ରାଇକିଆ: ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରୁ ବେଧଡ଼କ ଚାଲିଛି ଶ୍ରମିକ ଚାଲାଣ। ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ନାକ ତଳେ ପ୍ରତି ସପ୍ତାହରେ ରାଇକିଆରୁ କେରଳ ଅଭିମୁଖେ ଦୁଇଟି ବସ୍ ଯାଉଛି। ପୂର୍ବରୁ ସପ୍ତାହକୁ ଗୋଟିଏ ବସ୍‌ରେ ଶ୍ରମିକମାନେ ଯାଉଥିଲେ। ଏବେ ରାଇକିଆ ବସଷ୍ଟାଣ୍ଡ୍‌ରୁ ଦୁଇଟି ବସ୍‌ରେ ଦାରିଙ୍ଗବାଡ଼ି, କ.ନୂଆଗାଁ, ଟିକାବାଲି, ଘୁ.ଉଦୟଗିରି, ବାଲିଗୁଡ଼ା ଓ ଚକାପାଦ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଆଦିବାସୀ ଯୁବକଯୁବତୀ କେରଳର ବିଭିନ୍ନ ସହରକୁ ପରିବାର ପ୍ରତିପୋଷଣ ଆଶାରେ କାମ କରିବାକୁ ଯାଉଛନ୍ତି। ପୂର୍ବରୁ ବସ୍‌ରେ ଶ୍ରମିକ ଚାଲାଣ ନେଇ ଘଟଣା ସାମ୍ନାକୁ ଆସିଥିଲେ ହେଁ, ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏହାକୁ ଅତ୍ୟନ୍ତ ହାଲୁକାର ସହ ଗ୍ରହଣ କରୁଛି।

Advertisment

ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଶ୍ରମିକଙ୍କୁ ନେଉଥିବା ଦଲାଲମାନେ ସ୍ଥାନୀୟ ପୁଲିସ ଓ ଶ୍ରମ ବିଭାଗର କିଛି କର୍ମଚାରୀଙ୍କୁ ହାତବାରିସି କରିଛନ୍ତି। ପୂର୍ବରୁ ପ୍ରତି ସପ୍ତାହରେ ୫୦ ଶ୍ରମିକଙ୍କୁ କେରଳର ଏର୍ନାକୁଲମ୍‌କୁ ବସ୍ ଯାଉଥିଲା। ବର୍ତ୍ତମାନ ସପ୍ତାହକୁ ଦୁଇଟି ବସ୍ ଆସୁଛି। କେରଳର ବିଭିନ୍ନ କମ୍ପାନିର ମାଲିକ ଏହି ଦଲାଲ୍‌ମାନଙ୍କୁ ମାଧ୍ୟମ କରିଛନ୍ତି। ସେମାନଙ୍କୁ ବସ୍‌ଭଡ଼ା ସମେତ କିଛି ଅଗ୍ରିମ ଟଙ୍କା ଧରାଇ କନ୍ଧମାଳ ଜିଲ୍ଲାରୁ ଶ୍ରମିକମାନଙ୍କୁ ନେଉଛନ୍ତି। ସ୍ଥାନୀୟ ଅଞ୍ଚଳରେ କାମଧନ୍ଦା ପାଉ ନଥିବାରୁ ଯୁବକଯୁବତୀ ଦଲାଲଙ୍କ ପ୍ରଲୋଭନରେ ପଡ଼ି କେରଳ ଯିବାକୁ ବାଧ୍ୟ ହେଉଛନ୍ତି। କେବଳ ରାଇକିଆ ନୁହେଁ, ଜିଲ୍ଲାର ଅନ୍ୟାନ୍ୟ ଅଞ୍ଚଳରୁ ‌ମଧ୍ୟ ବେଧଡ଼କ ଶ୍ରମିକ ଚାଲାଣ ଚାଲିଛି।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରୁ ଯାଇ ଦାଦନ ଖଟୁଥିବା ଶ୍ରମିକମାନେ ନିର୍ଯାତନାର ଶିକାର ହେଉଥିବାର ଅନେକ ନଜିର ରହିଛି। କିଛି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଅନେକ ଘଟଣା ସାମ୍ନାକୁ ଆସିପାରୁନି। ଗତମାସରେ କନ୍ଧମାଳର ତିନିଜଣ ଦାଦନ ଶ୍ରମିକ ପ୍ରାଣ ହରାଇଥିଲେ। ଚଳିତ ମାସ ୩ ତାରିଖରେ କେରଳରେ କାମ କରୁଥିବା ଦାରିଙ୍ଗବାଡ଼ି ବ୍ଲକ୍ ଗଦଡ଼ି ଗ୍ରାମର ବିବେକ ପ୍ରଧାନ (୨୦)ଙ୍କ ଦେହ ଖରାପ ହେବାରୁ ସେଠାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁ ପରେ ତାଙ୍କ ଶବ ଗାଁକୁ ଅଣାଯାଇଥିଲା। ସେହିପରି ଗତମାସ ୧୦ ତାରିଖ ଦିନ କେରଳର ଏକ କ୍ରସର୍‌ରେ କାମ କରୁଥିବା ତଗାପଙ୍କା ଗ୍ରାମର ଅନୀଲ ପ୍ରଧାନ (୨୭) ଓ ଏହାର ୪ ଦିନ ପରେ ଅର୍ଥାତ୍ ୧୪ ତାରିଖରେ ଏକ ଦୁର୍ଘଟଣାରେ ବାଲିଗୁଡ଼ା ବ୍ଲକ୍ ପୁସାଙ୍ଗିଆ ଗ୍ରାମର ସନ୍ତୋଷ କୁମାର ପାତ୍ର (୨୦)ଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁବରଣ କରିଥିବା ୩ ଜଣ ଯୁବକ ପରିବାରର ରୋଜଗାରିଆ ସଦସ୍ୟ ଥିଲେ। ସେମାନଙ୍କ ବୀମା ନଥିଲା। ଗତ ଏକ ବର୍ଷ ଭିତରେ କନ୍ଧମାଳ ଜିଲ୍ଲାର ୧୫ରୁ ଅଧିକ ଦାଦନ ଶ୍ରମିକ ପ୍ରାଣ ହରାଇଛନ୍ତି।