କନ୍ଧମାଳରେ ଏ ବର୍ଷର ବଡ଼ ଥଣ୍ଡା

ଫୁଲବାଣୀ : ପୁଣି ଖସିଲା ପାରଦ। ଏ ବର୍ଷର ରେକର୍ଡ଼ ଥଣ୍ଡା କନ୍ଧମାଳରେ ଅନୁଭୂତ ହୋଇଛି। ଆଜି ଫୁଲବାଣୀରେ ତାପମାତ୍ରା ୬.୫ ଡିଗ୍ରି ସେଲସିୟସ ରହିଛି। ଏହା ଚଳିତବର୍ଷର ସର୍ବନିମ୍ନ ତାପମାତ୍ରାର ରେକର୍ଡ ଭାଙ୍ଗିଛି । ସେହିଭଳି ଦାରିଙ୍ଗବାଡିରେ ତାପମାତ୍ରା ରହିଛି ୭ ଡିଗ୍ରି। ଗତ ୩-୪ ଦିନ ହେଲା କନ୍ଧମାଳରେ ଶୀତର ଲହରୀ ଲାଗି ରହିଥିବା ବେଳେ ପାରଦ ଆହୁରି ଖସିବା ଆଶଙ୍କା ବଢ଼ିଛି।

ଅନ୍ୟପକ୍ଷରେ, ଅପରାହ୍ନ ୫ଟାରୁ ବିନା ଶୀତବସ୍ତ୍ରରେ ପଦାକୁ ବାହାରିବା ମୁସ୍କିଲ ହୋଇ ପଡିଛି। ପୂର୍ବଭଳି ଶୀତ ସହ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ବି ଲାଗି ରହୁଛି। ରାସ୍ତାଘାଟ ଓ ବଜାର ଶୂନଶାନ ହୋଇ ପଡୁଛି। କେବଳ ଚା’ ଦୋକାନରେ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି। ଶୀତ ଯୋଗୁ କନ୍ଧମାଳ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଶୀତରୁ ତ୍ରାହି ନିମନ୍ତେ କିଏ ନିଆଁ ପୁହାଁକୁ ସାହା କରୁଛି ତ ଆଉ କିଏ ଟାୟାର ଜାଳୁଛନ୍ତି। ଆହୁରି ୪-୫ ଦିନ ଶୀତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ଏହାକୁ ନେଇ ସମଗ୍ର କନ୍ଧମାଳବାସୀ ଆତଙ୍କିତ ହୋଇ ପଡିଛନ୍ତି। ଶୀତରୁ ମଜା ଉଠାଇବା ନିମନ୍ତେ ଫୁଲବାଣୀ,ଦାରିଙ୍ଗବାଡି ସହ ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରକୁ ଲୋକଙ୍କ ସୁଅ ଛୁଟିବାରେ ଲାଗିଛି।

ସମ୍ବନ୍ଧିତ ଖବର