ସଙ୍କଟରେ କନ୍ଧମାଳ ଜିଲ୍ଲାର ବେଲଘର ଅଭୟାରଣ୍ୟ, ହାତୀ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ

କେରଳ ହାତୀ ଟ୍ରାଜେଡ଼ି ପରେ କେତେ ସଜାଗ ବାଲିଗୁଡା ବନଖଣ୍ଡ?

ତୁମୁଡିବନ୍ଧ: କେରଳରେ ଗର୍ଭଣୀ ହାତୀ ହତ୍ୟାର ଅମାନବୀୟ ବର୍ବରତା ଚରମ ସୀମା ଲଙ୍ଘିଥିବା ନେଇ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ପରେ ସାରା ଦେଶରେ ରହିଥିବା ନିରୀହ ହାତୀମାନଙ୍କ ସୁରକ୍ଷା ଉପରେ ପ୍ରଶ୍ନସୃଷ୍ଟି କରିଛି।

କିନ୍ତୁ କନ୍ଧମାଳ ଜିଲ୍ଲାର ବାଲିଗୁଡା ବନଖଣ୍ଡ ଅଧୀନରେ ରହିଥିବା କୋଟଗଡ଼ ହାତୀ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ଓ ହାତୀ ଚଳପ୍ରଚଳକୁ ନେଇ ବିଗତ ବର୍ଷ ରେ ବେଶ ପରିଚିତ ଥିବା ବେଳେ ଏବେ ତା’ର ପରିଚୟ ଧୀରେ ଧୀରେ କ୍ଷୟ ହେବାରେ ଲାଗିଛି। ବେଲଘର ବନାଞ୍ଚଳର ସୀମା ପଡ଼ୋଶୀ ରାୟଗଡା, କଳାହାଣ୍ଡି ଜିଲ୍ଲା ଜଙ୍ଗଲକୁ ସଂଯୋଗ କରୁଥିବାରୁ ଏହା ହାତୀ ପଲଙ୍କ ଚରାଭୂଇଁ ପାଲିଟିଥିଲା। ଏହି ଅଞ୍ଚଳରେ ହାତୀଙ୍କ ପାଇଁ ଜଳାଶ୍ରୟ ମଧ୍ୟ ଅଧିକ ରହିଥିବାରୁ ହାତୀମାନେ ଏହି ଅଞ୍ଚଳରେ ଅଧିକଂଶ ସମୟ ଚଳପ୍ରଚଳ ପାଇଁ ପସନ୍ଦ କରୁଥିଲେ, କିନ୍ତୁ ଏବେ ଏହି ଜଙ୍ଗଲରେ ବନ ବିଭାଗର ନିଷ୍କ୍ରିୟତା ଯୋଗୁଁ ହାତୀ ଶିକାରୀମାନଙ୍କ ଲୋଲୁପ ଦୃଷ୍ଟି ସାଙ୍ଗକୁ ଚଳପ୍ରଚଳ ବୃଦ୍ଧି ପାଇବା ସହ ଘଞ୍ଚ ଜଙ୍ଗଲରେ ଥିବା ବଡ଼ ବଡ଼ ଗଛ ମାଫିଆମାନେ ଲୁଟି ନେଉଥିବା ଓ ଜଙ୍ଗଲରେ ହୁ ହୁ ହୋଇ ନିଆଁ ଜାଳିବା ଘଟଣା ପରେ ହାତୀମାନେ ନିଜକୁ ସୁରକ୍ଷିତ ମଣୁ ନଥିବା କୁହାଯାଉଛି।


ଗତ ବର୍ଷ ବେଲଘର ରେଞ୍ଜର ଝିରୀପାଣି ଓ ଲଙ୍କାଗଡ଼ ଜଙ୍ଗଲରେ ଦୁଇଟି ହାତୀର ମୃତ୍ୟୁ ଘଟିଥିଲା। ଏହା ପରେ ମଧ୍ୟ ବାଲିଗୁଡା ବନଖଣ୍ଡ ଅଧିକାରୀ ହାତୀ ସୁରକ୍ଷା ଉପରେ ତତ୍ପର ନ ଥିବା ଅଭିଯୋଗ କରିଛନ୍ତି ପୂର୍ବତନ ବନ୍ୟ ପ୍ରାଣୀ ସଂରକ୍ଷକ କୌଶିକ ସାହୁ ଓ ନେତ୍ର ମାନସେଠ।
ବେଲଘର ରେଞ୍ଜରେ ଜଣେ ରେଞ୍ଜର, ତିନି ଫରେଷ୍ଟର ଓ ୬ ଜଣ ଫରେଷ୍ଟ ଗାର୍ଡ ରହିଛନ୍ତି। ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ଦରମା ନେଉଛନ୍ତି. ଅଭୟାରଣ୍ୟ ଜଙ୍ଗଲକୁ ସୁରକ୍ଷା ସହ ହାତୀମାନଙ୍କ ସୁରକ୍ଷା ଓ ମୃତ୍ୟୁ ହାର ରୋକିବା ପାଇଁ କୋଟି କୋଟି ଟଙ୍କା ବିଭିନ୍ନ ଯୋଜନା ମାଧ୍ୟମ ରେ ଖର୍ଚ୍ଚ କରାଯାଉଛି।

ଏହା ସହ ବିଭିନ୍ନ ସମୟରେ ସାଧାରଣ ଲୋକ ଓ ବିଭାଗ ମଧ୍ୟରେ ସମନ୍ୱୟ ବୈଠକମାନ କରାଯାଉଥିବା କୁହାଯାଉଥିବା ବେଳେ ବେଲଘର ଅଞ୍ଚଳର ଗୁମା, ଡୁପି, ଟିଡ଼ି, ରଙ୍ଗାପାରୁ, ଦେଓଗାଡା, ତାଲାଙ୍ଗ ପଦର, ଉଷାବାଲି, ବେଲଘର, ଗୁଛୁକା,ଗାରଂଗ, ବିକାପଙ୍ଗା, ମୁଣ୍ଡିମାସ୍କ, ଧୂମାମାସ୍କା,ସପରିଭାଟ୍ଟ, କିନାରି ଅଞ୍ଚଳରେ କେଉଁ ଅନାଦି କାଳରୁ ରହିଆସିଥିବା ବିସ୍ତୀର୍ଣ୍ଣ ଜଙ୍ଗଲ ଏବେ ହୁ ହୁ ହୋଇ ଜଳିଯାଉଛି। ଘଞ୍ଚ ଜଙ୍ଗଲରୁ ମାଫିଆମାନେ ବଡ଼ ବଡ଼ ଗଛ ଲୁଟ ଜଙ୍ଗଲ ନଷ୍ଟର ଆଉ ଏକ କାରଣ। ଚଳିତ ବର୍ଷ ଏହାର ପରିମାଣ ପୂର୍ବ ବର୍ଷ ଅପେକ୍ଷା ଚାରି ଗୁଣ ବୋଲି ପରିବେଶବିତମାନେ କହିଛନ୍ତି। ବେଲଘର ଜଙ୍ଗଲ ବାସ୍ତବ ସ୍ଥିତି ଦେଖିଲେ କୋଟି କୋଟି ଟଙ୍କା ଖର୍ଚ୍ଚରେ ବାଲିଗୁଡା ବନଖଣ୍ଡରେ ହାତୀ ସୁରକ୍ଷା କେବଳ ଏକ ସୁନ୍ଦର ସ୍ଲୋଗାନ ପାଲିଟି ହୋଇ ରହିଯିବ।

ସମ୍ବନ୍ଧିତ ଖବର