେ ନିକଟରେ ୫-ଟି ସଚିବ କନ୍ଧମାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସି କିଛି ବିକାଶମୂଳକ କାର୍ଯ୍ୟକ୍ରମର ଘୋଷଣା କରି ଫେରିଛନ୍ତି।