ଭୁବନେଶ୍ବର/ଫୁଲବାଣୀ : କନ୍ଧମାଳର ହଳଦୀକୁ ମିଳିଛି ଭୌଗଳିକ ଉତ୍ପତ୍ତି ବା ଜିଆଇ ମାନ୍ୟତା। ଆଜି ଆଦିବାସୀ ଅଞ୍ଚଳରେ ଉତ୍ପାଦିତ ହେଉଥିବା ଏହି ହଳଦୀ ଜିଆଇ ରେଜିଷ୍ଟ୍ରେି କାର୍ଯ୍ୟାଳୟରୁ ସାର୍ଟିଫିକେଟ୍ ମିଳିଛି। କନ୍ଧମାଳ ଆପେକ୍ସ ସ୍ପେସିଜ୍ ଆସୋସିଏସନ୍ ଫର ମାର୍କେଟିଂ ବା କସମ୍ ପକ୍ଷରୁ ସେଣ୍ଟ୍ରାଲ ଟୁଲ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର ବା ସିଟିଟିସି(ଆଇପିଏଫ୍ସି) ଗତବର୍ଷ ଏଥିପାଇଁ ଆବେଦନ କରାଯାଇଥିଲା। ଆଜି ଜିଆଇ ମାନ୍ୟତା ମିଳିଥିବା ବେଳେ ଏହାର ସାର୍ଟିଫିକେଟ୍ ନଂ ରହିଛି ୩୪୪। ଏହାଫଳରେ କନ୍ଧମାଳ ହଳଦୀ ରାଜ୍ୟ ତଥା ଦେଶରେ ଉପଯୁକ୍ତ ମାର୍କେଟିଂ ହୋଇପାରିବ ବୋଲି ଆଶା କରାଯାଉଛି। ତେବେ ଏହି ଜିଆଇ ମାନ୍ୟତା ଆସନ୍ତା ୨୦୧୮ ମସିହା ପର୍ଯ୍ୟନ୍ତ ବଜାୟ ରହିବ।
ସୂଚନା ମୁତାବକ, କନ୍ଧମାଳ ଜିଲ୍ଲାର ୬୦ହଜାରର ଅଧିକ ପରିବାର ଏହି ହଳଦୀ ଚାଷ କରୁଛନ୍ତି। ଏହି ହଳଦୀ ଖରାପ ପରିବେଶରେ ମଧ୍ୟ ଭଲ ଉତ୍ପାଦନ ହେଉଥିବାରୁ ଏହାକୁ ଚାଷ କରୁଥିବା ଚାଷୀ କମ୍ କ୍ଷତିଗ୍ରସ୍ତ ହୋଇଥାଏ। ଯାହାକି କ୍ଷୁଦ୍ର ବା ନାମମାତ୍ର ଚାଷୀଙ୍କ ପାଇଁ ଏହା ସୁହାଇଥାଏ। ଏହି ହଳଦୀ ଦେଖିବାକୁ ସୁନାଭଳି ହଳଦିଆ ଯାହାକି ଅନ୍ୟ ହଳଦୀମାନଙ୍କଠାରୁ ଭିନ୍ନ। ଏଥିରେ କୁରକୁମିନ୍, ଓଲେରେସିନ୍ ଓ ଭୋଲାଟାଇଲ ତେଲ ଭରି ରହିଛି। ଯାହାଫଳରେ କନ୍ଧମାଳର ହଳଦୀ ଔଷଧୀୟ ବ୍ୟବହାରଠାରୁ ଆରମ୍ଭ କରି ପ୍ରସାଧାନ ସାମଗ୍ରୀ ପାଇଁ ରାଜ୍ୟରେ ଘରେ ଘରେ ପରିଚିତ ହୋଇପାରିଛି। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ପ୍ରଦାନ କରିବା ପାଇଁ ଏକ ବୈଷୟକି କମିଟି ଗଠନ କରାଯାଇଥିଲା। ଏଥିରେ ଗବେଷକଙ୍କଠାରୁ ଆରମ୍ଭ କରି ବୈଜ୍ଞାନିକ, ଆଇପି ବିଶେଷଜ୍ଞ, କୃଷିବିତ୍, ଉଦ୍ୟାନକୃଷିବିତ୍, ଆନାଲିସିଷ୍ଟଙ୍କୁ ନେଇ ଏହି କମିଟି ଗଠିତ ହୋଇଥିଲା। ଏଥିପାଇଁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ କରାଯାଇ ନାମୀ ଲାବୋରେଟୋରିକୁ ଏହାର ବୈଷୟିକ/ବୈଜ୍ଞାନିକ ଗୁଣ ଯାଞ୍ଚ ପାଇଁ ପଠାଯାଇଥିଲା। କନ୍ଧମାଳ ହଳଦୀକୁ ଜିଆଇ ମାନ୍ୟତା ଦେବା ପାଇଁ ସମସ୍ତ କାଗଜପତ୍ର ପ୍ରସ୍ତୁତ ହେବା ପରେ ଗତବର୍ଷ ଜାନୁଆରି ୧୧ତାରିଖରେ ଏଥିପାଇଁ ଆବେଦନ କରାଯାଇଥିଲା। ଗତବର୍ଷ ନଭେମ୍ବରରେ ଏଥିପାଇଁ ସନ୍ଦର୍ଭ ପ୍ରକାଶ ପାଇଥିଲା। ସିଟିଟିସି(ଆଇପିଏଫସି)ର ମୁଖ୍ୟ ସଚ୍ଚିକାନ୍ତ କର ଜିଆଇ ମାନ୍ୟତା ପାଇଁ ଗଠିତ ହୋଇଥିବା ଟିମ୍ର ନେତୃତ୍ବ ନେଇଥିଲେ। ଏଥିପାଇଁ କ୍ଷେତ୍ର ପରିଦର୍ଶନଠାରୁ ଆରମ୍ଭ କରି କସମର ଅଧିକାରୀ, ସ୍ଥାନୀୟ ଆଦିବାସୀ ଓ ଠିକ୍ ସମୟରେ ରିପୋର୍ଟ ଦାଖଲ ପର୍ଯ୍ୟନ୍ତ କାର୍ଯ୍ୟର ନେତୃତ୍ବ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/plbapl1-haladi-f.jpg)