ଫୁଲବାଣୀ : ବହୁ ପ୍ରତୀକ୍ଷିତ କନ୍ଧମାଳ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି। କନ୍ଧମାଳ ଜିଲ୍ଲାର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ଉଜ୍ଜୀବିତ ରଖି ସମଗ୍ର ଜନମାନସରେ ଆଦୃତ କରି ପ୍ରକୃତିରାଣୀ ଗର୍ଭରେ ଚିରସ୍ରୋତା ସଦୃଶ ପ୍ରବହମାନ ହେଉଥିବା ସାମାଜିକ, ସାଂସ୍କୃତିକ ଓ ପାରମ୍ପରିକ ଧାରାକୁ ବିଶ୍ବସ୍ତରରେ ଆଦୃତ କରାଇବା ଉଦ୍ଦେଶ୍ୟରେ କନ୍ଧମାଳ ମହୋତ୍ସବ ଆୟୋଜିତ ହେଉଛି ବୋଲି ଅତିଥିମାନେ ମତପ୍ରକାଶ କରିଛନ୍ତି। କନ୍ଧମାଳ ମହୋତ୍ସବ ମାଧ୍ୟମରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତର କଳା, ସଂସ୍କୃତି ଓ ପରମ୍ପରାକୁ ପ୍ରଦର୍ଶନ କରି ଭାଇଚାରାର ମହାମନ୍ତ୍ରରେ ସାମିଲ କରିବା ଏହି ମହୋତ୍ସବର ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କନ୍ଧମାଳର ପ୍ରକୃତି ଓ ପର୍ଯ୍ୟଟନ ଖୁବ ଆକର୍ଷଣୀୟ ବୋଲି କହିଥିଲେ। କନ୍ଧମାଳର ପର୍ଯ୍ୟଟନର ସମ୍ଭାରକୁ ଉପଭୋଗ କରିବାକୁ ଦେଶବିଦେଶରୁ ପର୍ଯ୍ୟଟକମାନେ ଛୁଟି ଆସୁଛନ୍ତି ଏବଂ କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନର ବିକାଶ ହେବା ଜରୁରି। କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଥିଲେ। କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଜରିଆରେ କନ୍ଧମାଳର ଆଦିବାସୀ ଉଦ୍ୟୋଗୀ ଏବଂ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରୋତ୍ସାହିତ କରାଯାଇପାରୁଛି ବୋଲି କହିଥିଲେ।
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ମହୋତ୍ସବ ଜିଲ୍ଲାବାସୀଙ୍କ ମଧ୍ୟରେ ଭାଇଚାରା ଓ ଭ୍ରାତୃତ୍ବ ବଢ଼ାଇବ ବୋଲି କହିଥିଲେ। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ, ଜିଲ୍ଲା ପରିଷଦ ସଭାପତି ନନ୍ଦିନୀ ମଲିକ, ଘୁ.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ପ୍ରମୁଖ ଯୋଗ ଦେଇ କନ୍ଧମାଳ ମହୋତ୍ସବର ସଫଳତା କାମନା କରିଥିଲେ। କନ୍ଧମାଳ ମହୋତ୍ସବ ମାଧ୍ୟମରେ ଆଦିବାସୀ ଭାଇଭଉଣୀମାନେ ଆନନ୍ଦରେ ନାଚି, ଗାଇ ଜୀବନକୁ ଉପଭୋଗ କରିବାକୁ ଅତିଥି ଭାବେ ଆହ୍ବାନ ଜଣାଇଥିଲେ।
/sambad/media/post_attachments/wp-content/uploads/2023/01/Mahotsav-2.jpg)
ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ମହୋତ୍ସବ ସ୍ମରଣିକା 'ଗିରିଝଙ୍କାର-୨୦୨୩' ଲୋକାର୍ପିତ ହୋଇଥିଲା। ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଆଜିର ଆକର୍ଷଣ ଥିଲା ମଧ୍ୟପ୍ରଦେଶର ବଧାଇ ନୃତ୍ୟ, ପୁରୀର ଫାୟାର ଆକ୍ଟ ଓ ମାଲଖମ, କଟକର ଓଡ଼ିଶୀ ନୃତ୍ୟ। ସେହିଭଳି ରାତିତମାମ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଫୁଲବାଣୀ, ରାଇକିଆ, ଘୁ.ଉଦୟଗିରି ଓ ଟିକାବାଲି ବ୍ଲକର ଲୋକନୃତ ଦର୍ଶକମାନଙ୍କୁ ବିଭୋର କରିଥିଲା। ଆଜି ମଧ୍ୟାହ୍ନରେ ନାରାୟଣୀ ମନ୍ଦିର ପରିସରରୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲଙ୍କ ଦ୍ବାରା ମଶାଲ ଶୋଭାଯାତ୍ରା ଉଦ୍ଘାଟିତ ହୋଇଥିଲା।
ମହୋତ୍ସବକୁ ବୁଲି ଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କ ପାଇଁ ନିଶୁଳ୍କ ବସ୍ ସେବାର ଆୟୋଜନ କରାଯାଇଛି। ତିନିଗୋଟି ବସ୍ ଫୁଲବାଣୀ ସହରର ମାଦିକୁନ୍ଦା ଛକ, ଗୋପବନ୍ଧ ଛକରୁ କନ୍ଧମାଳ ମହୋତ୍ସବ ସ୍ଥଳକୁ ଯାତାୟାତ କରୁଥିବାରୁ ଦର୍ଶକମାନେ ସୁବିଧାରେ ପହଞ୍ଚିପାରିଥିଲେ। କନ୍ଧମାଳ ମହୋତ୍ସବରେ ୨୫୦ଟି ଷ୍ଟଲ ପ୍ରଦର୍ଶିତ ହୋଇଛି। ଏଥିରୁ ୨୦ଟି ଷ୍ଟଲରେ ସ୍ବତନ୍ତ୍ର ଭାବେ ବିଭିନ୍ନ ପ୍ରକାର ଲୋଭନୀୟ ଖାଦ୍ୟ ପ୍ରଦର୍ଶିତ ହେଉଥିବାରୁ ସେଠାରେ ଦର୍ଶକମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ମାଧ୍ୟମରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ କୃଷକମାନଙ୍କୁ କୃଷି ବିଭାଗ ପକ୍ଷରୁ କୃଷି ଯନ୍ତ୍ରପାତି ବଣ୍ଟନ କରାଯାଇଥିଲା। ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରୁ ମଧ୍ୟ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ନିଜନିଜର ପ୍ରସ୍ତୁତ ଦ୍ରବ୍ୟ ଓ ଉତ୍ପାଦ ଏହି ପଲ୍ଲୀଶ୍ରୀ ମେଳାରେ ପ୍ରଦର୍ଶନ ଓ ବିକ୍ରୟ କରିଥିଲେ।